ଭୁବନେଶ୍ୱର: ପଟିଆ ଥାନା ଅନ୍ତର୍ଗତ କଳାରାହାଙ୍ଗରେ ଥିବା ଏକ ଗହଣା ଦୋକାନରେ ଶନିବାର ବଡି ଭୋର ୩ ଜଣ ଲୁଟେରା ଡକାୟତି କରି ସୁନା ଓ ରୂପା ଅଳଙ୍କାର ଲୁଟି ନେଇଛନ୍ତି।
ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଦୋକାନ ଖୋଲିବା ପାଇଁ ଆସିଥିବା ବେଳେ ଦୋକାନର ତାଲା ଭାଙ୍ଗିଥିବା ଓ ସଟର୍ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ ବୋଲି ଦୋକାନ ମାଲିକ ସୁରେଶ କୁମାର ସାଥୁଆ ପ୍ରକାଶ କରିଛନ୍ତି। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଇନଫୋସିଟି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ସହ ଦୋକାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଚୋରି ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା।
ଲୁଟ୍ ହୋଇଥିବା ଅଳଙ୍କାରର ମୂଲ୍ୟ ଏଯାବତ୍ ଜଣାପଡ଼ିନାହିଁ। ତେବେ ଦୋକାନରେ ୨୦୦ରୁ ୨୫୦ ଗ୍ରାମ ଓଜନର ସୁନା ଅଳଙ୍କାର ଥିଲେ ମଧ୍ୟ ତାହା ଦୋକାନର ଲକରରେ ଥିଲା ଓ ହୁଏତ ସୁରକ୍ଷିତ ରହିପାରେ ବୋଲି ସାତୁଆ କହିଛନ୍ତି।
ଥାନା ଆଇଆଇସି ପି. କେ ପଟ୍ଟନାୟକ କହିଛନ୍ତି, ତିନି ଜଣ ଲୁଟେରା ଏଭଳି କାଣ୍ଡ ଘଟାଇଛନ୍ତି। କାଉବାର ବ୍ୟବହାର କରି ସେମାନେ ଶଟର ଉଠାଇ ଦୋକାନ ଭିତରକୁ ପଶିଥିଲେ। ଶନିବାର ଭୋର ପ୍ରାୟ ୨.୧୫ ସମୟରେ ପାଟ୍ରୋଲିଂ ସମୟରେ ଆମେ ଏହି ଅଞ୍ଚଳ ପରିଦର୍ଶନ କରିଥିଲୁ ଏବଂ ଦୋକାନ ନିକଟରେ କିଛି ପାଇ ନଥିଲୁ। ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରି ଲୁଟେରାଙ୍କୁ ଚିହ୍ନଟ କରାଯିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏଭଳି ଅପରାଧକୁ ରୋକିବା ପାଇଁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ସାଧାରଣରେ ଦାବି ହୋଇଛି।
Comments are closed.