ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସରଳ, ସ୍ପଷ୍ଟ ଭାଷା ବ୍ୟାପେ
ଏହା ହୁଏନି ଆପେ ଆପେ
ଭାଷୀଏ ହୋଇଲେ ସଚେଷ୍ଟ
ଭାଷାଟେ ହୁଏନାହିଁ ନଷ୍ଟ
ବଦଳିଗଲେ ଲୋକାଭ୍ୟାସ
ଘଟଇ ଭାଷାର ବିକାଶ
ପରଂପରାରେ ଦେଲେ ଛଂଦି
ପ୍ରଗତିପଥ ହୁଏ ରୁଂଧି
ଯେଉଁ ଭାଷାର ଜନଗଣ
କରଂତି କର୍ତବ୍ୟ ପାଳନ
ତାଂକର ଭାଷାର ମହତ୍ତ୍ବ
ସଂସାରେ ହୁଅଇ ସ୍ବୀକୃତ
ଭାଷୀଏ ହେଲେ ଉଦାସୀନ
ଭାଷାର ଦୀପ୍ତି ହୁଏ ମ୍ଳାନ
ଏହା ତ ସାଧାରଣ ଜ୍ଞାନ
ବୁଝଂତିନାହିଁ ବିଜ୍ଞ ଜନ
କିଛି ବି ନ ବୁଝି ନ ଜାଣି
କେବଳ ମାରିଲେ ଫୁଟାଣି
ହୁଏ ଭାଷାର ସର୍ବହାନି
ଏ ନୁହେ କଳ୍ପିତ କାହାଣୀ
ଅଯଥା କରି ବେଶି ଯୁକ୍ତି
ସାରିଦେଇନି ଅଂତର୍ଶକ୍ତି
ତେଣୁ ମୋ ଭାଷା ଅନୁରକ୍ତି
ଦେଇଚାଲିଛି ମୋତେ ତୃପ୍ତି
ଯାହା ବି ମୋର ନିଜ ମତ
ମୁଁ ରହେଁ ତାହାର ସହିତ
ହେଉଛିଁ ନିତି ଉପକୃତ
ଏହା ମୋ ବ୍ୟକ୍ତିଗତ ସତ
ଅନ୍ୟ କଥାକୁ ଦେଲେ କାନ
ବିଭ୍ରାଂତ ହୁଏ ଯେଣୁ ମନ
ନିଜ ମନକୁ ସ୍ଥିର ରଖି
ମନୋଭାବ ମୁଁ ଦିଏଁ ଲେଖି
ଗ୍ରହଣ ଅବା ପ୍ରତ୍ୟାଖ୍ୟାନ
ଅଟେ ଲୋକଂକ ଇଚ୍ଛାଧୀନ
ଏଠାର ଜନସାଧାରଣ
ମୋ ପାଇଁ ନରନାରାୟଣ
କରୁଛିଁ ଲୋକେଶ୍ବର ସେବା
ମିଳିଲେ ସମୟ କଦବା
ଏହି ଢଂଗରେ ଅଛିଁ ଜିଇଁ
ଦିନେ ବିଲୁପ୍ତ ହେବା ପାଇଁ
ପୂଜକ ହେଲେ ପୂଜନୀୟ
ପ୍ରଭୁଂକ ମାନ ହୁଏ କ୍ଷୟ
ଭକ୍ତଂକଠାରୁ ନେଇ ଧନ
ପୂଜକ ସଂଗତି ସଂପନ୍ନ
ହେବାର ଅନେକ ଦୃଷ୍ଟାଂତ
ସମାଜେ ଅଟେ ସୁବିଦିତ
ଏ ସତ୍ୟ ଅନେକଂକୁ ଜଣା
ଅଲୋଡ଼ା ବେଶି ଗବେଷଣା
ଏଠି ନିରୀହ ଭକ୍ତବୃଂଦ
ଅଳ୍ପକେ ପାଆଂତି ଆନଂଦ
ପଚାରି ଜାଣଂତିନି ପ୍ରଶ୍ନ
ଏହା ଧର୍ମକୁ ଅପମାନ
ଅନ୍ୟ ଦ୍ବାରା ପ୍ରଣୀତ ନୀତି
ପ୍ରତି ଭକ୍ତଂକ ଅତି ପ୍ରୀତି
ଯୋଗୁଁ ଘଟୁଛି ଏଠି ଯାହା
ତାହା ତ ନୁହେ ଧର୍ମରାହା
କେହି ତ ଆଲୋଚନା ପାଇଁ
ଏଯାଏଁ ରାଜି ହେଲେନାହିଁ
ଭାବିଲେ ସରିବ ସମୟ
କାମରେ ଲାଗିବନି ଲୟ
ତୁଛାକୁ କଲେ ବେଶି ଯୁକ୍ତି
କମେ ମନର ଅଂତର୍ଶକ୍ତି
ସଂଭାଳି ରଖି ଅନୁରକ୍ତି
ହୋଇବା ସର୍ବୋତ୍ତମ ବ୍ୟକ୍ତି
ବିଗ୍ରହ କେବଳ ପ୍ରତୀକ
ବୁଝଂତିନାହିଁ ବହୁ ଲୋକ
ଯାହାଂକୁ କରଂତି ଦର୍ଶନ
ସିଏ ଅଟଂତି ଗୋଟେ ଚିହ୍ନ
ଜାଗ୍ରତ ହେଲେ ଅଂତର୍ଭକ୍ତି
ପ୍ରଭୁ ତ ସବୁଠି ଦିଶଂତି
ମନରୁ ହଟାଇଲେ ଭ୍ରାଂତି
ଚିତ୍ତକୁ ମିଳେ ସ୍ଥିର ଶାଂତି