ଜନ୍ମଦିନ
ମୌସୁମୀ ଦାସ
କ୍ରମଶଃ ସରିସରି ଯାଉଥିବା
ଜୀବନ,
ସେର ମାଣ ହିସାବର
କୋହ, ଲୁହ, ଉପେକ୍ଷା
ହାରଜିତର ଚଟା ଖେଳ
ଦୁଃସମୟର କୁହୁଡ଼ି
ଅସହାୟ ଅବସୋସ ।
ପୁଣି ସରିଗଲା ଆଉ ଏକ ବର୍ଷ
ତିନିଶହ ପଞ୍ଚଷଠି ଦିନ
ତିନିଶହ ପଞ୍ଚଷଠି ରାତି
ଝରିଗଲା ଆୟୁଷର ଝରାବାଲି
ମୁଠାବନ୍ଦ ପାପୁଲିରୁ।
ସନ୍ତର୍ପଣରେ ସାଇତିଥିବା କଜଳ
ବୋହିଗଲା ଅଜାଣତେ
ଝରାଲୁହବୁନ୍ଦା ସହ,
ଆହୁରି ଯତ୍ନରେ ଖଞ୍ଜିଥିବା
ହସ ବି, ଚୁପଚାପ୍ ଲୁଚିଗଲା
ଉହାଡ଼ରେ, ପୌଷର କୁହେଳିରେ।
ଡିସେମ୍ବରର ଶେଷ ରାତିରେ
ତୁମେ କହିଲ,
ଶେଷ ପରେ ପୁଣି ଆରମ୍ଭ
ପୁଣି ତିନିଶହ ପଞ୍ଚଷଠି ସ୍ଵପ୍ନଙ୍କ ରାତି
ପୁଣିଥରେ ବିଶ୍ଵାସର ଚାରା ରୋପିବାର ସକାଳ
ଜୀବନ ବହମାନ…
ଶେଷ ତାରାର ଆୟୁଷ ସରିବା ଯାଏ
ଅବସୋସର ଅନ୍ଧାର ଚିରି,
ଅସହାୟତାର କୁହୁଡି ଭେଦି,
ଜାନୁଆରୀର ପ୍ରଥମ କିରଣ ସହ
ହସୁଥିବ ଜୀବନ ।
Comments are closed.