Latest Odisha News

BREAKING NEWS

ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ରାଜ୍ୟର କୋଣ ଅନୁକୋଣ

ଯାଜପୁର: ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଉତ୍ସବ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଜନ୍ମ ନେବେ ଶ୍ରୀକୃଷ୍ଣ ଭଗବାନ । ଏନେଇ ସବୁଠି ଉତ୍ସାହ ଉଲ୍ଲାସ । କୃଷ୍ଣ ପ୍ରେମରେ ଭିଜିଛନ୍ତି ଭକ୍ତ । ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି ସହ ଚାଲିଛି ପୂଜାର୍ଚ୍ଚନା । ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶକ କରିବା ସହିତ ଆଶିଷଲାଭ କରିଛନ୍ତି ଶ୍ରଦ୍ଧାଳୁ ।

ଯାଜପୁରର ବିଭିନ୍ନ ମନ୍ଦିରରେ ଆଜି ପବିତ୍ର ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଯାଜପୁର ସହରର ଯୋଡିକୂଅ ନିକଟସ୍ଥ ମଣିକିରିଢ଼ିହରେ ଥିବା ରାଧାକୃଷ୍ଣ ମନ୍ଦିରରେ  ଆଜି ପ୍ରତ୍ୟୁଷରୁ ଶ୍ରୀ କୃଷ୍ଣଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି । ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗ ଦେଇ ରାଧାକୃଷ୍ଣ ପ୍ରତିମୂର୍ତ୍ତିଙ୍କୁ ସୁସଜ୍ଜିତ କରିବା ସହ ଶ୍ରୀ କୃଷ୍ଣଙ୍କୁ ପୂଜା ଆରାଧନା କରିଥିଲେ । ମନ୍ଦିର ପରିସରରେ ଭଜନ ସଂକୀର୍ତ୍ତନ ସହ ଶଙ୍ଖ ଧ୍ୱନିରେ ଗଗନ ପବନ ମୁଖରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟ ସଞ୍ଜୟ କୁମାର ସିଂ, ଜଗନ୍ନାଥ ଦାସ ଓ ଆନନ୍ଦ ଚନ୍ଦ୍ର ସାହୁ ପ୍ରମୁଖଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାହିତ ହୋଇଥିଲା ବେଳେ ମଧ୍ୟାହ୍ନରେ ସମସ୍ତ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

ସେହିପରି ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ପକ୍ଷରୁ ଲାଖବିନ୍ଧା ସ୍ଥିତ ଇସ୍କନ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ରୀତିନୀତି ସହ ମଙ୍ଗଳ ଆଳତୀ, ଦର୍ଶନ, ନାମ ସଂକୀର୍ତନ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଶ୍ରୀ କୃଷ୍ଣଙ୍କୁ ପ୍ରାର୍ଥନା କରିବା ସହ ନୈବିଦ୍ୟ ଅର୍ପଣ କରିଥିଲେ । ଅପରାହ୍ନରେ ଶ୍ରୀକୃଷ୍ଣଙ୍କ ଗୁଣ କୀର୍ତନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ମହାଭିଷେକ କରାଯିବା ସହିତ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱାମୀଜୀ ହରିବଲ୍ଲଭ ଦାସ ଓ ତାଙ୍କର ସହ କର୍ମୀ ମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.