Latest Odisha News

BREAKING NEWS

ପଓ୍ବନ କଲ୍ୟାଣଙ୍କ ଯୋଗୁଁ ଜେଇଇ ପରୀକ୍ଷା ଦେଇପାରିଲେନି ୨୩ ପରୀକ୍ଷାର୍ଥୀ!

ବିଶାଖାପାଟଣା: ଭାଙ୍ଗିଗଲା ସ୍ବପ୍ନ । ପାଣିରେ ପଡିଲା ବର୍ଷ ବର୍ଷର ସାଧନା । ବିଶାଖାପାଟଣାର ଏକ ପରୀକ୍ଷା କେନ୍ଦ୍ରରେ ଜେଇଇ ପରୀକ୍ଷା ଦେଇପାରିଲେ ନାହିଁ ୨୩ ଜଣ ଛାତ୍ରଛାତ୍ରୀ । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ ଯୋଗୁଁ ଏହି ପରିକ୍ଷାର୍ଥୀମାନେ ଜେଇଇ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ତେବେ ସୋମାବାର ସକାଳେ ୨୦ରୁ ଅଧିକ ଛାତ୍ରଛାତ୍ରୀ ମିଳିତ ପ୍ରବେଶିକା ପରୀକ୍ଷା, ଜେଇଇ ମେନ୍ ପରୀକ୍ଷା ନଦେଇପାରିବା ପାଇଁ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କୁ ଦାୟୀ କରିଛନ୍ତି । ଯାହାକୁ ନେଇ ବିଶାଖାପାଟଣାରେ ଏକ ବିବାଦ ସୃଷ୍ଟି ହୋଇଥିଲା । କାଳେ  ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ କାରକେଡ୍ ଯୋଗୁଁ ଟ୍ରାଫିକ୍ ବାଧା ସୃଷ୍ଟି କାରଣରୁ ପିଲାମାନେ ଠିକ୍ ସମୟରେ ପରୀକ୍ଷାରେ ପହଞ୍ଚିପାରିନଥିଲେ । ଯାହାକୁ ନେଇ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତର ନିର୍ଦ୍ଦେଶ ଦେଇଚି ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ତେବେ ବିଶାଖାପାଟଣାର ପେଣ୍ଡୁର୍ଥୀରେ ଥିବା ଆୟନ ଡିଜିଟାଲ ପରୀକ୍ଷା କେନ୍ଦ୍ର ନିକଟରେ ଏହି ଘଟଣା ଘଟିଛି । ଅତି କମରେ ୨୩ ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ପରୀକ୍ଷା କେନ୍ଦ୍ର ବାହାରେ ଏକାଠି ହୋଇ ସେମାନଙ୍କ ପିଲାମାନଙ୍କୁ ବିଳମ୍ବରେ ପହଞ୍ଚିବା ପାଇଁ ପ୍ରବେଶ ବାରଣ କରାଯାଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଆମର ପିଲାମାନେ ମାସ ମାସ ଧରି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି। ସେମାନଙ୍କ ନିୟନ୍ତ୍ରଣ ବାହାରେ ଥିବା ଘଟଣା ପାଇଁ, ତାଙ୍କୁ ଏଭଳି ଦଣ୍ଡ ମିଳିବା ହୃଦୟ ବିଦାରକ ।

ଅନ୍ୟପଟେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି ବିଶାଖାପାଟଣା ସହର ପୋଲିସ (ଭିସିପି) । ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ ଭିସିପି ଏକ ବିସ୍ତୃତ ସ୍ପଷ୍ଟୀକରଣ ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ପରୀକ୍ଷା ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତ୍ରଛାତ୍ରୀମାନେ ସକାଳ ୭ଟା ସୁଦ୍ଧା ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଥିଲା, ଗେଟଗୁଡ଼ିକ କଡ଼ାକଡ଼ି ସକାଳ ୮ଟାରେ ବନ୍ଦ କରାଯାଇଥିଲା । ହେଲେ ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍ କେବଳ ସକାଳ ୮.୪୧ ରେ ପରୀକ୍ଷାବର୍ତ୍ତୀ ଅଞ୍ଚଳ ଦେଇ ଯାଇଥିଲା । ଯାହା କି ଗେଟ୍ ବନ୍ଦ ହେବା ପରେ ।  ତେଣୁ, ଏହା ସ୍ପଷ୍ଟ ଯେ ସେହି ଅଞ୍ଚଳ ଦେଇ ଉପମୁଖ୍ୟମନ୍ତ୍ରୀଙ୍କ ଗତିବିଧି ଯୋଗୁଁ ଛାତ୍ରଛାତ୍ରୀଙ୍କ ବିଳମ୍ବ ହୋଇନାହିଁ ।  ଏଥିସହିତ ପୋଲିସ୍ ଏହା ବି ଉଲ୍ଲେଖ କରିଛି ଯେ, ପରୀକ୍ଷାର୍ଥୀମାନଙ୍କୁ ସୁଗମ ପଥ ପ୍ରଦାନ କରିବା ପାଇଁ ସକାଳ ୮.୩୦ ପୂର୍ବରୁ ବିଆରଟିଏସ ରାସ୍ତା କିମ୍ବା ନିକଟବର୍ତ୍ତୀ ରାସ୍ତାରେ କୌଣସି ଟ୍ରାଫିକ୍ ଅବରୋଧ କରାଯାଇନଥିଲା ।

ତେବେ ଏନେଇ କିନ୍ତୁ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଘଟଣାର ଗମ୍ଭୀରତାକୁ ସ୍ୱୀକାର କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ସମୟରେ ରୁଟରେ ଟ୍ରାଫିକ ପ୍ରବାହ ଏବଂ କନଭୟ ଗତିବିଧିର ବିସ୍ତୃତ ଯାଞ୍ଚ କରିବାକୁ କହିଛନ୍ତି । ଏଥିସହିତ ସେ ଏହା ବି ସ୍ପଷ୍ଟ କରିଛନ୍ତି, ଆମେ ଅଧିକାରୀମାନଙ୍କୁ ନିୟମିତ ଭାବରେ ଟ୍ରାଫିକ ବାଧାକୁ କମ କରିବାକୁ କହିଛୁ ଏବଂ ଏହି ଗସ୍ତ ସମୟରେ ମଧ୍ୟ ସମାନ ପ୍ରୋଟୋକଲ ଅନୁସରଣ କରାଯାଇଥିଲା । ତଥାପି ଯଦି ଏପରି ଦାବି ହୋଇଛି, ତେବେ ବିଶାଖାପାଟଣା ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି, କାରକେଡ୍ କେତେ ସମୟ ପର୍ଯ୍ୟନ୍ତ ଟ୍ରାଫିକ ବାଧା ସୃଷ୍ଟି କରିଥିଲା, ପରୀକ୍ଷାର୍ଥୀଙ୍କ ରୁଟରେ ଟ୍ରାଫିକ ଅବସ୍ଥା କ’ଣ ଥିଲା ଏବଂ କୌଣସି ଟ୍ରାଫିକ ନିୟନ୍ତ୍ରଣ ପଦକ୍ଷେପ ପରୀକ୍ଷା କେନ୍ଦ୍ରକୁ ପ୍ରବେଶକୁ ପ୍ରଭାବିତ କରିଥିଲା ​​କି ନାହିଁ ତାହା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଓ୍ବନ୍ କଲ୍ୟାଣ ।

Comments are closed.