ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ୍ ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି, ଯାହା କେବଳ ଶତ୍ରୁମାନଙ୍କୁ ନୁହେଁ ବରଂ ବନ୍ଧୁ ଦେଶମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଯାହାର ପ୍ରଭାବରେ ଏବେ ଅଧା ଦେଶ ପ୍ରଭାବିତ ହୋଇଛି । ବିଶେଷକରି ଭାରତ ବିରୁଦ୍ଧରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାର ପଦକ୍ଷେପକୁ ସବୁଠି ସମାଲୋଚନା କରାଯାଉଛି। ପାଶ୍ଚାତ୍ୟ ବିଶେଷଜ୍ଞମାନେ ଟ୍ରମ୍ପଙ୍କ ପଦକ୍ଷେପକୁ ଆତ୍ମଘାତୀ ବୋଲି କହିବାକୁ ପଛାଉ ନାହାଁନ୍ତି । ଏହାରି ଭିତରେ ଏବେ ଟ୍ରମ୍ପ ସରକାରଙ୍କୁ ବଡ ଝଟକା ଲାଗିଛି । ଜାପାନର ଏକ ପଦକ୍ଷେପ ଏବେ ଟ୍ରମ୍ପ ସରକାରଙ୍କୁ ଚିନ୍ତାରେ ପକାଇଛି । ଜାପାନର ବାଣିଜ୍ୟ ଆଲୋଚନାକାରୀ ୫୫୦ ବିଲିୟନ ଡଲାର ଅର୍ଥାତ୍ ୪.୮୨ ଲକ୍ଷ କୋଟି ନିବେଶକୁ ଚୂଡ଼ାନ୍ତ କରିବା ପାଇଁ ଆମେରିକା ଗସ୍ତ କରିବାକୁ ଯାଉଥିଲେ, କିନ୍ତୁ ସେ ଏବେ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଜାପାନ ଏହି ପଦକ୍ଷେପ ଏପରି ସମୟରେ ନେଇଛି ଯେତେବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଟୋକିଓରେ ଅଛନ୍ତି । ଯାହା ଏବେ ଆମେରିକାକୁ ବଡ ଝଟକା ଦେଇଛି ।
କାହିଁକି ପଛଘୁଞ୍ଚା ଦେଲା ଜାପାନ?
ଜାପାନର ଶୀର୍ଷ ବାଣିଜ୍ୟ ଆଲୋଚନାକାରୀ ରୟୋସେଇ ଆକାଜାୱା ଗୁରୁବାର ଶେଷ ମୁହୂର୍ତ୍ତରେ ତାଙ୍କର ଆମେରିକା ଗସ୍ତ ବାତିଲ କରିଦେଇଛନ୍ତି। ଏହି ପଦକ୍ଷେପ ଏପରି ସମୟରେ ଆସିଛି ଯେତେବେଳେ ଜାପାନ ଏବଂ ଆମେରିକା ଶୁଳ୍କ ହ୍ରାସ ଏବଂ ନିବେଶ ପ୍ୟାକେଜ ଉପରେ ଏକ ଚୁକ୍ତିରେ ପହଞ୍ଚିଥିଲେ। ଚୁକ୍ତି ଅନୁଯାୟୀ, ଆମେରିକା ଜାପାନୀ ଆମଦାନୀ ଉପରେ ଶୁଳ୍କକୁ ୨୫% ରୁ ୧୫% ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯେତେବେଳେ ଜାପାନ ୫୫୦ ବିଲିୟନ ଡଲାର ନିବେଶ କରିବାକୁ ପ୍ରସ୍ତୁତ ଥିଲା। ହେଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିକଟରେ କହିଥିଲେ ଯେ ଏହି ପ୍ୟାକେଜ ‘ଆମର ଟଙ୍କା, ଆମେ ଏହାକୁ ଆମ ଇଚ୍ଛା ଅନୁଯାୟୀ ବିନିଯୋଗ କରିବୁ ।’ ସେ ଏହା ମଧ୍ୟ ଦାବି କରିଥିଲେ ଯେ ଲାଭର ୯୦% ଆମେରିକା ପାଖରେ ରହିବ । ଜାପାନୀ ଅଧିକାରୀମାନେ ଏଥିରେ ମତଭେଦ ପ୍ରକାଶ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ନିବେଶ ପାରସ୍ପରିକ ଲାଭର ନୀତି ଉପରେ ଆଧାରିତ ହେବା ଉଚିତ୍ ।
କ’ଣ କହିଲେ ଜାପାନ ସରକାର?
ଜାପାନ୍ ସରକାର ଆମେରିକା ଠାରୁ ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ନିର୍ଦ୍ଦେଶ ସଂଶୋଧନ କରାଯାଉ ଏବଂ ଅଟୋ ପାର୍ଟସ ଉପରେ ଶୁଳ୍କ ହ୍ରାସ କରାଯାଉ। ଓଭରଲାପିଂ ଶୁଳ୍କ ଉଚ୍ଛେଦ କରାଯାଉ। ଜାପାନୀ ମୁଖପାତ୍ର ୟୋଶିମାସା ହାୟାଶି କହିଛନ୍ତି ଯେ ଆମେରିକା ପ୍ରଶାସନିକ ସ୍ତରରେ କିଛି ପ୍ରସଙ୍ଗରେ ଆହୁରି ଆଲୋଚନା ଆବଶ୍ୟକ, ତେଣୁ ଏହି ଗସ୍ତ ବାତିଲ କରାଯାଇଛି ।
ଜାପାନରେ ମୋଦି
ଜାପାନ ସରକାରଙ୍କ ଆମେରିକା ପ୍ରତି ଏଭଳି ଆଭିମୁଖ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୯ରୁ ୩୦ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ତାଙ୍କୁ ୧୫ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିଛନ୍ତି । ବୈଠକରେ ରଣନୈତିକ ସହଭାଗୀତା, କ୍ୱାଡ୍ ସହଯୋଗ ଏବଂ ଆଞ୍ଚଳିକ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଏଥିସହିତ ଭାରତ-ଜାପାନ ମିଳିତ ଅର୍ଥନୈତିକ ଫୋରମକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେ ଜାପାନ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନରେ ଏକ ପ୍ରଯୁକ୍ତିବିଦ୍ୟା ଶକ୍ତି ଏବଂ ଭାରତ ଏକ ଶକ୍ତିଶାଳୀ ପ୍ରତିଭା । ଭାରତ ଏଆଇ, ସେମିକଣ୍ଡକ୍ଟର, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ସ୍ପେସ୍ କ୍ଷେତ୍ରରେ ସାହସିକ ଏବଂ ମହତ୍ୱାକାଂକ୍ଷୀ ପଦକ୍ଷେପ ନେଇଛି। ଜାପାନର ପ୍ରଯୁକ୍ତିବିଦ୍ୟା ଏବଂ ଭାରତର ପ୍ରତିଭା ବିଶ୍ୱକୁ ପରିବର୍ତ୍ତନ କରିବ। ଯାହାକୁ ନେଇ ଏବେ ଅନ୍ତର୍ଜାତୀୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ ଜାପାନର ଏହି ପଦକ୍ଷେପ ଆମେରିକା-ଏସିଆ ସମ୍ପର୍କକୁ ପ୍ରଭାବିତ କରିପାରିବ ଏବଂ ଭାରତ-ଜାପାନ ସହଭାଗୀତା ଆହୁରି ମଜବୁତ ହୋଇପାରେ ।
Comments are closed.