ବେଙ୍ଗାଲୁର: ଆମ୍ବଗଛ ତଳେ ପଡିଲା ବିଡା ବିଡା ନୋଟ । ପାଖାପାଖି କୋଟିଏ ଟଙ୍କାର ନୋଟ । କୁଆଡୁ ଆସିଲା ଏତେ ଟଙ୍କା ? କିଏ ରଖିଲା ? ଏଡା ପଛର ଅସଲ କାହାଣୀ ଶୁଣିଲେ ଆଖି ଖୋସି ହୋଇଯିବ । କର୍ଣ୍ଣାଟକର ମହୀଶୁରରେ ଆୟକର ଚଢାଉ ବେଳେ ଗଛ ଉପରୁ ଏକ କୋଟି ଟଙ୍କା ଜବତ ହୋଇଛି । ବିଧାନସଭା ନିର୍ବାଚନରେ ଜଣେ କଂଗ୍ରେସ ପ୍ରାର୍ଥୀଙ୍କ ଭାଇ ଗଛ ଉପରେ ଏତେ ଟଙ୍କା ଲୁଚାଇ ରଖିଥିଲେ । ହେଲେ ଆଇଟି ଟିମ ଏହି ପ୍ୟାକେଟକୁ ଖୋଜି ପାଇବା ପରେ ଏହାକୁ ଜବତ କରିଛି ।
ଆଇଟି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭାଗୀୟ ଅଧିକାରୀ ମହୀଶୁରର ସୁବ୍ରମଣ୍ୟମ ରାୟଙ୍କ ଘର ଉପରେ ଚଢାଉ କରିଥିଲେ । ଏକ ଆମ୍ବ ଗଛ ଉପରେ ବାକ୍ସ ଭିତରେ ଏହି ଟଙ୍କାକୁ ଲୁଚାଇ ରଖାଯାଇଥିଲା । ଆଇଟି ଅଧିକାରୀମାନେ ଏହି ଟଙ୍କାକୁ ଜବତ କରିଛନ୍ତି ।
ଏଠି କହିରଖିବୁ, ସୁବ୍ରମଣ୍ୟମ ପୁତ୍ତୁର ନିର୍ବାଚନମଣ୍ଡଳରୁ ଲଢୁଥିବା କଂଗ୍ରେସର ପ୍ରାର୍ଥୀ ଅଶୋକ କୁମାର ରାୟଙ୍କ ଭାଇ ଅଟନ୍ତି । ଆଇଟି ଚଢାଉ ହେବାର ସୂଚନା ପୂର୍ବରୁ ପାଇ ସେ ଆମ୍ବ ଗଛ ଉପରେ ଖୁବ ଚାଲାକିର ସହ ଏହି ଟଙ୍କାକୁ ଲୁଚାଇ ରଖିଥିଲେ । ଆଇଟି ଅଧିକାରୀ ଏହି ଟଙ୍କା ଜବତ କରି ପଚରାଉଚରା କରୁଛନ୍ତି । ରେଡ ବି ଜାରି ରହିଛି।
ଏହା ପୂର୍ବରୁ ବିଜେପି ବିଧାୟକ ମଦଲ ବରୁପାକ୍ଷପ୍ପାଙ୍କ ଘରେ ଚଡାଉ କରି ୬ କୋଟି ଜବତ କରିଥିଲା ଆଇଟି ।ଏଥିସହିତ ତାଙ୍କ ପୁଅର ଅଫିସରୁ ମଧ୍ୟ ୨ କୋଟି ଟଙ୍କା ଜବତ ହୋଇଥିଲା । ଏହା ପରେ ପୁଅ ପ୍ରଶାନ୍ତ ମଦଲଙ୍କୁ ପୋଲିସ ଗିରଫ କରିଥିଲା । ଘରୁ ୮ କୋଟି ଜବତ ହେବା ପରେ ସେ କର୍ଣ୍ଣାଟକ ସୋପ ଆଣ୍ଡ ଡିଟର୍ଜେଣ୍ଟ ଲିମିଟେଡ କମ୍ପାନୀର ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ ।
Comments are closed.