ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି ।
ଜୟ ମୋଟ ୧, ୨୩, ୮୬୯ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୪୦, ୧୨୧ ଭୋଟରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଜୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଛନ୍ତି । ଅନ୍ୟପଟେ ନିଜ ଗଡ ହରାଇଛି ବିଜେଡି । ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି । ୩୮, ୪୦୮ ଭୋଟ ସହିତ ସବୁଠୁ ପଛରେ ରହିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ । ପ୍ରଥମ ଥର ପାଇଁ ବିଜେଡି ତୃତୀୟ ସ୍ଥାନରେ ରହିଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ବିଜେଡିକୁ ପଛରେ ପକାଇଛନ୍ତି ।
ତେବେ ନୂଆପଡା ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ବି ଏହି ଆସନରୁ ୨ଥର ବିଜୟୀ ହୋଇଛି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ହୋଇଥିବା ବେଳେ ସେ ଉପନିର୍ବାଚନର ଠିକ୍ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ବେଳେ ନୂଆପଡା ମୁକୁଟ ପିନ୍ଧିଛନ୍ତି । ଖାଲି ଯେ ମୁକୁଟ ପିନ୍ଧିଛନ୍ତି ତାହା ନୁହେଁ, ଜୟ ଢୋଲକିଆ ପୂର୍ବ ସମସ୍ତ ନିର୍ବାଚନ ରେକର୍ଡ ମଧ୍ୟ ଭାଙ୍ଗି ଦେଇଛନ୍ତି । ତାଙ୍କ ପିତା ରାଜେନ୍ଦ୍ର ଢୋଲକିଆ ପ୍ରଥମେ ୨୦୦୪ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଧାୟକ ହୋଇଥିଲେ। ପରେ, ସେ ୨୦୦୯, ୨୦୧୯ ଏବଂ ୨୦୨୪ ମସିହାରେ ବିଜେଡି ପ୍ରାର୍ଥୀ ଭାବରେ ଜିତିଥିଲେ। ୨୦୨୪ରେ ବାପା ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ୍ ଭୋଟ ପାଇଥିବା ବେଳେ ଆଜି ଜୟ ମାତ୍ର ୧୩ ରାଉଣ୍ଡ ସୁଦ୍ଧା ୬୩ ହଜାରରୁ ଅଧିକ ଭୋଟ୍ ପାଇ ଏହାକୁ ଅତିକ୍ରମ କରିଥିଲେ ।
ବିଜୟ ପରେ ଜୟ ଢୋଲକିଆ କହିଥିଲେ, “ଏହା ନୂଆପଡାବାସୀଙ୍କ ବିଜୟ। ନୂଆପଡାର ବିକାଶ ପାଇଁ ଜନସାଧାରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱକୁ ସମର୍ଥନ କରିଛନ୍ତି। ଏପରି ବିପୁଳ ସମର୍ଥନ ପାଇଁ ମୁଁ ଋଣୀ ଏବଂ ନୂଆପଡାବାସୀଙ୍କ ପ୍ରତି ମୋର କୃତଜ୍ଞତା ପ୍ରକାଶ କରୁଛି।”
Comments are closed.