Latest Odisha News

BREAKING NEWS

ଜରରେ କମ୍ପୁଛନ୍ତି ଶ୍ରୀଜୀଉ, ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଗହଳି

ପୁରୀ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉମାନେ ଏବେ ଶ୍ରୀମନ୍ଦିରର ଅଣସର ଘରେ ରହିଛନ୍ତି । ଦଇତାପତିମାନେ ମହାପ୍ରଭୁଙ୍କ ଅସୁସ୍ଥତାର ଉପଚାର କରିବା ସହ ଓଷ ଲାଗି କରୁଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ପୁରୀକୁ ଆସୁଥିବା ଭକ୍ତମାନେ ଏବେ ବ୍ରହ୍ମଗିରି ଅଲାରନାଥ ପୀଠକୁ ଆସି ଦର୍ଶନ କରୁଛନ୍ତି ।

ମହାପ୍ରଭୁ ଅଣସର ଘରେ ରହିଥିବା ବେଳେ ଅଲାରନାଥଙ୍କୁ ଦର୍ଶନର ବିଶେଷ ତାତ୍ପର୍ଯ୍ୟ ରହିଛି । ବିଶ୍ୱାସ ଓ କିମ୍ୱଦନ୍ତୀ ରହିଛି ଅଣସର ସମୟରେ ବିଷ୍ଣୁଙ୍କ ଅବତାର ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥ ଦର୍ଶନର ସମସ୍ତ ପୁଣ୍ୟଫଳ ମିଳିଥାଏ । ଅଣସର ସମୟରେ ଅଲାରନାଥ ପୀଠରେ କ୍ଷିରୀ ଭୋଗର ବିଶେଷ ମହତ୍ତ୍ଵ ଥିବାରୁ ଭକ୍ତମାନେ ଏହାକୁ ପାଇ ଆତ୍ମତୃପ୍ତି ଲାଭ କରୁଛନ୍ତି ।

ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା, ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ଜଣେ ଏସଡିପିଓଙ୍କ ସହ ବ୍ରହ୍ମଗିରି ଥାନା ଅଧିକାରୀ ଦାୟିତ୍ୱରେ ଅଛନ୍ତି । ପୁରୀ ଠାରୁ ୨୦ କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ଅଲାରନାଥ ମନ୍ଦିର ପ୍ରାୟ ୧୨ ଶହ ଖ୍ରୀଷ୍ଟାଦ୍ଦରେ ପ୍ରତିଷ୍ଠା ହୋଇଥିବା କୁହାଯାଏ । ଏହି ମନ୍ଦିରରେ ଅଲାରନାଥ ସାକ୍ଷାତ ବିଷ୍ଣୁ ରୂପରେ ପୂଜା ପାଉଛନ୍ତି ।

Leave A Reply

Your email address will not be published.