କୁଆଖିଆ: କୁଆଖିଆ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢାଉ କରି ମୁଲାପାଳ ଛକରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ କଳାବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଯାଜପୁର ଏସପି ଯଶପ୍ରତାପ ଶ୍ରୀମାଲଙ୍କ ନିର୍ଦ୍ଦେଶରେ ବୁଧବାର ଅପରାହ୍ନରେ ଏହି ଚଢାଉ ହୋଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ରପୁର ଗଙ୍ଗାଧରପୁରର ନିଶିକାନ୍ତ ମଲ୍ଲିକ (୪୬) ଏବଂ କରଜଙ୍ଗାର ସତ୍ୟରଞ୍ଜନ ସାହୁ (୩୫)।
ସୂଚନାଥାଉକି, ପୋଲିସ ସେମାନଙ୍କ ନିକଟରୁ ୨୦୦ ଗ୍ରାମ ବ୍ରାଉନସୁଗାର, ୩ଟି ମୋବାଇଲ ଫୋନ, ୪୭୦୦ ଟଙ୍କା ନଗଦ, ୫ଟି ବ୍ୟାଙ୍କ ପାସବୁକ୍ ଓ ୫ଟି ଏଟିଏମ କାର୍ଡ ଜବତ କରିଛି। ଏଥି ସହ ୫ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।
କୁଆଖିଆ ଥାନା କେସ ନଂ ୪୩୭/୨୬ରେ ଏନଡିପିଏସ ଆକ୍ଟ ୨୧(ବି) ଓ ୨୯(୧) ଧାରାରେ ମାମଲା ରୁଜୁ ହୋଇଛି।
ପୋଲିସ ଯାଞ୍ଚରୁ ଜଣାପଡିଛି ନିଶିକାନ୍ତ ନାମରେ ପୂର୍ବରୁ କୁଆଖିଆ ଥାନାରେ ୨ଟି ଏନଡିପିଏସ ମାମଲା (୨୫୪/୨୬ ଓ ୨୮୯/୨୬) ରହିଛି । କୋର୍ଟରୁ ଏନବିଡବ୍ଲୁ ଜାରି ହୋଇଥିଲା।

