Latest Odisha News

BREAKING NEWS

ଅନୁଗୁଳ ପୋଲିସ ମୁଖ୍ୟାଳୟରେ ଉଦଘାଟିତ ହେଲା ସିଟି ସର୍ଭିଲେନ୍ସ ଓ ଆଇଟିଏମଏସ ବ୍ୟବସ୍ଥା

ଅନୁଗୁଳ: ଅନୁଗୋଳ ପୋଲିସ ମୁଖ୍ୟାଳୟରେ ସିଟି ସର୍ଭିଲେନ୍ସ ଓ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଉଦଘାଟିତ ହୋଇଛି । ଏହି ବ୍ୟବସ୍ଥାକୁ ବିଧାନସଭା ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଶୁକ୍ରବାର ଦିନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା , ଡି.ଆଇ.ଜି. ନରସିଂହ ଭୋଳ , ଏସ୍‌ପି ମିତ୍ରଭାନୁ ମହାପାତ୍ର , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଦେବଗଡ଼ ଏସ୍‌ପି ରାହୁଲ ଜୈନ , ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ ପ୍ରମୁଖଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ଆଇନଜୀବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ଏଠାରେ ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ସଦର ମହକୁମାରେ ବିଗତ ବର୍ଷ ଦୁଇ ଦୁଇଟି ବ୍ୟାଙ୍କ ଡକାୟତି ହେବା ସହ ପ୍ରତ୍ୟେକ ଦିନ ରାହାଜାନୀ , ଲୁଟ ଆଦି ହେଉଛି । ଯାହା ସାଧାରଣ ଲୋକଙ୍କ ସମସ୍ୟା ବଢାଇ ଦେବା ସହ ପୋଲିସର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେବେ ଏହାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଏବେ ସହରର ପ୍ରମୁଖ ଛକ ମାନଙ୍କରେ ସିସି ଟିଭି କ୍ୟାମେରା ଲଗା ଯାଇଛି । ଜିଲ୍ଲା ମିନେରାଲ ଫଣ୍ଡରୁ ଟଙ୍କା ଖର୍ଚ୍ଚ କରାଯାଇ ସହରର ଆଠଟି ଛକରେ ୩୮ ଟି କ୍ୟାମେରା ଲାଗିଛି । ଏହା ସହ ଏକ କଣ୍ଟ୍ରୋଲ ଋମ ଖୋଲାଯାଇ ଏହା ଉପରେ ନଜର ରଖାଯିବ । ଏହା ସହିତ ପିସିଆରକୁ ମଧ୍ୟ ଯୋଗାଯୋଗ କିଭଳି କରିହେବ ତାର ବନ୍ଦୋବସ୍ତ କରା ଯାଇଛି ।

ଏହାଦ୍ୱାରା କ୍ରିମିନାଲଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରେକଗନାଇଜେସନ ସଫଟବେୟାର ମାଧ୍ୟମରେ କ୍ରମିନାଲ ମାନଙ୍କୁ ଧରିବା ପାଇଁ ଚେଷ୍ଟା କରା ଯାଇ ପାରିବ । ଏଭଳି ପ୍ରୋଜେକ୍ଟ ଭାରତର ଦିତୀୟ ଓ ରାଜ୍ୟର ପ୍ରଥମ । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା , ଅଫିସ ଟ୍ରାନଜିଟ୍‌ ମେସ, ଛେଳିଆପଡ଼ାସ୍ଥିତ ପୋଲିସ ରିଜର୍ଭ କାର‌୍ୟ୍ୟାଳୟ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପୋଲିସ ବିଭାଗରେ ଉଲ୍ଲେଖନୀୟ କାର‌୍ୟ୍ୟ କରିଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଥାନା ଅଧିକାରୀଙ୍କ ସମେତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା ପରିଚାଳନା କରିଥିବା ସ୍ପେଶାଲ ପିପି ସରୋଜ ପଟ୍ଟନାୟକଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.