Latest Odisha News

ଉପନିର୍ବାଚନ ଦେଖିପାରେ ଯାଜପୁର ବିଧାନସଭା, ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପ୍ରଣବ

ଯାଜପୁର: ଯାଜପୁର ବିଧାନସଭା ଦେଖିପାରେ ଉପନିର୍ବାଚନ, ଇସାରା ଦେଲେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି)। ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା କରିଛି। ଏହି ଅବସରରେ ନେତା ମାନେ ନିଜ ନିଜ ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଆଉ ବବି ଯାଜପୁରରେ ପଦଯାତ୍ରା ସମାବେଶରେ ଯୋଗ ଦେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ଚଳିତଥର ଏହି ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ସୁଜାତା ଦାସ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବବିଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ନିର୍ବାଚନ ବେଳେ ସେ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ। ତେଣୁ ନିଜ ଅଞ୍ଚଳକୁ ପ୍ରଚାର ପାଇଁ ଆସିପାରିନଥିଲେ ବୋଲି ବବି କହିଛନ୍ତି। ଏହାପରେ ବି ସୁଜାତାଙ୍କୁ ଭୋଟ୍ ଦେଇ ବିଜୟୀ କରାଇଥିବାରୁ ଧନ୍ୟବାଦ ଦେଇଛନ୍ତି।

ପ୍ରଣବ ନିଜେ ନିର୍ବାଚନରେ ହାରିବା ଏବଂ ତାଙ୍କ ମା କୋରେଇରୁ ବିଧାୟକ ପ୍ରାର୍ଥୀ ହୋଇ ହାରିବାପରେ ଦଳରେ ତାଙ୍କର ପ୍ରଭାବକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ସଂଗଠନକୁ ଭାଙ୍ଗି ଦେଇଛନ୍ତି। ଆଉ ବରିଷ୍ଠ ନେତାଙ୍କୁ ନେଇ ବିଭିନ୍ନ ସଂଗଠନ କରିଛନ୍ତି। କିନ୍ତୁ ନୂଆ ଟିମରେ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜଙ୍କ ନାମ ଦେଖିବାକୁ ମିଳିନାହିଁ। ତେଣୁ ବବିଙ୍କୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ବୁଧବାର ସେ ନିର୍ବାଚନ ଲଢିବାକୁ ଅର୍ଥାତ ଉପନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରଣବ ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଥିଲେ। ସେ ବିଜେପିର ବିଜୟୀ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ତାଙ୍କ ମା କୋରେଇ ଆସନରୁ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ କିନ୍ତୁ ବିଜେପିର ବିଧାୟକ ଆକାଶ ଦାସ ନାୟକଙ୍କ ଠାରୁ ହାରିଯାଇଛନ୍ତି।

ନିର୍ବାଚନ ପରେ ବବି ସରକାରୀ ବଙ୍ଗଳାରେ ତିଆରି ହୋଇଥିବା ବିଳାସପୂର୍ଣ୍ଣ ଘରକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସେହିପରି କୁସୁମାରେ ଅନଧିକୃତ ନିର୍ମାଣକୁ ନେଇ ବିବାଦୀୟ ହୋଇପଡ଼ିଛନ୍ତି। ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ଚଣାରେ ଏକ ସଭାରେ ଯୋଗ ଦେଇ ଯାଜପୁରକୁ ଲୁଟ୍ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ଆଉ ଏହି ଲୁଟ୍ ପଛରେ ଯାଜପୁରର ତିନି ପରିବାର ରହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଉ ବୁଧବାର ପଦଯାତ୍ରା ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ପରୋକ୍ଷରେ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେ କହିଛନ୍ତି ଯାଜପୁରର ବିକାଶ ପାଇଁ ସେ ସମସ୍ତ କାମ କରିଛନ୍ତି। କିଛି ଲୋକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଯଦି ଏହା କରିବା ପାପ ତାହେଲେ ସେ ଆହୁରି ପାପ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ସେ ଏଥିପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ କେହି ନବୀନ ପଟ୍ଟନାୟକଙ୍କଠାରୁ ଅଲଗା କରିପାରିବେନି ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ଯାଜପୁରର ବିକାଶ ପାଇଁ ସମସ୍ତ ଅନୁରୋଧକୁ ରକ୍ଷା କରି ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ବୋଲି ବବି କହିଛନ୍ତି।

ରାଜ୍ୟର ନୂଆ ସରକାର ଲୋକଙ୍କୁ ଭୂଆଁ ବୁଲାଇଛି। ଏହା ଏକ ଜୁମଲା ସରକାର। ମହିଳାଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇପାରିନି। ସେହିପରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି ବୋଲି କହିଛନ୍ତି। ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଏବଂ ଭରତପୁର ଘଟଣା କଥା ଉଲ୍ଲେଖ କରି ବବି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

Leave A Reply

Your email address will not be published.