Latest Odisha News

ଆଇସିସିରେ ବିସିସିଆଇର ‘ଜୟ’, ଆଗକୁ ଅନେକ ଆହ୍ୱାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡର ସଚିବ ଏବେ ଆଇସିସି ଅଧ୍ୟକ୍ଷ । ବହୁ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ-ଆଇସିସିର ଶୀର୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ଜଣେ ଭାରତୀୟ । ବିସିସିଆଇ ସଚିବ ଜୟ ଶାହ ଏବେ ଆଇସିସିର ନୂଆ ଅଧ୍ୟକ୍ଷ । ଆଇସିସି ଅଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଜୟ ଶାହ । ବିଶ୍ୱ କ୍ରିକେଟ ଶାସନ ସଂସ୍ଥାର ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ଜୟ ଶାହ ହେଉଛନ୍ତି ସର୍ବକନିଷ୍ଠ । ବିଦାୟୀ ଅଧ୍ୟକ୍ଷ ୬୬ ବର୍ଷିୟ ଗ୍ରେଗ୍ ବାରକ୍ଲେଙ୍କ ସ୍ଥାନ ନେବେ ଜୟ ଶାହ । ବାରକ୍ଲେ ଲଗାତର ତୃତୀୟ ଥର ଆଇସିସି ଅଧ୍ୟକ୍ଷ ହେବାକୁ ମନା କରିଥିଲେ । ଆଇସିସି ଅଧକ୍ଷ ନିର୍ବାଚିତ ହେବା ପରେ ଜୟ ଶାହଙ୍କୁ ବିସିସିଆଇ ସଚିବ ପଦ ଛାଡିବାକୁ ପଡିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ୨୦୧୯ରୁ ବିସିସିଆଇର ସଚିବ ଦାୟିତ୍ୱରେ ରହିଆସିଛନ୍ତି ।
ଆଇସିସି ଶୀର୍ଷ ପଦରେ ପଂଚମ ଭାରତୀୟ ଜୟ ଶାହଙ୍କ ପୂର୍ବରୁ ସ୍ୱର୍ଗତ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ. ଶ୍ରୀନିବାସନ, ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ପଦରେ ରହିସାରିଛନ୍ତି । ଏଥର ଅଧ୍ୟକ୍ଷ ପଦ ପାଇଁ ଏକମାତ୍ର ଦାବିଦାର ଥିଲେ ଜୟ ଶାହ । ଶାହ ବର୍ତ୍ତମାନ ଆଇସିସିର ସବୁଠାରୁ କ୍ଷମତାଶାଳୀ ଅର୍ଥ ଏବଂ ବ୍ୟବସାୟ ବ୍ୟାପାର ସବକମିଟିର ମୁଖ୍ୟ ଅଛନ୍ତି । ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ଲଗାତର ଦୁଇ କାର୍ଯ୍ୟକାଳ ରହିପାରିବେ ।

ଜୟ ଶାହଙ୍କ ପାଇଁ ରହିଛି ଅନେକ ଆହ୍ୱାନ

ଆଇସିସିର ନୂଆ ଅଧ୍ୟକ୍ଷ ଭାବେ ଜୟ ଶାହଙ୍କ ପାଇଁ ରହିଛି ଅନେକ ଆହ୍ୱାନ । ସବୁଠୁ ଜରୁରୀ ଆହ୍ୱାନ ହେଉଛି ପାକିସ୍ତାନରେ ଚାମ୍ପିଅନସ ଟ୍ରଫି ଆୟୋଜନ । ଏସିଆନ କ୍ରିକେଟ କାଉନସିଲ ଅଧ୍ୟକ୍ଷ ଭାବେ ଜୟ ଶାହ ପାକିସ୍ତାନ ଓ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ୨୦୨୩ ଏସିଆ କପ୍ ଦିନିକିଆ ଟୁର୍ଣ୍ଣାମେଂଟ ପାଇଁ ହାଇବ୍ରିଡ୍ ମଡେଲର ଥିଲେ ଦୃଢ ସମର୍ଥକ । ଏବେ ଆଇସିସି ଅଧ୍ୟକ୍ଷ ଭାବେ ପାକିସ୍ତାନରେ ଚାମ୍ପିଅନସ ଟ୍ରଫି କ୍ରିକେଟ ପରିଚାଳନା କରିବା ଜୟ ଶାହଙ୍କ ପାଇଁ ହେବ ବଡ ଆହ୍ୱାନ । କାରଣ ଭାରତୀୟ କ୍ରିକେଟ ଦଳ ପାକିସ୍ତାନ ଯିବା ସମ୍ଭାବନା କମ୍ । ଏହାଛଡା ଟେଷ୍ଟ କ୍ରିକେଟ୍ ର ଭବିଷ୍ୟତକୁ ସୁରକ୍ଷିତ ରଖିବା, ଦିନିକିଆ କ୍ରିକେଟର ଲୋକପ୍ରିୟତା ବଜାୟ ରଖିବା ଏବଂ କ୍ଲବ୍ ବନାମ ଦେଶ ବିବାଦ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରେଇ ଯାଉଥିବା କ୍ରିିକେଟରଙ୍କୁ ରୋକିବା ଭଳି ଦୀର୍ଘକାଳୀନ ଚ୍ୟାଲେଂଜ ଜୟ ଶାହଙ୍କ ଆଗରେ ରହିଛି । ଏଥିସହ ଅଲିମ୍ପିକ୍ସରେ କ୍ରିକେଟର ପ୍ରସାର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଂଜ ହେବ ।

ଆଗକୁ ବିସିସିଆଇ ସଭାପତି ହେବା ସମ୍ଭାବନା

ଜୟ ଶାହଙ୍କ ପାଇଁ ଆଇସିସି ଅଧ୍ୟକ୍ଷ ହେବା ଏହାଠାରୁ ଆଉ ଭଲ ସମୟ ହୋଇନପାରେ । କାରଣ ବିସିସିଆଇ ସଚିବ ପଦରେ ରହିବା ପରେ ଶାହଙ୍କୁ ୨୦୨୫ରୁ ୨୦୨୮ ଯାଏଁ କୁଲିଂ ଅଫ୍ ପିରିୟଡ ମଧ୍ୟରେ ରହିବାକୁ ପଡିବ । ବିସିସିଆଇ ସମ୍ବିଧାନ ଅନୁଯାୟୀ ବୋର୍ଡର ପଦାଧିକାରୀମାନେ ଲଗାତର ୧୮ ବର୍ଷ ପଦରେ ରହିପାରିବେ । ସେଥିମଧ୍ୟରୁ ଜାତୀୟ ବୋର୍ଡରେ ୯ ଏବଂ ରାଜ୍ୟ ସଂଘରେ ୯ ବର୍ଷ ରହିବେ । କିନ୍ତୁ ଜଣେ ବ୍ୟକ୍ତି କେବଳ ଲଗାତର ୬ ବର୍ଷ ଧରି ବିସିସିସିଆଇ ପଦରେ ରହିପାରିବେ, ଯାହା ପରେ ତାଙ୍କୁ ତିନି ବର୍ଷର କୁଲିଂ ଅଫ୍ ବା ଅବ୍ୟାହତି ନେବାକୁ ପଡିବ । ଆଇସିସି ଅଧ୍ୟକ୍ଷ ଭାବେ କ୍ରମାଗତ ଦୁଇ କାର୍ଯ୍ୟକାଳ ପରେ ୨୦୨୮ରେ ଜୟ ଶାହ ବିସିସିଆଇ ସଭାପତି ମଧ୍ୟ ହୋଇପାରିବେ ।

Comments are closed.