Latest Odisha News

BREAKING NEWS

ଆମେରିକା, କାନାଡା ପରେ ଏବେ ଜାପାନର ଖୁଲାସା; ୩ ବର୍ଷରେ ୩ ଗୁଇନ୍ଦା ବେଲୁନ ଛାଡିଛି ଚୀନ !

ଟୋକିଓ: ପ୍ରଥମେ ଆମେରିକା ପରେ କାନାଡ଼ା ଆଉ ଏବେ ଜାପାନର ଖୁଲାସା। ଜାପାନ ଆକାଶ ସୀମାରେ ବି ଉଡିଛି ସନ୍ଦିଗ୍ଧ ଉଡ଼ନ୍ତାବିମାନ। ମଙ୍ଗଳବାର ଜାପାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇ। ସନ୍ଦିଗ୍ଧ ଉଡ଼ନ୍ତାବିମାନ ଚୀନର ଗୁଇନ୍ଦା ବେଲୁନ ବୋଲି ଜାପାନ ଅନୁମାନ କରିଛି।

୨୦୧୯ ଠାରୁ ଏପର୍ଯ୍ୟନ୍ତ ଏଭଳି ୩ଟି ବେଲୁନ ଜାପାନ ଆକାଶରେ ଦେଖାଗଲାଣି। ଏଗୁଡିକ ସବୁ ଚୀନର ଗୁଇନ୍ଦା ବେଲୁନ ହୋଇପାରେ ବୋଲି ଜାପାନ ପ୍ରତିରକ୍ଷାମନ୍ତ୍ରାଳୟ କହିଛି। ରୟଟର୍ସକୁ ପ୍ରତିକ୍ରିୟା ଦେଇ ଏଭଳି କହିଛି ଜାପାନ। ୨୦୧୯,୨୦୨୦ ଓ ୨୦୨୧ରେ ଏଭଳି ବେଲୁନ ଦେଖାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି।

ଏହି ଘଟଣାରେ ଜାପାନ ଚୀନକୁ ତଲବ କରିଥିଲା। ମାମଲାରେ ଚୀନ ତୁରନ୍ତ ତଥ୍ୟ ଦେଉ। ଏବଂ ଏପରି ଯେମିତି ପୁନର୍ବାର ନ ହୁଏ ସେନେଇ ସତର୍କ ରହୁ ବୋଲି ଜାପାନ କହିଥିଲା।

ସୂଚନା ଥାଉକି ଗତ ସପ୍ତାହ ରବିବାର ଆମେରିକା ଆକାଶରେ ମଧ୍ୟ ଏଭଳି ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଥିଲା। ଏହା ଉତ୍ତରଆମେରିକା କାରୋଲିନ ଉପକୂଳରେ ଉଡ଼ି ବୁଲୁଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡନ୍‌ଙ୍କ ନିର୍ଦ୍ଦେଶରେ ମିସାଇଲ୍ ମାଡ଼ କରି ଏହାକୁ ଖସାଇ ଦିଆଯାଇଥିଲା।

ଯାହାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଚୀନ କହିଥିଲା ଯେ ଏହି ବେଲୁନ ଟି ପାଣିପାଗ ଯାଞ୍ଚ ପାଇଁ ଉଡ଼ୁଥିଲା। ଆମେରିକା ଏହାକୁ ଆଟାକ୍ କରି ଠିକ୍ କରିନି। ତେଣୁ ଏହାର ଜବାବ ଦେବା ଚୀନର ଅଧିକାର। ଅନ୍ୟପଟେ କିଛିଦିନ ପରେ ଚୀନ ମଧ୍ୟ ଆମେରିକା ଉପରେ ସ୍ପାଏ ବେଲୁନ ଉଡ଼ାଇବା ଅଭିଯୋଗ ଆଣିଥିବା ବେଳେ ଆମେରିକା ଏହାକୁ ଖଣ୍ଡନ କରିଥିଲା। ପୁଣି କାନାଡ଼ା ସୀମାରେ ମଧ୍ୟ ଉଡ଼ୁଥିବା ଏକ ଉଡ଼ନ୍ତା ବିମାନକୁ ମିସାଇଲ୍ ମାଡ଼ କରି ଖସାଇଥିଲା ଆମେରିକା।

 

Leave A Reply

Your email address will not be published.