Latest Odisha News

BREAKING NEWS

ମେଡିକାଲ ଚେକଅପ୍‌ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କମିନି ସମସ୍ୟା। ମେଡିକାଲ ଚେକଅପ୍ ପରେ ପୁଣି ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଇମ୍ରାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଛଅ ଘଣ୍ଟା ମଧ୍ୟରେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଅଦିଆଲା ଜେଲକୁ ପଠାଇଦିଆଯାଇଛି।

ଶାହବାଜ ସରିଫ ସରକାର ଶୁକ୍ରବାର ସକାଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍-ଏ-ଇନସାଫ୍‌ର ମୁଖ୍ୟ ଇମ୍ରାନ ଖାନଙ୍କୁ ଇସଲାମାବାଦର ଶିଫା ହସ୍ପିଟାଲରୁ ଅଦିଆଲା ଜେଲକୁ ଫେରାଇ ଆଣିଥିଲା। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ରାୱଲପିଣ୍ଡି ଜେଲରୁ ଅଣାଯାଇଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଜେଲକୁ ଫେରାଇ ଦିଆଯାଇଥିଲା। ଜେଲ ସୂତ୍ର ଅନୁସାରେ, ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ତାଙ୍କ ସେଲକୁ ଫେରାଇ ନେଇଥିଲା।

ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୬ ଜଣ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ପରୀକ୍ଷା କରିଥିଲେ। ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ଜେଲ୍‌ରେ ରଖିବା ସୁରକ୍ଷିତ ବୋଲି ମତ ଦେଇଥିବା ରିପୋର୍ଟ ଆସିଛି। ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। ତାଙ୍କ ପରିବାର ଓ ଦଳ ପକ୍ଷରୁ ଜେଲ୍‌ରେ ତାଙ୍କର ଚିକିତ୍ସା ଓ ଆବଶ୍ୟକ ମେଡିକାଲ ସୁବିଧା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ବିଶେଷକରି ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ସମସ୍ୟାକୁ ନେଇ ତାଙ୍କ ଆଇନଜୀବୀ ଓ ସମର୍ଥକମାନେ ଚିନ୍ତା ପ୍ରକାଶ କରିଆସୁଛନ୍ତି ।

ଅନ୍ୟପଟେ ପାକିସ୍ତାନ ସରକାର କହିଆସିଛି ଯେ ଉପଲବ୍ଧ ମେଡିକାଲ ରିପୋର୍ଟରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଭଳି ଜରୁରୀ ସ୍ଥିତି ଦେଖାଯାଇନଥିଲା। ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରିବା ସହ ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କୁ ସାମିଲ କରି ଏକ ମେଡିକାଲ ପ୍ୟାନେଲ ଦ୍ୱାରା ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ହିଁ ଇମ୍ରାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହି ସମୟରେ ହସ୍ପିଟାଲ ବାହାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଇସଲାମାବାଦ ପୋଲିସର ବରିଷ୍ଠ ଅଧିକାରୀମାନେ ହସ୍ପିଟାଲ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଅନ୍ୟପଟେ, ଇମ୍ରାନଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସମ୍ପର୍କରେ ସରକାର ଦାଖଲ କରିଥିବା ରିଭ୍ୟୁ ପିଟିସନ୍‌କୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଆପତ୍ତି ଦର୍ଶାଇ ଫେରାଇ ଦେଇଛି । ସରକାର ଆପତ୍ତିଗୁଡ଼ିକର ସମାଧାନ କରି ପୁଣି ଆବେଦନ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ମେଡିକାଲ ଚେକଅପ୍ ପରେ ଇମ୍ରାନ ଖାନ ପୁଣି ଜେଲ୍ ଫେରିବା ଘଟଣା ପାକିସ୍ତାନରେ ତାଙ୍କ ସ୍ୱାସ୍ଥ୍ୟ, ଆଇନଗତ ଲଢ଼େଇ ଓ ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି ।

Leave A Reply

Your email address will not be published.