ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟାବହ ବିପର୍ଯ୍ୟୟ ସୃଷ୍ଟି କରିଛି। ମଚୈଲ ମାତା ମନ୍ଦିର ଯାତ୍ରା ପଥରେ ଏହି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦୦ରୁ ଅଧିକ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ଅନେକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଫସି ରହିଛନ୍ତି, ଯାହା ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
କିସ୍ତୱାରର ଚାସୋତି ଗାଁ ନିକଟରେ ହୋଇଥିବା ଏହି ବାଦଲଫଟା ବର୍ଷା ଯୋଗୁ ମାଟିଧସିବା ଘଟଣା ଘଟିଛି। ମଚୈଲ ମାତା ଯାତ୍ରା ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଏକ ଲଙ୍ଗର ପ୍ରବଳ ବନ୍ୟାରେ ଭାସି ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ୧୫ ଜଣ ସିଆଇଏସଏଫ ଯବାନଙ୍କ ସମେତ ଶତାଧିକ ଲୋକ ନିଖୋଜ ଅଛନ୍ତି। ପ୍ରାୟ ୨୮ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ, ସେନା ଏବଂ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିନ୍ତୁ, କଠିନ ଭୂପୃଷ୍ଠ ଏବଂ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ଦେଖାଦେଇଛି। ରାସ୍ତା ଧୋଇ ଯିବା ଯୋଗୁ ଶହ ଶହ ଯାତ୍ରୀ ଏବଂ ଯାନବାହାନ ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ଅନେକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଏବେ ବି ଫସି ରହିଥିବା ଜଣାପଡ଼ିଛି।
ଏନେଇ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନ ଘଟଣା ଉପରେ ନଜର ରଖିଛି ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ସ୍ଥାନୀୟ ବିଧାୟକ ସୁନୀଲ କୁମାର ଶର୍ମା ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ଏହି ବାଦଲଫଟା ବର୍ଷା ଯୋଗୁ କିସ୍ତୱାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିଛି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଛି। ଏହି ଘଟଣା ପ୍ରାକୃତିକ ବିପର୍ଯ୍ୟୟରେ ଅଞ୍ଚଳର ଦୁର୍ବଳତାକୁ ପୁନର୍ବାର ଉଜାଗର କରିଛି। ପ୍ରଶାସନ ଏବେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସମସ୍ତ ସମ୍ବଳ ନିୟୋଜନ କରୁଛି। ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହି ଘଟଣା ପରେ ଅଞ୍ଚଳରେ ପୁନର୍ବାସନ ଏବଂ ପୁନର୍ନିର୍ମାଣ କାର୍ଯ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆକଳନ କରାଯାଉଛି। ଏହା ସହିତ, ପ୍ର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ବଢ଼ିଛି।
Comments are closed.