Latest Odisha News

BREAKING NEWS

ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର: ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ପାକିସ୍ତାନ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ଏବଂ ସେମାନଙ୍କ ଯନ୍ତ୍ରଣା ସହଭାଗୀ ହେବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ନିଶ୍ଚିତ ଭାବରେ କୌଣସି କ୍ଷତିପୂରଣ କେବେବି ଜଣେ ପ୍ରିୟଜନଙ୍କୁ ବଦଳାଇପାରିବ ନାହିଁ କିମ୍ବା ପରିବାର ଦ୍ୱାରା ହୋଇଥିବା ଆଘାତକୁ ପୂରଣ କରିପାରିବ ନାହିଁ। ଏହି ପ୍ରଭାବିତ ପରିବାରଗୁଡ଼ିକ ପ୍ରତି ସମବେଦନା ଏବଂ ଏକତା ପ୍ରକାଶ କରିବା ପାଇଁ, ସମସ୍ତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଥାଉ କି ପାକିସ୍ତାନ ପଟୁ ଆକ୍ରମଣରେ ଗତ ବୁଧବାର ପୁଞ୍ଚ ଅଞ୍ଚଳରେ ୧୨ଜଣ ସାଧାରଣ ନାଗରିକଙ୍କ ପ୍ରାଣ ଯାଇଥିବା ବେଳେ ଶୁକ୍ରବାର ଉରୀ ଓ ପୁଞ୍ଚରେ ୨ଜଣଙ୍କ ଜୀବନ ଯାଇଥିଲା। ଶନିବାର ପୂର୍ବାହ୍ଣରେ ଆଉ ୬ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ପାକିସ୍ତାନ ପଟୁ ଗୁଳିଗୋଳା ମାଡ଼ରେ ନିରୀହ ବ୍ୟକ୍ତି ପ୍ରାଣ ହରାଇଥିବା ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏଥିସହ ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

Comments are closed.