ଭଦ୍ରକ: ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଅଭିଯୋଗକାରୀ ଜଣଙ୍କ ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଖବର ମୁତାବକ, ଭଦ୍ରକ ଜିଲ୍ଲା ଧୂଷୁରି ଥାନା ଭଟ୍ଟସାହି ଅଞ୍ଚଳର ସତ୍ୟଜିତ ମିଶ୍ରଙ୍କୁ ଓଡ଼ିଶା ଫରେଷ୍ଟ ଗାର୍ଡ ପଦବୀରେ ନିଯୁକ୍ତି କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ନିକଟସ୍ଥ ନଦୀଗାଁ ଅଞ୍ଚଳର ମୁନନ୍ ଦାସ । ୬ ଲକ୍ଷ ଟଙ୍କା ସର ଅରିଜିନାଲ ମାଟ୍ରିକ୍ ସାର୍ଟିଫିକେଟ ଦେବାକୁ କହିଥିଲେ । ସତ୍ୟଜିତ ପ୍ରାୟ ଅଢ଼େଇ ବର୍ଷ ତଳେ ୩ ଲକ୍ଷ ୨୦ହଜାର ଟଙ୍କା ଅନଲାଇନରେ ମୁନନଙ୍କୁ ଦେବା ସହ ତାଙ୍କ ମାଟ୍ରିକ୍ ସାର୍ଟିଫିକେଟ ମଧ୍ୟ ଦେଇଥିଲେ ।
ମାତ୍ର ସତ୍ୟଜିତଙ୍କୁ ନିଯୁକ୍ତି ନମିଳିବାରୁ ସେ ତାଙ୍କ ଟଙ୍କା ଓ ସାର୍ଟିଫିକେଟ୍ ଫେରସ୍ତ ଲାଗି ମୁନନଙ୍କୁ ବହୁବାର ଅନୁରୋଧ କରିଥିଲେ ବି ସେ ସମୟ ଗଡ଼ାଇ ଚାଲିଥିଲେ । ଶେଷରେ ନିରାଶ ହୋଇ ସତ୍ୟଜିତ ଧୁଷୁରୀ ଥାନାରେ ଏତଲା ଦେବା ପରେ ମାସକ ତଳେ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି ।
ତେବେ ଟଙ୍କା ନେଇଥିବା ମୁନନ ପୋଲିସ ବିଭାଗରେ କାର୍ଯ୍ୟରତ ଥିବାରୁ ତାଙ୍କୁ ଗିରଫ କରାଯାଉନି ବୋଲି ଅଭିଯୋଗ କରିବା ସହ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ସତ୍ୟଜିତ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।