ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଗ : ୨୭
ଲିପି ଯଦି ହୁଏ ଜଟିଳ
ଲିପିଶିକ୍ଷା ସାରଇ ବେଳ
ପଢ଼ିବାର ଆଗ୍ରହ ନଷ୍ଟ
ସମସ୍ତଂକୁ ବହୁତ କଷ୍ଟ
ସଂପ୍ରଦାୟ ଓ ସମ୍ପ୍ରଦାୟ
ସମାର୍ଥକ ଶବ୍ଦ ଉଭୟ
ଯାହା ଦିଶୁଛି ପରିଷ୍କାର
ତାହା କରିବା ବ୍ୟବହାର
ସଂବର୍ଧନା ଓ ସମ୍ବର୍ଦ୍ଧନା
ଯେଉଁଟି ସଫା ପଡ଼େ ଜଣା
ଲେଖିବା ପାଇଁ ନାହିଁ ମନା
ଲାଗିନି କିଛି କଟକଣା
ଅପଚୟ ଓ ପରିଚୟ
ନିଚୟ ନିଶ୍ଚୟ ସଂଚୟ
କେହି ବି ଲେଖଂତି ସଞ୍ଚୟ
କେଉଁଠୁ ଆସି ପଶେ ‘ ଞ୍ଚୟ ‘ ?
ଅଜୟ ବିଜୟ ସଂଜୟ
ଧନଂଜୟ ଓ ମୃତ୍ୟୁଂଜୟ
ବନାନ ହୋଇଛି ନିର୍ଣୟ
କାହିଁକି ଲେଖେ କିଏ ‘ ଞ୍ଜୟ ‘ ?
‘ ଞ୍ଚୟ ‘ କି ‘ ଞ୍ଜୟ ‘ ଶବ୍ଦ ନାହିଁ
ତେବେ ବି ଲେଖୁଛୁଁ କିପାଇଁ
ଥରେ ତ ନିଜକୁ ପଚାରୁଁ
ତାପରେ ଯାହା ଇଚ୍ଛା, କରୁଁ
ଜଟିଳ ଯୁକ୍ତାକ୍ଷର ବୋହି
ସ୍ବଭାଷା ବଢ଼ି ପାରୁନାହିଁ
ସମୟ ବୃଥା ହୁଏ ନଷ୍ଟ
ସଭିଏଁ ପାଉଥାଉଁ କଷ୍ଟ
ଭଜନ ଭାଜନ ଭୋଜନ
ପରିଜନ ଓ ଆୟୋଜନ
ଅଂଜନ ରଂଜନ ବ୍ୟଂଜନ
ପ୍ରଭଂଜନ ଓ ନିରଂଜନ
‘ ଞ୍ଜନ ‘ ର ନାହିଁ ପ୍ରୟୋଜନ
ପୁରାତନ ଓ ପୂର୍ବତନ
ନୂତନ କେତନ ଚେତନ
ଚିରଂତନ ଓ ସାୟଂତନ
କେଉଁଠି ଲୋଡ଼ାନାହିଁ ‘ ନ୍ତନ ‘
ଆଦେଶ ବିଦେଶ ନିର୍ଦେଶ
ସ୍ବଦେଶ ପ୍ରଦେଶ ସଂଦେଶ
‘ ର୍ଦ୍ଦେଶ ‘ କି ‘ ନ୍ଦେଶ ‘ ଲୋଡ଼ାନାହିଁ
ଅଯଥା ଲେଖୁଛୁଁ କିପାଇଁ
ଗୋଧନ ସାଧନ ଶୋଧନ
ଦୁର୍ଯୋଧନ ଓ ସଂଶୋଧନ
ସଂବର୍ଧନା ଓ ବିବର୍ଧନ
ଇଂଧନ ବଂଧନ ରଂଧନ
ସବୁ ଶବ୍ଦରେ ରହେ ‘ ଧନ ‘
ସୁବିଧା ଦାୟକ ଗଠନ
‘ ର୍ଦ୍ଧନ ‘ ଓ ‘ ନ୍ଧନ ‘ ଅକାରଣ
କେବେ ବୁଝିବ ଆମ ମନ ?
ତପନ ଲେପନ ଗୋପନ
ସ୍ଥାପନ ଜ୍ଞାପନ ଯାପନ
ଆପନ୍ନ ବିପନ୍ନ ସଂପନ୍ନ
‘ ମ୍ପନ୍ନ ‘ ନିମଂତେ ନାହିଁ ସ୍ଥାନ
ନିଜକୁ ପଚାରିବା ପ୍ରଶ୍ନ
ଭାଷାର ବିକାଶ ବର୍ଧନ
ସକାଶେ ଆମ ଅବଦାନ
ରହିଥିବ କି ସଦା ଶୂନ୍ଯ ?
Comments are closed.