Latest Odisha News

BREAKING NEWS

ଉତ୍କଳର ଅନନ୍ୟ ପରମ୍ପରା ‘ଅଷ୍ଟକାଳ ଉତ୍ସବ’

ପୁରୀ : ଧର୍ମ, ପରମ୍ପରା ତଥା କଥା ଓ କିମ୍ବଦନ୍ତୀର ଐତିହ୍ୟରେ ପୁରୀ ଜିଲ୍ଲାର ସ୍ଥାନ ସବୁବେଳେ ସ୍ୱତନ୍ତ୍ର । ସେହି ଧାର୍ମିକ ଭାବନାକୁ ବଜାୟ ରଖି ଜିଲ୍ଲାର କଣାସ ମଣ୍ଡଳର ତିଗିରିଆ ଗ୍ରାମରେ ଉତ୍କଳର ଅନନ୍ୟ ପରମ୍ପରା ଅଷ୍ଟକାଳ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ଅଷ୍ଟପ୍ରହରୀ ବିଷୟରେ ଆମେ ସମସ୍ତେ ଅବଗତ ଅଛେ । କିନ୍ତୁ ଅଷ୍ଟକାଳ ପରମ୍ପରା ଏକ ବିରଳ ଓ ଅନନ୍ୟ ପରମ୍ପରା। ଗୋଟିଏ ଦିନ ୪ କାଳ ଏବଂ ରାତ୍ରୀ ୪ କାଳକୁ ମିଶେଇ ଆଠଟି କାଳ ଭିତରେ ସମ୍ପୂର୍ଣ୍ଣ ଲୀଳାକୁ ସମାପନ କରାଯାଉଥିବା ଉତ୍ସବକୁ ହିଁ ଅଷ୍ଟକାଳ କୁହାଯାଏ। ପରମ୍ପରା ଅନୁସାରେ ଏହି ପର୍ବଟି ଫାଲଗୁନ ଶୁକ୍ଲ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଧରି ପାଳନ କରାଯାଏ। ଏହି ପର୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋଟିଏ ଦିବସର ସମ୍ପୂର୍ଣ୍ଣ ଜୀବନ ଚର୍ଯ୍ୟା ସଙ୍କୀର୍ତ୍ତନ ମାଧ୍ୟମରେ ପରିବେଷଣ କରାଯାଏ। ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାର କିଛି ଅଂଶକୁ ଗ୍ରାମର ଯୁବକମାନେ ଗୀତିନାଟ୍ୟ ମାଧ୍ୟମରେ ପରିବେଷଣ କରନ୍ତି।

ତିଗିରିଆ ଗ୍ରାମରେ ଏହି ପର୍ବଟି ଅତ୍ୟନ୍ତ ପୁରାତନ ପରମ୍ପରା ଯାହା କି ଆନୁମାନିକ ୧୦୭ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି । ଗ୍ରାମର ପୁରୁଖା ଲୋକମାନଙ୍କ ମତ ଅନୁସାରେ ଆଗ କାଳରେ ଗ୍ରାମରେ ବିଭିନ୍ନ ପ୍ରକାର ରୋଗ ବ୍ୟାପୁଥିବା ହେତୁ, ବର୍ଷରେ ଗୋଟିଏ ଥର ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ଗୋଟିଏ ସ୍ଥାନରେ ସ୍ଥାପନ କରି ପୂଜାର୍ଚ୍ଚନା କରିବା ସହ ଏହି ଅନୁଷ୍ଠାନ କରାଯାଏ। ଲୋକଙ୍କ ବିଶ୍ୱାସ କି ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମର କଲ୍ୟାଣ ସାଧନ ହେବା ସହ ଗ୍ରାମରୁ ଅଜଣା ବ୍ୟାଧି (ବାଡି- ହଇଜା, ବସନ୍ତ- ହାଦଫୁଟି, ମିଳିମିଳା ଇତ୍ୟାଦି )ଦୂରେଇଯାଏ ।

ପୂର୍ବରୁ ଏହି ଅନୁଷ୍ଠାନରେ ଭଗବାନ ଜଗନ୍ନାଥଙ୍କ ପୁରୀ ଧାମରୁ ଅଧରପଣା ଆସି ଗ୍ରାମର ଏକତ୍ରିତ ହୋଇଥିବା ଦେବା ଦେବୀଙ୍କୁ ଅର୍ପଣ କରାଯାଇଥାଏ । କିନ୍ତୁ ଏବେ ଗ୍ରାମର ପୂଜକ ଅଧର ପଣା ପ୍ରସ୍ତୁତ କରି ଦେବା ଦେବୀଙ୍କୁ ଅର୍ପଣ କରୁଛନ୍ତି। ଏହି ପର୍ବଟି ସମସ୍ତ ଗ୍ରାମବାସୀ ଏବଂ ସ୍ବେଛାସେବୀ ସଙ୍ଗଠନ ଦ୍ଵାରା ଅତ୍ୟନ୍ତ ଉତ୍ସାହ ଏବଂ ଶୃଙ୍ଖଳିତ ଭାବେ ପାଳନ କରାଯାଏ ।

ବାରମାସରେ ତେର ପର୍ବ ସହ ଏପରି କିଛି ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଆମକୁ ପୁରାତନ ପରମ୍ପର ସହ ଯୋଡି ରଖିବାରେ ସସହାୟକ ହୁଏ ।

Leave A Reply

Your email address will not be published.