ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍ରେ ଐତିହାସିକ ବିଜୟ ପରେ ଏବେ ସାରା ଦେଶ ଉତ୍ସବମୁଖର । କିନ୍ତୁ ଏହି ବିଜୟର ମୁଖ୍ୟ ନାୟକ ଜସପ୍ରୀତ ବୁମରା ଏବେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ପରେ ଏବେ ବୁମରାଙ୍କ ନଜର ୨୦୨୭ ଓ୍ବାନ୍ଡେ ୱାର୍ଲ୍ଡ କପ୍ ଉପରେ । କ’ଣ ରହିଛି ବୁମରାଙ୍କ ଆଗାମୀ ରୋଡମ୍ୟାପ୍ ? ଆସନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ ବିଷୟରେ ଜାଣିବା…
ଭାରତୀୟ କ୍ରିକେଟର ‘ୟର୍କର କିଙ୍ଗ’ ଜସପ୍ରୀତ ବୁମରା ଏବେ ଟି-୨୦ କ୍ରିକେଟରୁ କିଛି ଦିନ ପାଇଁ ବିଶ୍ରାମ ନେଇପାରନ୍ତି । ରିପୋର୍ଟ ଅନୁଯାୟୀ, ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ବୁମରା ନିଜର ସମ୍ପୂର୍ଣ୍ଣ ଧ୍ୟାନ କେବଳ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ୍ ଉପରେ ରଖିବାକୁ ଚାହୁଁଛନ୍ତି ।
ୱାର୍ଲ୍ଡ କପ୍ ଲକ୍ଷ୍ୟ: ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ନିଜକୁ ଶତପ୍ରତିଶତ ଫିଟ୍ ରଖିବାକୁ ବୁମରା ଏହି ନିଷ୍ପତ୍ତି ନେଇଛନ୍ତି । ଆଗାମୀ କିଛି ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଏବଂ ଏସିଆନ୍ ଗେମ୍ସରୁ ସେ ଦୂରେଇ ରହିପାରନ୍ତି ।
ବୁମରାଙ୍କ ଗୁରୁତ୍ୱକୁ ଦୃଷ୍ଟିରେ ରଖି BCCI ମଧ୍ୟ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ୨୦୨୩ ବିଶ୍ୱକପ୍ ଫାଇନାଲ ପରଠାରୁ ବୁମରା ଏଯାଏଁ ୪୨ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି । ତାଙ୍କ ଶରୀର ଉପରେ ପଡୁଥିବା ଚାପକୁ କମାଇବା ପାଇଁ ବୋର୍ଡ ତାଙ୍କୁ କେବଳ କିଛି ନିର୍ଦ୍ଦିଷ୍ଟ ମ୍ୟାଚ୍ରେ ଖେଳାଇବାକୁ ଯୋଜନା କରୁଛି ।
ଅନ୍ୟପଟେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇ ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ଜିତି ଭାରତ ଇତିହାସ ରଚିଛି । ଦଳର ଏହି ସଫଳତା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେଶ୍ ଭାବୁକ ହୋଇଯାଇଥିଲେ । ସେ କହିଥିଲେ, ବୁମରା ଆମ ଦେଶର ସମ୍ପତ୍ତି । ସେ ହେଉଛନ୍ତି ବର୍ତ୍ତମାନ ପିଢ଼ିର ସବୁଠାରୁ ଶ୍ରେଷ୍ଠ ବୋଲର । ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କ ଭଳି ଯୁବ ଖେଳାଳିମାନେ ଫାଇନାଲରେ ଯେଉଁଭଳି ପ୍ରଦର୍ଶନ କଲେ, ତାହା ପ୍ରମାଣ କରୁଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ସୁରକ୍ଷିତ ।
୨୦୨୪ରୁ ଆରମ୍ଭ ହୋଇଥିବା ସୂର୍ଯ୍ୟଙ୍କ ଅଧିନାୟକତ୍ୱ ଯାତ୍ରା ଏବେ ସ୍ୱର୍ଣ୍ଣିମ ଶିଖରରେ ପହଞ୍ଚିଛି । ଏବେ ସମସ୍ତଙ୍କ ନଜର ବୁମରାଙ୍କ ଉପରେ, କିଭଳି ଭାବେ ସେ ୨୦୨୭ ବିଶ୍ୱକପ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।