କୋଟା: କୋଟାରେ ପୁଣି ଜଣେ ଛାତ୍ର ଆତ୍ମହତ୍ଯା କରିଛନ୍ତି। ମୃତ ଛାତ୍ର ଜଣକ ବିହାରର ବୈଶାଳୀ ଅଞ୍ଚଳର ବାସିନ୍ଦା ମୟଙ୍କ ବୋଲି ଜଣାପଡିଛି।
ମୟଙ୍କ ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ସେ ସ୍କୁଲ ଯିବା ସହ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ପାଇଁ ପ୍ରସ୍ତୁତି ମଧ୍ୟ ଚଲାଇଥିଲେ।
ପୋଲିସ ମୃତ ଛାତ୍ରଙ୍କ ପରିବାର ସଦସ୍ୟଙ୍କୁ ସୁଚନା ଦେଇସାରିଛି ଓ ସେମାନେ କୋଟାରେ ପହଞ୍ଚିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ ଏବଂ ଆଗକୁ ତଦନ୍ତ କରାଯିବ।
ମୟଙ୍କ ପ୍ରାୟ ୮ ମାସ ପୂର୍ବରୁ କୋଟାକୁ ଆସିଥିଲେ ଓ କୋଟାର ରୋଡ୍ ନମ୍ବର ୫ ଅଞ୍ଚଳରେ ଥିବା ୱେଲକମ ପ୍ରାଇମ ହଷ୍ଟେଲରେ ରହୁଥିଲେ। ଶୁକ୍ରବାର ଦିନ ସେ ଫୋନ ନଉଠାଇବାରୁ ପରିବାର ସଦସ୍ୟ ହଷ୍ଟେଲ ପରିଚାଳକଙ୍କୁ ଫୋନ କରିଥଲେ। ଯାହାପରେ ସେମାନେ ତାଙ୍କ ରୁମକୁ ଯାଇ ଦେଖିଲା ବେଳକୁ ଭିତର ପଟୁ ବନ୍ଦ ଥିଲା। ବହୁତ ଥର ଡାକିବା ପରେ ମଧ୍ଯ ରୁମର କବାଟ ନଖୋଲିବାରୁ ହଷ୍ଟେଲ କର୍ମଚାରୀମାନେ କବାଟ ଭାଙ୍ଗି ଦେଇଥିଲେ।
ତେବେ କୋଟାର ପ୍ରତ୍ୟେକ ହଷ୍ଟେଲର ଫ୍ୟାନରେ ଆଣ୍ଟି ହ୍ୟାଙ୍ଗିଙ୍ଗ୍ ଡିଭାଇସ୍ ଇନଷ୍ଟଲ୍ ହୋଇଛି। ଅର୍ଥାତ୍ ଯଦି କେହି ଫ୍ୟାନରେ ଫାଶି ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବେ କିମ୍ବା ଓଜନ ୨୦ କିଲୋଗ୍ରାମରୁ ଅଧିକ ହେବ ତାହେଲେ ଫ୍ୟାନ୍ ଆପେଆପେ ତଳକୁ ଝୁଲିଯିବ। ମୟଙ୍କ ଏହି କଥା ଭଲ ଭାବେ ଜାଣିଥିଲେ ଫଳରେ ସେ ଫ୍ୟାନରେ ଫାଶି ନ ଲଗାଇ ଫ୍ୟାନ ଟଙ୍ଗା ହୋଇଥିବା ହୁକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଉଲ୍ଲେଖଯୋଗ୍ୟ, ଏହାକୁ ମିଶାଇ ଚଳିତ ବର୍ଷ ୧୭ ଜଣ ପିଲା କୋଟାରେ ଆତ୍ମହତ୍ୟା କରିଛନ୍ତି। ତେବେ ଗତ ବର୍ଷ ୨୦୨୩ରେ ୨୯ ଜଣ ଆତ୍ମହତ୍ୟା କରିଥିଲେ।
Comments are closed.