Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଉଠିବାକୁ ହେଲେ…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୩ୟ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ଉଠିବାକୁ ହେଲେ…

ବିଜୁବାବୁଙ୍କ କଟକ ଘରର ନାମ ‘ଆନନ୍ଦ ଭବନ’ । ସେ ଘରଟି ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ତିଆରି କରିଥିଲେ କଟକରେ ରହିବାର ଅନେକ ବର୍ଷ ପରେ । ଅସଲରେ ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ।

ବିଜୁ ଜନ୍ମ ହୋଇଥିଲେ ଗୋଟିଏ ଭଡ଼ାଘରେ । ‘ଆନନ୍ଦ ଭବନ’ ତିଆରି ହୋଇନଥିଲା ସେ ଯାଏ । ତିନି ଭାଇ ଗୋଟିଏ ଭଉଣୀ । ବଡ଼ ଭାଇ ଜର୍ଜ, ତାଙ୍କ ତଳେ ସୁକୃତି । ବିଜୁ ତୃତୀୟ ସନ୍ତାନ । ତାଙ୍କଠାରୁ ଚାରିବର୍ଷ ସାନଭାଇ ‘ସିଜୁ’ । ସିଜୁଙ୍କର ଭଲନାଆଁ ଦୟାନନ୍ଦ ।

ବାପାଙ୍କର ସବୁବେଳେ ତାଗିଦ୍ ପାଠପଢା ସହ ଶାରୀରିକ ପରିଶ୍ରମ କର । ଖେଳକୁଦ, ବ୍ୟାୟାମ ପ୍ରତି ଧ୍ୟାନ ଦିଅ । ଯେଉଁ କାମରେ ହାତ ଦେଉଛ ସେଥିରେ ସଫଳ ହେବା ଲାଗି ପ୍ରାଣପାତ କର । ପାରିବି ନାହିଁ ବୋଲି କୌଣସି ଭାବନା ମନକୁ ଯେମିତି ନ ଆସେ ।

ମିଶନ ସ୍କୁଲରେ ପାଠପଢା ଚାଲିଥିବାବେଳର କଥା । ସ୍କୁଲରୁ ଫେରି ପିଲାମାନେ ଦୋଓଡ଼ା ଖାଇ ଚାଲିଯାଆନ୍ତି ଖେଳିବାକୁ । ଯାହାର ଯେଉଁ ଖେଳରେ ମନ । ମାତ୍ର ବସିବା-ଖେଳ ନୁହେଁ । ଯେଉଁ ଖେଳରେ – ବ୍ୟାୟାମ ହେବ, ଦେହରୁ ଝାଳ ବୋହିବ ସେଇ ହିଁ ଖେଳ । ସେଇଥିପାଇଁ ସେଇ ଛୋଟ ବୟସରୁ ଫୁଟବଲ୍ ଖେଳରେ ବିଜୁ ଥିଲେ ଖୁବ୍ ପାରଙ୍ଗମ । କେତେବେଳେ ହକି, କେତେବେଳେ ଆଉ କ’ଣ । ବଡ଼ଭାଇ ଜର୍ଜ ବି ବେଶ୍ ଖେଳୁଆଡ଼ । ହେଲେ ବିଜୁ ଭଳି କିଏ ହେବ ? ସେ କଥା ବଡ଼ଭାଇ ନିଜେ କହନ୍ତି ମାଆ ବାପାଙ୍କ ଆଗରେ ।

ସବୁ ଖବର ରଖନ୍ତି ଲକ୍ଷ୍ମୀନାରାୟଣ ।

ଘର ହତା ଭିତରେ ଥାଏ ଛୋଟ ବଗିଚାଟିଏ । ଖେଳରୁ ଫେରିଲେ ପିଲାଏ ସନ୍ଧ୍ୟା ପୂର୍ବରୁ ଗଛମାନଙ୍କର ଯତ୍ନ ନେବା, ପାଣି ଦେବା ଏକ ଧରାବନ୍ଧା ନିୟମ । ସେ ଭଳି ନିୟମ ସବୁ ପାଳିବାରେ ବାପାଥିଲେ ବେଶ୍ କଠୋର ।

କେହି କେହି ଭଦ୍ରବ୍ୟକ୍ତି, ସମାସ୍କନ୍ଦ ଲୋକ ଘରକୁ ଆସିଲେ, ପଚାରି ବସନ୍ତି । ଏଇଛୋଟ ବେଳୁ ପିଲାମାନଙ୍କୁ ଏତେ କାମ ଦେଉଛନ୍ତି କାହିଁକି ? ଆପଣ ହାକିମ ଲୋକ । ଚାହିଁଲେ ପିଅନ, ଅର୍ଦ୍ଦଳି ଆସି ସେ କାମ କରିଦେଇ ଯିବେ ।

ଲକ୍ଷ୍ମୀନାରାୟଣଙ୍କୁ ଏମିତିରେ ଭରସି କଥା କହିବା ଲୋକଙ୍କ ସଂଖ୍ୟା ବହୁତ କମ୍ । ତାଙ୍କ ଘରେ ଅଧସ୍ତନ କର୍ମଚାରୀ ଆସି ବୋଲହାକ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ । ଅଥଚ ସେ ସମୟରେ କଟକରେ ଏମିତି କେହି ସରକାରୀ ପଦସ୍ଥ କର୍ମଚାରୀ ନଥିଲେ ଯାହାଙ୍କ ଘରେ ଏ ବ୍ୟାପାରଟି ଚାଲୁ ନଥିଲା ।

ପଚାରିଲା ଲୋକଙ୍କୁ ଲକ୍ଷ୍ମୀନାରାୟଣ ଗମ୍ଭୀର ହୋଇ ଉତ୍ତର ଦିଅନ୍ତି – ‘ଜାଣିଶୁଣି ମୁଁ ମୋ ପିଲାମାନଙ୍କୁ ଏ କାମ ଦେଇଛି । କାମ କଲେ ଖାଇବେ । ମୁଁ ଏଇ ବାରଣ୍ଡାରେ ବସି ସେମାନଙ୍କ ଗତିବିଧି ନିରୀକ୍ଷଣ କରେ । ଏ ବୟସରୁ ଶୃଙ୍ଖଳା ନ’ଶିଖିଲେ, ଶାରୀରିକ ପରିଶ୍ରମ ନ’କଲେ, ଅଏସରେ ରହିଲେ ଭବିଷ୍ୟତ ଜୀବନ ମାଟି ହୋଇଯିବ ! ସେ କ’ଣ ଆଉ ମଣିଷ ହେବେ ?’

ସବୁବେଳେ ଚିନ୍ତା ମୋ ପିଲା କେଉଁଠି ନ ହାରନ୍ତୁ । ମଣିଷ ହୁଅନ୍ତୁ । ଉପରକୁ ଉଡ଼ାଣ ଭରନ୍ତୁ । ଲକ୍ଷ୍ମୀନାରାୟଣଙ୍କ ଭଡ଼ାଘର ଆଗରେ ଥାଏ ଗୋଟେ ବିରାଟ ବରଗଛ । ସେଇଠି ବର ଓହଳରେ ଦୋଳି ଖେଳିବା ବିଜୁବାବୁଙ୍କର ଥିଲା ଏକ ଅଜବ୍ ସଉକ । ବେଶି ବୟସ ନୁହେଁ, ମାତ୍ର ନଅ ପୂରି ଦଶ ଚାଲୁଛି ।

କିନ୍ତୁ କେହି ଦେଖିଲେ କହିବ ନାହିଁ ଯେ ଏ ପିଲାଟିକୁ ଏତିକି ମାତ୍ର ବୟସ । ଯେଉଁ କାମଟି ଅନ୍ୟ ସାଙ୍ଗମାନେ କରିପାରନ୍ତିନି ସେଥିପାଇଁ ବିଜୁଙ୍କୁ ଆହ୍ୱାନ ଆସେ । ସବୁବେଳେ ସେ ଆହ୍ୱାନ ପ୍ରିୟ । ସାଙ୍ଗ ମେଳରେ ବି ସେ ଅପ୍ରତିଦ୍ୱନ୍ଦ୍ୱୀ ନେତା । ଶାରୀରିକ ଉଚ୍ଚତା ଯୋଗୁଁ ଆପେ ବାରି ହୋଇ ପଡ଼ନ୍ତି ।

ଦୋଳିଖେଳ ଚାଲିଥାଏ । କିଏ ଜଣେ କହିଦେଲା, ବରଓହଳରେ ଦୋଳି ପହୁଞ୍ଚେଇ ସେ ଉପରଡ଼ାଳକୁ କେହି ଛୁଇଁ ପାରିବେ ନାହିଁ । ଆଉ ଜଣେ ସମର୍ଥନ କଲା ଭଳି କହିଲା ନା’ ନା’ ଅସମ୍ଭବ । ବିଜୁ ଥିଲେ ସେଇଠି । କ’ଣ ମନହେଲା ଖପ୍ କରି ଧରିଲେ ଦୋଳିଖେଳ ଚାଲିଥିବା ବେଳେ ଓହଳଟାକୁ । ସାଙ୍ଗମାନଙ୍କୁ କହିଲେ ଏବେ ଯେତେ ପାରୁଛ ସେତେ ଜୋରରେ ମତେ ପହୁଞ୍ଚାଅ । ଦୋଳି ଖେଳିଲାବେଳେ ଯଦି ଗୋଡ଼ ତଳକୁ ପାଉଥାଏ ତେବେ ନିଜ ଗୋଡ଼ରେ ଥରକୁ ଥର ଠେଚ ମାରି ପହୁଞ୍ଚାଇବାକୁ ହୁଏ । ଏ ପହୁଞ୍ଚାଣ ବି ଗୋଟେ କଳା । ସମସ୍ତେ ପାରନ୍ତିନି । ଆଜି କିନ୍ତୁ କଥାଟି ଭିନ୍ନ । ବିଜୁ ଧରିଥାନ୍ତି ବିରାଟ ଓହଳଟାକୁ । ପାଦ ତଳକୁ ଲାଗୁନଥାଏ । ଡାକ ଛାଡୁଥାଆନ୍ତି – ଆହୁରି ଜୋରରେ ଠେଲ । ହଁ ଆହୁରି, ଆହୁରି । ସାଙ୍ଗ ପିଲାଙ୍କ ଭିତରେ ଉନ୍ମାଦନା । ବରଓହଳ ଦୋଳାୟମାନ ହୋଇ ଆଗକୁ ଯାଇ ଝଡ଼ ଭଳି ପଛକୁ ଫେରୁଥାଏ । ଆଡ଼ ହୋଇ ରହନ୍ତି ସାଙ୍ଗମାନେ । ଓହଳ ଫେରି ଦେହରେ ବାଜିଲେ ପ୍ରାଣ ଯିବ ।

ଦୋଳି ପହୁଞ୍ଚାଣ ଚାଲିଥାଏ । ଆକାଶକୁ ଉଠିଗଲା ପରି ଉପରକୁ ମାଡ଼ି ଯାଇ ଓହଳଟା ପୁଣି ପଛକୁ ପଚାଶ କି ଷାଠିଏ ହାତ ଫେରି ଯାଉଥାଏ । ହେଲେ ନିର୍ଦ୍ଦିଷ୍ଟ ଡାଳଟା ରହିଯାଉଥାଏ ଅପହଞ୍ଚ ହୋଇ । ପାଖ ହୋଇ ଆସିଲେ ତଳୁ ପିଲାମାନେ ପାଟି କରି ଉଠନ୍ତି – ହଁ ବିଜୁ, ଆଉ ଟିକିଏ, ଆଉ ଟିକିଏ । ହେଇ ବାଜିଗଲା, ବାଜିଗଲା । ମାତ୍ର ଡାଳଟିକୁ ଛୁଇଁବା ପୂର୍ବରୁ ଓହଳଟା ପୁଣି ଫେରିଆସେ ପଛକୁ ।

ବିଜୁ କିନ୍ତୁ ନଛୋଡ଼ ବନ୍ଧା । ଦେହରୁ ଗମ୍‌ଗମ୍ ଝାଳ ବୋହି ଯାଉଥାଏ । ଅବିଶ୍ରାନ୍ତ ଚାଲିଥାଏ ପହୁଞ୍ଚେଇବା କାମ । ଓଃ, ନିର୍ଦ୍ଦିଷ୍ଟ ଡାଳରେ ହାତ ବଜେଇଦେଲେ ବିଜୁ । ତଳୁ ପାଟି ଶୁଭିଲା । ସାବାସ୍ ବିଜୁ ! ସାବାସ୍ ବିଜୁ !

ବରଓହଳ ଫେରୁଥାଏ । ଭୁସ୍ କରି ଶବ୍ଦଟାଏ ହେଲା । ଓହଳରୁ ହାତଖସି ସେଇ ଉପରୁ ବିଜୁ କଚାଡ଼ି ପଡ଼ିଲେ ତଳେ । ଆଣ୍ଠୁ ଗଣ୍ଠି ଖଣ୍ଡିଆ ଖାବରା । ସାଙ୍ଗମାନେ ଧାଇଁଗଲେ ପାଖକୁ । ସମସ୍ତେ ଭାବିଲେ ହାତଗୋଡ଼ ଭାଙ୍ଗିଗଲା ବୋଧେ । ହେଲେ ଏ କ’ଣ । ଝାଡ଼ିଝୁଡ଼ି ଠିଆ ହେଲେ ସେ । ଗୋଡ଼ଟା ମୋଡ଼ି ହୋଇଯାଇଥାଏ । ଛୋଟେଇ ଚାଲିଲେ ଘରକୁ । ସାଙ୍ଗମାନଙ୍କ ମନଦୁଃଖ ।

ବାପା ବସିଥିଲେ ବାରଣ୍ଡାରେ । ପୁଅକୁ ଦେଖି ପଚାରିଲେ କ’ଣ ହେଲାରେ ? ବିଜୁ ଉତ୍ତର ଦେଲେ, ବରଓହଳରେ ଦୋଳି ଖେଳୁ ଖେଳୁ ଉପରଡାଳକୁ ଛୁଇଁବାକୁ ଗଲାବେଳେ ପଡ଼ିଗଲି ।

ବାପାଙ୍କର ପୁଣି ପ୍ରଶ୍ନ – ଛୁଇଁ ପାରିଲୁ କି ନାଇଁ ?

ବିଜୁଙ୍କର ସଂକ୍ଷିପ୍ତ ଉତ୍ତର – ହଁ

ମନକୁ ମନ ବାପା କହିଲେ – “ସେମିତି ତ ହବ । ଉଠିବାକୁ ହେଲେ ସମୟ ସମୟରେ ତଳେ ବି ପଡ଼ିବାକୁ ପଡ଼ିବ ।”

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.