Latest Odisha News

BREAKING NEWS

ଯାଆଁଳା ଭଉଣୀଙ୍କ ଉଚ୍ଚତା ଭିନ୍ନ, କଲେ ବିଶ୍ୱ ରେକର୍ଡ଼

ସାଧାରଣତଃ ଯାଆଁଳା ବା ଯମଜ ସନ୍ତାନଙ୍କ ମଧ୍ୟରେ ବହୁ ସାମଞ୍ଜସ୍ୟ ଥାଏ । କେବେବେଳେ ଉଭୟଙ୍କର ଚେହେରା ଏକାଭଳି ହୋଇଥାଏ ତ ଆଉ କେତେବେଳେ ଖାଦ୍ୟଶୈଳୀ, କଥା କହିବା ଶୈଳୀ ତଥା ପସନ୍ଦ ନା ପସନ୍ଦରେ ବହୁତ ମେଳ ଥାଏ । ଏହା ସୃଷ୍ଟିର ନିୟମ । ତେବେ ଦୁଇ ଯାଆଁଳା ଭଉଣୀ ଉଚ୍ଚତା କାରଣରୁ ଏବେ ଚର୍ଚ୍ଚାକୁ ଆସିଛନ୍ତି । କାରଣ ଉଚ୍ଚତା ଆଧାରରେ ସେମାନେ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ଜାପାନରେ ଯାଆଁଳା ୨ ଭଉଣୀକୁ ନେଇ ଏବେ ସାରା ବିଶ୍ୱରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚାର କାରଣ ହେଲା ଉଭୟଙ୍କ ଭିତରେ ଉଚ୍ଚତାର ତାରତମ୍ୟ । ଚିକିତ୍ସାବିତ୍‌ଙ୍କ ମତରେ କୌଣସି ଯାଆଁଳା ସନ୍ତାନ ଜନ୍ମ ନେବା ପରେ ଉଭୟଙ୍କ ଭିତରେ ଭିନ୍ନ ଭିନ୍ନ କ୍ଷେତ୍ରରେ ବହୁ ସାମଞ୍ଜସ୍ୟ ନଜରକୁ ଆସେ । କିନ୍ତୁ ଏହି ଦୁଇଭଉଣୀଙ୍କ କ୍ଷେତ୍ରରେ କିଛି ମାତ୍ରାରେ ଚେହେରାରେ ସାମଞ୍ଜସ୍ୟ ଥିଲେ ମଧ୍ୟ ସେମାନଙ୍କ ଉଚ୍ଚତା ସମ୍ପୂର୍ଣ୍ଣ ଭିନ୍ନ । ଦୁହିଙ୍କର ଉଚ୍ଚତା ଆଧାରରେ ଅସମାନତା କାରଣରୁ ସେମାନେ ଏବେ ଗିନିଜ୍ ୱାର୍ଲଡ ରେକର୍ଡ ହାସଲ କରିଛନ୍ତି ।

ନିକଟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କର୍ତ୍ତୃପକ୍ଷ ନିଜର ଟୁଇଟର ପେଜ୍‌ରେ ଏନେଇ ଏକ ଭିଡିଓ ଜାରି କରିଛନ୍ତି । ଭିଡ଼ିଓ ଅନୁସାରେ ଏହି ଦୁଇ ଯାଆଁଳା ଭଉଣୀଙ୍କ ନାମ ୟୋଶି ଏବଂ ମିଶି । ସେମାନେ ଜାପାନର ଓକାୟାମା ସହରର ବାସିନ୍ଦା । ୧୯୮୯ ମସିହାରେ ଦୁହିଙ୍କ ଜନ୍ମ । ଯାଆଁଳା ହୋଇଥିଲେ ମଧ୍ୟ ଦୁହେଁ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜଣଙ୍କର ଉଚ୍ଚତା ୫ ଫୁଟ ୪ ଇଞ୍ଚ ଥିବାବେଳେ ଆଉ ଜଣଙ୍କ ଉଚ୍ଚତା ୨ ଫୁଟ ୧୦ ଇଞ୍ଚ । ପରସ୍ପର ଭିତରେ ଉଚ୍ଚତା ବ୍ୟବଧାନ ପ୍ରାୟ ୨ ଫୁଟ ୫ ଇଞ୍ଚ ହୋଇଥିବାରୁ ସେମାନେ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଛନ୍ତି ।

 

Leave A Reply

Your email address will not be published.