Latest Odisha News

BREAKING NEWS

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଆଜି ରାଜ୍ୟର ପ୍ରମୁଖ ଶିବାଳୟରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବାକୁ କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି ।

ଗତ ଦୁଇଦିନ ଧରି ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ ବାହୁଙ୍ଗୀରେ ପବିତ୍ର ଜଳ ଧରି ଶିବାଳୟକୁ ଯାତ୍ରା କରିଥିଲେ । ଆଜି ସକାଳୁ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ କାଉଡ଼ିଆ ମାନଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଛି । କାଉଡ଼ିଆମାନେ ଗେରୁଆ ଲୁଗା ପିନ୍ଧି କାନ୍ଧରେ କାଉଡ଼ି ପିନ୍ଧି ପବିତ୍ର ଭାବନାରେ ‘ବୋଲ ବମ’ କହି ସମ୍ପୂର୍ଣ୍ଣ ବିଶ୍ୱାସରେ ଆଗେଇ ଚାଲିଛନ୍ତି ମାଇଲ ମାଇଲ ବାଟ ।

ଶିବମନ୍ଦିରରେ ପହଞ୍ଚି ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବକ ସାଙ୍ଗରେ ଆଣିଥିବା ଜଳକୁ ପବିତ୍ର ଜ୍ୟୋତିର୍ଲିଙ୍ଗ ଉପରେ ଢାଳିଛନ୍ତି ଶ୍ରଦ୍ଧାଳୁମାନେ । ସମ୍ପୂର୍ଣ୍ଣ ଶୁଦ୍ଧ ଭାବନାରେ ନିଜର ମାନସିକ ପୂର୍ଣ୍ଣ କରିବାକୁ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ରାଜ୍ୟର ଅସଂଖ୍ୟ କାଉଡ଼ିଆ ।

ଓଡ଼ିଶାର ପ୍ରମୁଖ ଶୈବପୀଠ ଛଡ଼ା ପ୍ରାୟ ସମସ୍ତ ଶିବମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିରହିଛି । ରାଜ୍ୟର ବିଭିନ୍ନ ଶୈବପୀଠ ଯଥା – ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର, ଢେଙ୍କାନାଳ କପିଳାସ ଚନ୍ଦ୍ରଶେଖର, ଭଦ୍ରକ ଆରଡ଼ି ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର, ପୁରୀ ଲୋକନାଥ, ବାଲେଶ୍ୱର ନୀଳଗିରିର ଚନ୍ଦନେଶ୍ୱର, ଶରଣକୂଳର ବାବା ଲଡୁକେଶ୍ୱର ଆଦି ପୀଠ ଗୁଡ଼ିକରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି । ଶୈବପୀଠ ଗୁଡ଼ିକରେ ପହଞ୍ଚିବା ପରେ ବହୁସଂଖ୍ୟାରେ ଭକ୍ତମାନେ ତାଙ୍କର ଆରାଧ୍ୟ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଜଳାଭିଷେକ କରୁଥିବାର ଦେଖାଯାଇଛି ।

ରାଜଧାନୀ ଭୁବନେଶ୍ୱର ଏବଂ କଟକର ରାସ୍ତାଘାଟ କାଉଡ଼ିଆଙ୍କ ଭିଡ଼ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଏଠାରେ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ

ପୋଲିସ ମୂତୟନ ହୋଇଛନ୍ତି । ସେହିପରି କଟକ ଗଡ଼ଗଡ଼ିଆ ଘାଟ ଏବଂ ଶ୍ରୀଧବଳେଶ୍ୱର ମନ୍ଦିରରେ ମଧ୍ୟ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଉଛି । ରାଜ୍ୟରେ ଥିବା ସମସ୍ତ ପ୍ରମୁଖ ଶୈବପୀଠ ଗୁଡ଼ିକରେ କିପରି ଶାନ୍ତି ଶୃଙ୍ଖଳାର ସହିତ କାଉଡ଼ିଆମାନେ ଭିଡ଼ରୁ ରକ୍ଷା ପାଇ ସୁବିଧାରେ ପୂଜାର୍ଚ୍ଚନା କରିବାରିବେ ସେଥିଲାଗି କିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.