Latest Odisha News

BREAKING NEWS

ଜୈସୱାଲଙ୍କୁ ସାରା ଭାରତ କହୁଛି ଯଶସ୍ୱୀ ହୁଅ

ପର୍ଥ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ଓପନର ଯଶସ୍ୱୀ ଜୈସୱାଲ ଶତକ ହାସଲ କରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଏହି ଆକର୍ଷଣୀୟ ଶତକ ସହ ସେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ୱାଗଙ୍କ କ୍ଲବରେ ସାମିଲ ହୋଇଛନ୍ତି । ସେ ୪ର୍ଥ ଭାରତୀୟ କମ ବୟସରେ ଅଷ୍ଟ୍ରେଲିଆରେ ଶତକ ହାସଲ କରିଛନ୍ତି । ସଚିନ ୧୮ ବର୍ଷ ୨୫୩ ଦିନରେ ସିଡନୀ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିଥିଲେ । ତାଙ୍କ ପରେ ରିଷଭ ପନ୍ତ( ୨୧ ବର୍ଷ ୯୧ ଦିନ, ସିଡନୀ), ଦତୁ ଫାଡକର(୨୨ ବର୍ଷ ୪୨ ଦିନ, ସିଡନୀ), କେଏଲ ରାହୁଲ(୨୨ ବର୍ଷ ୨୬୩ ଦିନ), ଯଶସ୍ୱୀ(୨୨ ବର୍ଷ ୩୩୦ ଦିନ, ପର୍ଥ) ଏବଂ ବିରାଟ କୋହଲି(୨୩ ବର୍ଷ ୮୦ ଦିନ, ଆଡିଲେଡ) ଏଠାରେ ଶତକ ଅର୍ଜନ କରିଛନ୍ତି ।

ପଦାର୍ପଣ ବିଦେଶ ଗସ୍ତରେ ତୃତୀୟ ଭାରତୀୟ ଭାବେ ଯଶସ୍ୱୀ ଶତକ ଅର୍ଜନ କରିଛନ୍ତି । ସୁନୀଲ ଗାଭାସ୍କର ଓ ଏମଏଲ ଜୟସିହ୍ମା ତାଙ୍କ ପୂର୍ବରୁ ଶତକ ହାସଲ କରିଥିଲେ । ଯଶସ୍ୱୀ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୩୪ ଛକା ମାରିଛନ୍ତି । ସେ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ୩୩ ରେକର୍ଡ ଭଙ୍ଗ କରିଛନ୍ତି । ୨୩ ବର୍ଷ ବୟସ ମଧ୍ୟରେ ସେ ତୃତୀୟ ଖେଳାଳି ଭାବେ ସର୍ବାଧିକ ଶତକ ହାସଲ କରିଛନ୍ତି । ସଚିନ ୮ଟି ଏବଂ ରବି ଶାସ୍ତ୍ରୀ ୫ ଶତକ ମାରିଥିବା ବେଳେ ସୁନୀଲ ଗାଭସ୍କର, ବିନୋଦ କାମ୍ବଲୀ ଓ ଯଶସ୍ୱୀ ୪ଟି ଲେଖାଏଁ ଶତକ ହାସଲ କରିଛନ୍ତି ।

ରାହୁଲ ଏବଂ ଯଶସ୍ୱୀ ଓପନିଂରେ ୨୦୧ ରନ ସଂଗ୍ରହ କରିଛନ୍ତି । ସେନା ଦେଶ(ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ)ରେ ତୃତୀୟ ସର୍ବାଧିକ ଓପନିଂ ପାର୍ଟନରଶିପ । ୧୯୭୯ରେ ସୁନୀଲ ଗାଭାସ୍କର-ଚେତନ ଚୌହ୍ୱାନ ଇଂଲଣ୍ଡ ବିପକ୍ଷରେ ଏବଂ ୧୯୩୬ରେ ବିଜୟ ମର୍ଚ୍ଚାଂଟ-ମୁସ୍ତାକ ଅଲି ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିଥିଲେ ।

Leave A Reply

Your email address will not be published.