Latest Odisha News

ଗଣତନ୍ତ୍ରର ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ଗଣତନ୍ତ୍ରର ନୂଆ ଅଧ୍ୟାୟ । ଐତିହାସିକ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଛି । ଧାରା ୩୭୦ ହଟିବା ପରେ ବର୍ତ୍ତମାନ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ପାଇଥିବା ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଉଛି । ୯୦ ଆସନ ବିଶିଷ୍ଟ ବିଧାନସଭାର ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାର ୨୪ ଆସନରେ ହୋଇଛି ମତଦାନ । ୧୯୮୭ ପରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀର ବିଶେଷ କରି କାଶ୍ମୀର ଉପତ୍ୟକାରେ ନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ସେପଟେମ୍ବର ୨୫ରେ ଦ୍ୱିତୀୟ ଓ ଅକ୍ଟୋବର ପହିଲାରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଅକ୍ଟୋବର ୮ରେ ଆସିବ ଫଳାଫଳ । କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଂଟ, ପିଡିପି ଓ ବିଜେପି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ହେଉଛି । ଶେଷଥର ପାଇଁ ଜାମ୍ମୁ ଓ କାଶ୍ମୀରରେ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା ।

 

ପ୍ରଥମ ପର୍ଯ୍ୟାୟ ମତଦାନର ବିଶେଷତ୍ୱ

ଜାମ୍ମୁ ଓ କାଶ୍ମୀରରେ ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ହେଉଛି ବିଧାନସଭା ନିର୍ବାଚନ । କେନ୍ଦ୍ର ଶାସିତ ଅଂଚଳ ଭାବେ ଜାମ୍ମୁ ଓ କାଶ୍ମୀରରେ ନିର୍ବାଚନ ହେଉଛି । ୨୦୧୯ରେ ଧାରା ୩୭୦ ହଟିଲା ପରେ ଜାମ୍ମୁ ଓ କାଶ୍ମୀରକୁ କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ କେନ୍ଦ୍ର ସରକାର । ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟ୍ ପଡିଛି । ୨୪ ଆସନ ମଧ୍ୟରୁ ୧୬ ଜାମ୍ମୁ ଓ ବାକି ୮ ଆସନ କାଶ୍ମୀର ଉପତ୍ୟକାରେ ରହିଛି । ୨୧୯ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଯାଇଛି । ଏଥିମଧ୍ୟରୁ ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୯୦ । ପ୍ରଥମ ପର୍ଯ୍ୟାୟରେ ୨୩ ଲକ୍ଷ ମତଦାତାଙ୍କ ମଧ୍ୟରୁ ୧୮ରୁ ୧୯ ବର୍ଷିୟ ମତଦାତାଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୨୩ ହଜାର । ପ୍ରଥମ ପର୍ଯ୍ୟାୟରେ ମୋଟ ୨୧୯ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୦ ପ୍ରାର୍ଥୀ କୋଟିପତି ।

 

ଆତଙ୍କୀ ଗଡରେ ଭୋଟ୍ ପାଇଁ ଉତ୍ସାହ

ଦିନେ ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା ପୁଲୱାମା, ତ୍ରାଲ୍‌, କିସ୍ତୱାଡ୍ ଓ ସୋପିଆନ ଭଳି ଜିଲ୍ଲାରେ ମତଦାନ ପାଇଁ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବିସ୍ଥାପିତ କାଶ୍ମୀର ପଣ୍ଡିତମାନଙ୍କ ପାଇଁ ମତଦାନର ବିଶେଷ ବ୍ୟବସ୍ଥା କରିଥିଲା ନିର୍ବାଚନ କମିଶନ । ଦିଲ୍ଲୀ, ଜାମ୍ମୁ ଓ ଉଧମପୁରରେ କାଶ୍ମୀରୀ ପଣ୍ଡିତମାନଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ର କରାଯାଇଛି ।

 

ଲୋକସଭା ନିର୍ବାଚନରେ ବି ଥିଲା ଭୋଟରଙ୍କ ଉତ୍ସାହ

ଏ ବର୍ଷ ଲୋକସଭା ନିର୍ବାଚନରେ ଜାମ୍ମୁ ଓ କାଶ୍ମୀରର ୫ ଲୋକସଭା ଆସନରେ ହୋଇଥିଲା ଭୋଟ୍ ଗ୍ରହଣ । ବାରମୂଲ୍ଲା, ଶ୍ରୀନଗର, ଅନନ୍ତନାଗ-ରାଜୌରୀ, ଉଧମପୁର ଓ ଜାମ୍ମୁ ଲୋକସଭା ଆସନରେ ୫ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ ଗ୍ରହଣ । ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପାଖାପାଖି ୬୦ ପ୍ରତିଶତ ମତଦାନ ହୋଇଥିଲା । ଲୋକସଭା ନିର୍ବାଚନରେ ବିଜେପି ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ଦୁଇଟି ଆସନ ହାତେଇଥିଲା ନ୍ୟାସନାଲ କନଫରେନ୍ସ । ଗୋଟିଏ ଆସନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

 

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ

୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେଲା ପରେ ବିରୋଧକୁ ଦୃଷ୍ଟିରେ ରଖି ସତର୍କ ହୋଇଥିଲେ ମୋଦି ସରକାର । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଲକଡାଉନ ଓ କର୍ଫ୍ୟୁ ଲଗାଇଥିଲେ ସରକାର । ବିଭିନ୍ନ ଦଳର ନେତାଙ୍କୁ ଗିରଫ କରାଯାଇଥିଲା । କେତେକଙ୍କୁ ଗୃହବନ୍ଦୀ ଭାବେ ରଖିଥିଲେ ସରକାର । ଧାରା ୩୭୦ ରଦ୍ଦ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା ଏକାଧିକ ପିଟିସନ୍ । ୨୦୨୩ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । କିନ୍ତୁ ଜାମ୍ମୁ ଓ କାଶ୍ମୀରରେ ୨୦୨୪ ସେପଟେମ୍ବର ମଧ୍ୟରେ ବିଧାନସଭା ନିର୍ବାଚନ କରିବା ପାଇଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.