Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ଜଟଣୀରେ ବାଣ୍ଟିବେ ଜମି ପଟ୍ଟା

ଭୁବନେଶ୍ୱର:  ହୀରାକୁଦ ବସ୍ଥାପିତଙ୍କୁ ତୁରନ୍ତ ଜମି ପଟ୍ଟା ଦେବେ ବୋଲି ସରକାର ଘୋଷଣା କରବା ପରେ ଏବେ ଜଟଣୀ ପାଳି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବା ବୋଲି ନୀତିଗତ ନିଷ୍ପତ୍ତି ନେଇଛନ୍ତି । 5T ସଚିବଙ୍କ ଜିଲ୍ଲା ଗସ୍ତ ପରେ  ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ ଜମିଜମା ସଂପର୍କିତ ଅନେକ ଅଭିଯୋଗ ଲୋକଙ୍କ ଠାରୁ ପାଇଥିଲେ। ଜଟଣୀ ତହସିଲରେ ଖାସମାହଲ ସମସ୍ୟା, ଦୀର୍ଘ ବର୍ଷର ସମସ୍ୟା । ଏ ସମସ୍ୟା ସଂପର୍କରେ ଜନସାଧାରଣ 5T ସଚିବଙ୍କୁ ଜଣାଇଥିଲେ । ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ସହିତ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦିପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ତିନି ମାସ ମଧ୍ୟରେ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ କରାଯାଇ ଆଗାମୀ ଡିସେମ୍ବରରେ ଲୋକଙ୍କୁ ପଟ୍ଟା ବଣ୍ଟନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱାରା ୫୩୭ ପରିବାର ଉପକୃତ ହେବେ ।

ସେହିପରି ଭୁବନେଶ୍ୱର ତହସିଲରେ ପତିତ ଜମିର ସତ୍ତ୍ୱ ନେଇ ଦୀର୍ଘ ୬୦ ବର୍ଷ ଧରି ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବିଭିନ୍ନ ରାଜସ୍ୱ ଅଦାଲତରେ ୧୦୫୪୩ଟି ମାମଲା ଚାଲିଛି। ଏହି ପତିତ ଜମି ସମ୍ପର୍କରେ ଗଠିତ ରାଜସ୍ୱ ବିଭାଗର Task Force ଦ୍ୱାରା ନିର୍ଦ୍ଧାରିତ SOP ଭିତ୍ତିରେ ଏ ସମସ୍ୟାର ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଚଳିତ ସେପ୍ଟେମ୍ବର ମଧ୍ୟ ଭାଗରେ ମୁଖମନ୍ତ୍ରୀ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.