ଟୋକିଓ : ଜାପାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିବା ଜଣାଯାଇଛି । ଭୂମିକମ୍ପରେ୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଭୂକମ୍ପ ସୋମବାର ସ୍ଥାନୀୟ ସମୟ ସନ୍ଧ୍ୟା ୪ଟା ୧୦ ମିନିଟରେ ହୋଇଛି । ଜାପାନର ଇଶିକାବା ପ୍ରାନ୍ତର ନୋଟୋ ପ୍ରାୟଦ୍ୱୀପରେ ୧୦ କିମି ଗଭୀରତାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।
ଏହାର ପ୍ରଭାବରେ ବଡ ବଡ କୋଠାଘର ଭୁଶୁଡି ପଡିଥିବାବେଳେ ରାସ୍ତାରେ ବିରାଟ ଫାଟମାନ ଦେଖିବାକୁ ମିଳିଛି । ସୁନାମୀ ଚେତାବନୀ ଦିଆଯାଇଛି। ଜାପାନର ଉପକୂଳ ଇଲାକାରେ ରହୁଥିବା ଲୋକଙ୍କୁ ସେହି ସ୍ଥାନ ଛାଡି ଚାଲି ଯିବାକୁ କୁହାଯାଇଛି । ଭୂକମ୍ପ ସହ ମଧ୍ୟ ଜାପାନର ବାଜିମା ସହରରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ପରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାରେ ୧୦୦ରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାଯାଇଛି । ଏହି ଖବର ଏନଏଚକେ ୱର୍ଲ୍ଡ ପକ୍ଷରୁ ଦିଆଯାଇଛି ।
ପରମାଣୁ ପ୍ରାଧିକରଣ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଇଶିକାବା ପ୍ରାନ୍ତରେ ଶିକା ନ୍ୟୁକ୍ଲିୟର ପାୱାରରେ ଏକ ବିସ୍ଫୋରଣ ହୋଇଥିଲା ଏବଂ ଜଳିବାର ଗନ୍ଧ ଆସିଥିଲା । ଟ୍ରାନ୍ସଫର୍ମର ଫେଲ ହୋଇଥିବା ଅନୁମାନ କରାଯାଉଥିଲା । ଯାହା ବି ହେଉ, ଏହି ବିସ୍ଫୋରଣ ପରେ ଭୂକମ୍ପ ପ୍ରଭାବିତ ଇଲାକାରେ ମୋବାଇଲ ସେବା ପ୍ରଭାବିତ ହୋଇଛି ।
ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାମ ଜାରି ରହିଛି । ସୁନାମୀ ବିପଦ ରହିଥିବାରୁ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଜରୁରୀକାଳୀନ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ଏକ ବୟାନ ଜାରି କରି କହିଛନ୍ତି, ନୂଆବର୍ଷର ପ୍ରଥମ ଦିନରେ ମଧ୍ୟ ଜାପାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇ ଯାଇଛି । ଏହାଦ୍ୱାରା ବ୍ୟାପକ କ୍ଷତି ହୋଇଛି । ଅନେକ ଲୋକ ମୃତାହତ ହୋଇଛନ୍ତି । ବଡ ବଡ ଅଟ୍ଟାଳିକା ଭୂୂଷୁଡି ପଡିବା ସହ ନିଆଁ ଲାଗି ପ୍ରଭୂତ କ୍ଷତି ହୋଇଛି । ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Comments are closed.