Latest Odisha News

BREAKING NEWS

ପୁଣି ଜମାତ-ଏ-ଇସଲାମୀ…ବଢିବ ଭାରତ ଚିନ୍ତା !

ନୂଆଦିଲ୍ଲୀ: ବାଂଲାଦେଶର ମହମ୍ମଦ ୟୁନୁସଙ୍କ ପାକିସ୍ତାନ ପ୍ରେମ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ମାନବତା ବିରୋଧୀ ଅପରାଧ ମାମଲା ଦର୍ଜ କରିଛନ୍ତି ଅନ୍ତରୀଣ ସରକାର । ଏହାସହ ପାକିସ୍ତାନର ସମର୍ଥକ ଜମାତ-ଏ-ଇସଲାମୀକୁ ରାଜନୈତିକ ଦଳ ଭାବେ ପୁଣି ପଂଜୀକରଣ କରିବାକୁ ଅନୁମତି ମିଳିଛି। ୧୯୭୧ ମୁକ୍ତି ଯୁଦ୍ଧରେ ପାକିସ୍ତାନୀ ସେନାକୁ ଖୋଲାଖୋଲି ସମର୍ଥନ କରିବା ସହ ଯୁଦ୍ଧ ଅପରାଧରେ ସଂପୃକ୍ତ ଥିଲା ଜମାତ-ଏ-ଇସଲାମୀ । ସ୍ବାଧୀନତା ପରଠୁ ଲମ୍ବା ସମୟ ଧରି ଏହାକୁ ଦୂରେଇ ରଖା ଯାଇଥିବା ବେଳେ ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ସହ ଏବେ ପୁଣି ମୁଣ୍ଡ ଟେକିବାକୁ ଯାଉଛି ଜମାତ-ଏ-ଇସଲାମୀ । ଯାହା ଭାରତ ପାଇଁ ଚିନ୍ତା ବଢାଇପାରେ ।

ଜମାତ-ଏ-ଇସଲାମୀକୁ ଖୋଲା ସମର୍ଥନ

ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ଇସଲାମିକ କଟ୍ଟରପନ୍ଥୀ ଜମାତ-ଏ-ଇସଲାମୀର ପୁନଃପଂଜୀକରଣ କରିବାକୁ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଭବିଷ୍ୟତରେ ଏହା ନିର୍ବାଚନରେ ଭାଗ ନେବା ପାଇଁ ବାଟ ଖୋଲିଛି । ଜମାତର ପ୍ରମୁଖ ନେତା ଏଟିଏମ୍ ଅଜହରୁଲ ଇସ୍ଲାମଙ୍କୁ ଜେଲରୁ ମୁକ୍ତ କରାଯାଇଛି । ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ଅଜହରୁଲ ଇସ୍ଲାମଙ୍କୁ ଦୁଷ୍କର୍ମ, ହତ୍ୟା ଓ ନରସଂହାର ଅଭିଯୋଗରେ ୨୦୧୪ରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ୧୯୭୧ ମୁକ୍ତି ସଂଗ୍ରାମ ସମୟରେ ପାକିସ୍ତାନୀ ସେନାର ସମର୍ଥନ କରିଥିଲା ଜମାତ । ବର୍ତ୍ତମାନର ବାଂଲାଦେଶ ନାଗରିକଙ୍କ ବିରୋଧରେ ନରସଂହାର ଓ ନିର୍ଯାତନାରେ ପାକ ସେନା ସହ ଜମାତର ଅନେକ ନେତା ସକ୍ରିୟ ଭାବେ ସାମିଲ ହୋଇଥିଲେ । ଜମାତ୍-ଏ-ଇସଲାମୀ ସମର୍ଥିତ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ଗତବର୍ଷ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା ।

ବାଂଲାଦେଶରେ ଆଇଏସଆଇର ବଡ଼ ପ୍ଲାନ୍

ବାଂଲାଦେଶରେ ପୁଣି ନିଜ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ପାକିସ୍ତାନ। ଏଭଳି ସ୍ଥିତିରେ ଜମାତ୍-ଏ-ଇସଲାମୀର ପୁନଃପଞ୍ଜୀକରଣ ଦ୍ବାରା ପାକିସ୍ତାନୀ ସେନା ଓ ଆଇଏସଆଇକୁ ଶକ୍ତି ମିଳିବ । ଜମାତର ପାକିସ୍ତାନକୁ ସମର୍ଥନ ଓ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପାକିସ୍ତାନ ସହ ସଂପର୍କ ବୃଦ୍ଧି ପରସ୍ପର ସହ ମେଳ ଖାଉଛି । ଜମାତ ଦୀର୍ଘ ବର୍ଷ ଧରି ବାଂଲାଦେଶ ନାସନାଲିଷ୍ଟ ପାର୍ଟିର ସହଯୋଗୀ ରହିଛି । ବାଂଲାଦେଶର ସ୍ବାଧୀନତା ପରେ ଜମାତ-ଏ-ଇସଲାମୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ପରେ ବିଏନପିର ଶାସନ ସମୟରେ ଏହାର ସହଯୋଗୀ ଭାବେ ଜମାତ ଆଇଏସଆଇର ଏଜେଣ୍ଡାକୁ ଆଗକୁ ବଢାଇବାକୁ ଉଦ୍ୟମ କରିଥିଲା । ବାଂଲାଦେଶ ମାଟିରେ ଭାରତ ବିଦ୍ରୋହୀଙ୍କୁ ସ୍ଥାନ ଦେବାରେ ମଧ୍ୟ ଏହାର ଭୂମିକା ଥିଲା ।

କାହିଁକି ଭାରତ ପାଇଁ ଚିନ୍ତା?

ବାଂଲାଦେଶ ରାଜନୈତିକ ଦୃଶ୍ୟପଟ୍ଟରେ ପୁଣି ଜମାତ-ଏ-ଇସଲାମୀର ଅଭ୍ୟୁଦୟ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ । ୨୦୦୦ମସିହାରେ ବିଏନପି ଓ ଜମାତ-ଏ-ଇସଲାମୀ ମେଣ୍ଟ ସରକାର ସମୟରେ ଉତ୍ତର-ପୂର୍ବ ରାଜ୍ୟରେ ଭାରତ ବିଦ୍ରୋହୀ ଗୋଷ୍ଠୀଙ୍କୁ ବାଂଲାଦେଶରୁ କାମ କରିବାକୁ ଅନୁମତି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଆଇଏସଆଇଠାରୁ ଜମାତ-ଏ-ଇସଲାମୀକୁ ସମର୍ଥନ ମିଳିବାର ଇତିହାସ ରହିଛି । ଏହାର ଛାତ୍ର ଶାଖା ଇସଲାମୀ ଛାତ୍ର ଶିବିର ବାଂଲାଦେଶରେ ଭାରତ ବିରୋଧୀ ଚିନ୍ତାଧାରର ପ୍ରସାର କରୁଥିବା ଅଭିଯୋଗ ହୋଇଛି । ଜମାତ ପାକିସ୍ତାନୀ ସମର୍ଥିତ ଆଭିମୁଖ୍ୟ ଗ୍ରହଣ କରିବା ସହ ବାଂଲାଦେଶରେ ଇସଲାମିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଦାବି କରେ । ବାଂଲାଦେଶ ରାଜନୀତିରେ ଜମାତ ପୁଣି ଏଣ୍ଟ୍ରି ମାରିବା ସହ ପାକିସ୍ତାନକୁ ଢାକାର ନୀତି ନିର୍ଦ୍ଧାରଣରେ ପ୍ରଭାବ ବିସ୍ତାର କରିବାକୁ ସୁଯୋଗ ମିଳିବ । ଫଳରେ ଏହା ଆତଙ୍କବାଦ ବିରୋଧୀ, ସୀମା ସୁରକ୍ଷା ଓ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ସଂପର୍କ ବିଗାଡିପାରେ ।

Comments are closed.