ଲୋପାମୁଦ୍ରା ପରିଡାଙ୍କ ଦିବ୍ୟ ଅନୁଭୂତି
ମହାବାହୁ ନିଜର ଜନ୍ମ ଲୀଳା ପରେ ପରେ ବାଳ ଲୀଳା ମଧ୍ୟ କରିଥାନ୍ତି ଶ୍ରୀମନ୍ଦିରର ସିଂହଦ୍ବାର , ଜଗମୋହନ,ବାଇଶି ପାବଛ୍ଛ, ପାଟ ଅଗଣାରେ । ସଭିଙ୍କୁ ଆନନ୍ଦ ଦିଏ ଯେ ସେ ନନ୍ଦ ଓ ସଭିଁଙ୍କୁ ଜଶ ଦାନ କରେ ଯେ ସେ ଜଶୋଦା ଆହା ସତେ କେଡେ ଭାଗ୍ୟବନ୍ତୀ। ନିତ୍ଯ ବୃନ୍ଦାବନ ଶଙ୍ଖ କ୍ଷେତ୍ର ଆଜି ଗୋପପୁରରେ ରୂପାନ୍ତରିତ । ଏଇ ତ ଲୀଳା ।ସମସ୍ତେ ଗୋପା, ଗୋପୀ । ପ୍ରେମେ ପୁଲକିତ, ଇନ୍ଦିୟାତିତ ଆନନ୍ଦ ମହ ମହ ବିଛ୍ଛୁରିତ ରସିକ ନାଗର ନଟବରଙ୍କର ପଦ ରେଣୁ ସ୍ପର୍ଶରେ । ଧନ୍ଯ ଧନ୍ଯ ସେ ମାଟି ,ଜଳ, ସମୀର, ଧନ୍ଯ ସେ ଚକ୍ଷୁ, ଧନ୍ଯ ସେଇ ସବୁ କିଛି ଯିଏ ଲଭିଛି ମହାର୍ଘ୍ଯ ସାନିଧ୍ଯ । ବ୍ରଜନଗରୀ ନିମଜ୍ଜିତ ଆଜି ,ବିଭୋର ଆଜି, ବିମୁଗ୍ଧ, ଆଜି ।
ସେଦିନ ମୁଁ ମୋ ବୋଉ ସାଥିରେ ବାଇଶି ପାହାଚେ ଦର୍ଶନ ଓ ବେଢା ସାରି ଆସି ବସିଛି, ବୋଉ କହିଲା ଦେଖିଲୁ ଦେଖିଲୁ ସେଠି କିଏ ! କହିକି ସିଏ ହସୁଥାଏ । ସେ ପିଲା ବେଳୁ ଦେଖୁଛି ନା । ଅଜା ମୋର ଦେଉଳିଆ ଲୋକ, ଦେଉଳ ସାଙ୍ଗେ ତାଙ୍କର ସିଧା ସମ୍ପର୍କ ।ଦେଉଳ ଯୋଗେ ପୁରୀ ସହରର ଅଧାରୁ ଅଧିକ ଲୋକଙ୍କର ପେଟ ପାଟଣା ଚଳେ, ଚୁଲି ଜଳେ, କାଳିଆ ଭରସା, ଲକ୍ଷ୍ମୀ ସାଆନ୍ତାଣୀ ସାହା ।ଆମ ପୁରୀ ଲୋକେ ଦେଉଳଦର୍ଶନ ପାଇଁ ମଙ୍ଗଳା ଆଳତୀ ବେଳେ ନ ହେଲେ ଏକାଥରେ ବଡସିଂହାର ବେଳକୁ ଯାନ୍ତି ।
ଦେଖୁଛି ସିଂହଦ୍ବାର ଗୁମୁଟ ପାଖରୁ ସ୍ବୟଂ କୃଷ୍ଣ ବଳରାମ ଦୁଇ ଭାଇ ବାଇଶି ପାହାଚ ଉପରକୁ ଚଢିଆସୁଛନ୍ତି ଡଗ ଡଗ କରି ପାହୁଣ୍ଡ ପକେଇ, ମୁଁ ନିଜକୁ ପରତେ ଗଲିନି । କହିଲି “ବୋଉ ମତେ କଣ ଲଲ୍ଲା ଆଉ ବଳରାମ ଆସିଲା ପରି ଦିଶୁଛି ଲ । ସିଏ କିଛି ନ କହି ଖାଲି ହସୁଛି । ଦେଖୁ ଦେଖୁ ଦୁହେଁ ଆମେ ବସିଥିବା ପାହାଚଠି ,ଆପେ ମୋ ହାତ ଯାଇ ପାଦ ସ୍ପର୍ଶ କଲା ଦୁହିଁଙ୍କର । ଅମୃତ ବେଳାରେ ଅମୃତ ଅମୃତ ହେଇଗଲି ।ବିଶ୍ବାସ ଗଲାନି । ବୋଉ କହିଲା ଯା ଦେଖି ଆସ , ମୁଁ ଏକା ନିଃଶ୍ବାକକେ ଦଉଡିଛି ତାଙ୍କ ପଛେ ପଛେ । ସିଏ ସେତେବେଳକୁ ଝଅଟ ଚାଲିରେ ଯାଇ ମୁଖ୍ଯ ଗର୍ଭଗୃହ ଜଗମୋହନରେ ହେଲେଣି । ମୋ ପଛେ ପଛେ ବୋଉ । ଆଖିକୁ ବିଶ୍ବାସ ହେଲାନି । ମତେ ଲାଗୁଥାଏ ସତେ ମୁଁ ଏକା ଦେଖୁଛି ନା ସମସ୍ତେ ବି ପାରୁଛନ୍ତି ! ଦେଖୁଛି ସମସ୍ତେ ମୁଗ୍ଧ ,ସମସ୍ତେ ଏକ ମୁଖୀ ,ସମସ୍ତେ ଅପୂର୍ବ ଅପୂର୍ବ ସେ ଲୀଳା ଦର୍ଶନେ। ସବୁ ଚର୍ମ ଚକ୍ଷୁ ଭକ୍ତି ଲୁହରେ ପ୍ଲାବିତ । ପ୍ରଳମ୍ଭା ପ୍ରକାଣ୍ଡ ଅସୁର ରୂପେ ସଜ୍ଜିତ ସେବାୟତ ମଲ୍ଲବୀର ଲଢୁଥାନ୍ତି ବାଳକ କୋମଳ ତନୁ ବଳରାମ କୃଷ୍ଣ ସଙ୍ଗେ ଆଉ ବଧ ହୁଏ କାୟା ବିସ୍ତାରିତ ବଳଶାଳୀ ଅସୁର ଟିର ।
ଲୀଳା ଖେଳା ସାରି ଫେରି ଆନନ୍ଦ ବଜାର ଦେଇ ଫେରୁଛୁ , ମୁଁ କହିଲି ବୋଉ କଣ ଟିକେ ଚାଲୁନୁ ଖାଇବା ।ସେତବେଳକୁ ରାତି ବାର ପରେ । ଏବେ ପରି ଏତେ କଡା ନିୟମ , ଭିଡ ଆଦି କିଛି ନଥାଏ ସେବେ । ଆନନ୍ଦ ବଜାର ଅଧାରୁ ବେଶୀ ଦୋକାନ ଦିଆ ହେଇଗଲେଣି, ମୁଁ ସବୁ ଦୋକାନକୁ ଚାହିଁ ଚାହିଁ ଆସୁଥାଏ । ଆଉ ବାକି ଦୋକାନୀ ମାନେ ତାଲା ଦଉଥାନ୍ତି । ବୋଉ କହିଲା ମା'( ଲକ୍ଷ୍ମୀ ମା ) କୁ କହ । ବୋଉ ଜାଣିଛି ମୋ ମନଟି କଣ ଖୋଜୁଛି । ମୁଁ ହସିଦେଲି ଆଉ ଭାବିଲି ହଉ କାଲିକି ଅଜା କି ବାପାଙ୍କ ସାଙ୍ଗରେ ଆସେ ମୋ ମନ ପସନ୍ଦର ଚଢେଇନଦା ଆଉ ମଗଜଲଡୁ ନେବି । ଆନନ୍ଦ ବଜାର ଆଲୁଅ ସବୁ ବି ଲିଭିଲେଣି ।
ଆମେ ଆନନ୍ଦ ବଜାର ସିଂହ ଠି ହେଇଛୁ । ହଠାତ୍ ସେ ଅନ୍ଧାର ଭିତରୁ କିଏ ଜଣେ ଆବିର୍ଭୂତ ହେଲାପରି ପଛରୁ ଡାକିଲେ, ଏ ମା ଏଇ ନିଅ ଧର ଏଇଟା, କଥା ନସରୁ ମୋ ହାତରେ ଖାଣ୍ତି( ଅଭଢା ବାଇହାଣ୍ଡିର ଭଙ୍ଗା ବଡ ଖଣ୍ଡେ ପାତ୍ର ପରି ) ଟି ଧରେଇ ଦେଇ ବାଇଶି ପାହାଚେ ସର୍ ସର୍ କି ଓଲ୍ହାଇ ଅଦୃଶ୍ୟ ହେଇଗଲେ । ତା ରି ଭିତରେ ବୋଉ ତାଙ୍କ ହାତକୁ ନାଲିଆ ନୋଟ( ୨୦ଟଙ୍କା ) ଖଣ୍ଡ ବଢେଇ ଦବାର ଦେଖିଲି । ଏବେ ବି ରୁମ ଟାଙ୍କୁରି ଯାଏ ଭାବିଦେଲେ ସେ କଥା । ଗଦ୍ ଗଦ୍ ଭାବ ।
ଆମେ ମା ଝିଅ ଦିହେଁ ବାଇଶି ପାହାଚର ପୁରା ଉପର ପାହାଚରେ ବସିପଡିଲୁ । ବୋଉ କହିଲା, ଖା । ନ ଦେଖିଲେ ବିଶ୍ବାସ କରିବେନି ସେ ଖାଣ୍ଡି ନୁହେଁ ତ ଅମୃତ ମଣୋହୀ ହାଣ୍ଡି ଥିଲା, ବିଭିନ୍ନ ପ୍ରକାର ପରେ ପ୍ରକାର ପରେ ପ୍ରକାର ବାହାରୁଥିଲା ମୁଁ ଖାଉଥିଲି ବିଭୋର ହୋଇ ଆଉ ମୋ ବୋଉ ସବୁର ନାଁ କହି କହି ଚାଲିଥିଲା ଖଇରଚୂଳ, ମୁଠିଗଜା, ପାରିଜାତକ, ଶାକର, ସର , ମାଠପୁଳି, ଖଜାପଣସ, ସରପୁଳି, ଘିଅ ଅନ୍ନ, କାନିକା, ନାଡି, ବେସର, ଖିରା, ଶାଗଭଜା, ଏମିତି ଏମିତି ସବୁ। । ଆଉ ଜାଣିଲା ପରି ମୋର ପ୍ରିୟ ଡାଲମା ଆଉ ଆଉ ଅଦାହେଙ୍ଗୁ ଖେଚଡି । ଘରକୁ ବି ବଳେଇକି ନେଲୁ , ଆଉ ଘରେ ବି ସମସ୍ତେ ପାଇଲେ, ମୋ ମଗଜ ଲଡୁ ଟି ବି ପାଇଲି ।
ଚାରିଯୁଗକୁ ତୃପ୍ତ ହେଲା ପରି ଅନୁଭୂତି । ଏମିତି ଠାକୁର ଦେଖିଛ କାହିଁ, ମନ ଜାଣି ଦିଏ ତୃପ୍ତେ ଭୁଞାଇ ।
Comments are closed.