Latest Odisha News

ଆଇଟିଏଟିର କଟକ ବେଞ୍ଚ୍ କାର୍ଯ୍ୟାଳୟ ଓ ଆବାସିକ କୋଠାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ ବେଞ୍ଚ କାର୍ଯ୍ୟାଳୟ ତଥା ଆବାସିକ କୋଠାକୁ ଆସନ୍ତା ୧୧ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ଅପରାହ୍ନ ସାଢ଼େ ୪ଟାରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହିବେ ।

କଟକରେ ତିଆରି ହୋଇଥିବା ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ ବା ଆଇଟିଏଟିର ଏହି କୋଠା ୧.୬୦ ଏକର ଜମିରେ ନିର୍ମାଣ ହୋଇଛି । ଏହି କାର୍ଯ୍ୟାଳୟରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ । ୨୦୧୫ରେ ରାଜ୍ୟସରକାର ମାଗଣାରେ ଜମି ଯୋଗାଇ ଦେଇଥିଲେ ।

ତିନି ମହଲା କୋଠାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ଆଇନଜୀବୀ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପାଇଁ ବାର୍ କକ୍ଷ ରହିଛି ।

ଇନକମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ ବା ଆଇଟିଏଟି ଏକ ସ୍ୱୟଂଶାସିତ ସଂସ୍ଥା । ଏହାର ମୁଖ୍ୟ ହେଉଛନ୍ତି ଅବସରପ୍ରାପ୍ତ ବିଚାରପତି ପିପି ଭଟ୍ଟ । ସେ ଝାଡଖଣ୍ଡ ଓ ଗୁଜୁରାଟ ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି  ।

ଆଇଟିଏଟି ପ୍ରଥମ ଟ୍ରିବ୍ୟୁନାଲ ଭାବେ ୧୯୪୧, ଜାନୁଆରୀ ୨୫ରେ ଗଠିତ ହୋଇଥିଲା । ଏହାକୁ ମଦର୍ ଟ୍ରିବ୍ୟୁନାଲ୍ କୁହାଯାଏ । ୧୯୪୧ରେ ଏହାର ଦିଲ୍ଲୀ, କୋଲକାତା ଓ ବମ୍ବେରେ ତିନୋଟି ବେଞ୍ଚ୍ ରହିଥିଲା । ଏବେ ସାରା ଦେଶରେ ଆଇଟିଏଟିର ୬୩ଟି ବେଞ୍ଚ୍ ରହିଛି ।

Leave A Reply

Your email address will not be published.