ଯାଜପୁର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ ଦିନିକିଆ ଯାଜପୁର ଗସ୍ତ କରିଛନ୍ତି । ପ୍ରଥମେ ସଚିବ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା ସହ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଏବଂ ଲଳିତଗିରି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ଏହା ପରେ ସେ ଜିଲ୍ଲାର ପୁରାତନ ବୌଦ୍ଧ କୀର୍ତ୍ତିରାଜି ଉଦୟଗିରି ଏବଂ ରତ୍ନଗିରି ପରିଦର୍ଶନ କରିଥିଲେ l
ଆଗାମୀ ଦିନରେ ଏହି ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ଉନ୍ନତି ପାଇଁ ପ୍ରସ୍ତାବିତ ଭିତ୍ତିଭୂମି ବୁଲି ଦେଖିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ, ଆଗକୁ ପର୍ଯ୍ୟଟନ ବିଭାଗ ଦ୍ଵାରା ଯାଜପୁର ଜିଲ୍ଲାରେ ଏକ ସମନ୍ୱିତ ବୌଦ୍ଧ ସର୍କିଟ ବିକଶିତ ହେବାକୁ ଯାଉଛି । ଏହି ପ୍ରକଳ୍ପ ଅଧୀନରେ ଏଠାରେ ଏକ ଇଣ୍ଟରପ୍ରିଟେସନ କେନ୍ଦ୍ର, ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା ସହ ବୌଦ୍ଧ କୀର୍ତ୍ତିରାଜିର ସଂରକ୍ଷଣ, ପ୍ରଚାର ପ୍ରସାର କରାଯିବ । ଆସନ୍ତା ଜାନୁଆରୀ ୨୦୨୬ରେ ବୌଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ଉଦ୍ଦେଶ୍ୟରେ ଉଦୟଗିରିଠାରେ ହେବାକୁ ଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀକୁ ଦୃଷ୍ଟିରେ ରଖି ସଚିବ ଶ୍ରୀ ସିଂ ପ୍ରସ୍ତୁତିପର୍ବକୁ ମଧ୍ଯ ସମୀକ୍ଷା କରିଥିଲେ ।
ଏହି ସମ୍ମିଳନୀରେ ଦେଶ ବିଦେଶରୁ ଅନେକ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେବା ସହ ସ୍ୱର୍ଣିମ ତ୍ରିଭୁଜ ଯଥା ଉଦୟଗିରି, ରତ୍ନଗିରି ଓ ଲଳିତଗିରି ପରିଦର୍ଶନ କରିବେ । ସନ୍ଧ୍ୟାରେ ସଚିବ ବଳବନ୍ତ ସିଂ ଯାଜପୁର ସହରରେ ନିର୍ମାଣାଧୀନ ଥିବା ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ପ୍ରକଳ୍ପ, ବରାହପୀଠରେ ଥିବା ସଂଗ୍ରହାଳୟ ଆଦି ପରିଦର୍ଶନ କରିଥିଲେ ।
ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।