Latest Odisha News

BREAKING NEWS

ଝଡ଼ର ଇଗଲ୍‌: ଗୋପବନ୍ଧୁଙ୍କ ଛତା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୬ଷ୍ଠ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ଗୋପବନ୍ଧୁଙ୍କ ଛତା

ବୋଧହୁଏ ୧୯୨୭ର କଥା ହେବ । ନିଜେ ବିଜୁ କେଉଁଠି ସେ କଥା ସେ କାହାକୁ କହିନାହାନ୍ତି କି ଗୋପବନ୍ଧୁ କାହା ଆଗରେ ସେ କଥା ବର୍ଣ୍ଣନା କରିନାହାନ୍ତି । ତାଙ୍କ ବଡ଼ ଭାଇ ଜର୍ଜ କିନ୍ତୁ ବର୍ଣ୍ଣନା କରି ଲେଖିଛନ୍ତି କଥାଟି ।

ଲୋକମୁହଁରେ ଘଟଣାଟି ପ୍ରଚାରିତ ହୋଇଛି ସବୁଆଡ଼େ ।

ବିଜୁଙ୍କଠାରୁ ଉତ୍କଳମଣି ଗୋପବନ୍ଧୁ ଦାସ ଏକତିରିଶ ବର୍ଷ ବଡ଼ । ୧୮୭୭ରେ ଜନ୍ମ ହୋଇ ୧୯୨୮ରେ ସେ ଦେହତ୍ୟାଗ କରିଥିଲେ । ବିଜୁଙ୍କୁ ବାର ପୂରି ତେର ଚାଲିଥିବାବେଳେ ସେ ଚାଲିଗଲେ । ୧୯୨୮ ସାରା ଓଡ଼ିଶାର ବନ୍ୟା ସକାଶେ ପାଣ୍ଠି ସଂଗ୍ରହ, କାର୍ଯ୍ୟକ୍ରମ, ଲାହୋରଗସ୍ତ, ଲୋକସେବକ ମଣ୍ଡଳର କାମ ଓ ଶେଷରେ ଟାଏଫଏଡ଼ରେ ଆକ୍ରାନ୍ତ ହୋଇ ଜୁନ୍ ୧୭ରେ ମୃତ୍ୟୁମୁଖରେ ପଡ଼ିବା ପର୍ଯ୍ୟନ୍ତ ସେ ବନ୍ୟାଞ୍ଚ ଳ ପରିଦର୍ଶନ କରିବା ସମ୍ଭବ ନଥିଲା ।

୧୯୨୭ ବେଳକୁ ଗୋପବନ୍ଧୁ ସାରା ଓଡ଼ିଶାରେ ଉତ୍କଳମଣି ଭାବରେ ଥିଲେ ପରିଚିତ । ଦୁଃଖୀ, ଦରିଦ୍ର, ବନ୍ୟାକ୍ଲିଷ୍ଟଙ୍କ ପାଇଁ ପ୍ରାଣ ତାଙ୍କର କାନ୍ଦୁଥିଲା । ଗରିବ ଲୋକର ବନ୍ଧୁଭାବେ ସେ ସବୁଆଡ଼େ ପରିଚିତ ଥିଲେ । ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି ସଙ୍ଗକୁ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଗରେ ତାଙ୍କୁ ଜଣେ ଆଦର୍ଶ ପୁରୁଷଭାବେ ଠିଆ କରାଇଥିଲା ।

ବିଜୁଙ୍କ ପିତା ଲକ୍ଷ୍ମୀନାରାୟଣ ସମ୍ମାନ କରୁଥିଲେ ଗୋପବନ୍ଧୁଙ୍କୁ, ତାଙ୍କ ପ୍ରତିଥିଲେ ଶ୍ରଦ୍ଧାଶୀଳ । ଅତଏବ ବିଜୁଙ୍କ ଆଖିରେ ଗୋପବନ୍ଧୁ ମଧ୍ୟ ଥିଲେ ଜଣେ ଆଗୁସାର ମଣିଷ । ବନ୍ୟାଦୁର୍ଗତଙ୍କୁ ସାହାଯ୍ୟ ବାଣ୍ଟିବା ପାଇଁ ଡଙ୍ଗାରେ ଚୂଡ଼ା, ଚାଉଳ, ଲୁଗାପଟା ଧରି ଗୋପବନ୍ଧୁ ବର୍ଷା କାଦୁଅରେ ଗାଁ ଗାଁ ବୁଲନ୍ତି । ଉତ୍ସାହୀ ଛାତ୍ରଙ୍କୁ ଆହ୍ୱାନ ଦିଅନ୍ତି । ଲୋକସେବା ଯେ ସବୁଠାରୁ ବଡ଼ ମହତ ସେବା ଓ ତାହା ହିଁ ଈଶ୍ୱର ସେବା ସେ କଥା ବୁଝାନ୍ତି ଶିଶୁ-କିଶୋର, ଯୁବକ ଯୁବତୀଙ୍କୁ ।

ବସ୍ତୁତଃ ସେଇ ଭାବାବେଗରେ ପ୍ରରୋଚିତ ହୋଇ ବିଜୁ ଥରେ ଗୋପବନ୍ଧୁଙ୍କ ସଙ୍ଗରେ ଯାଇଥିଲେ ବଢି ଅଞ୍ଚଳକୁ । କିଏ କହେ ବୈତରଣୀ ନଦୀ, ତ ଆଉ କିଏ କହେ ବ୍ରାହ୍ମଣୀ । ଜର୍ଜ ତ ଲେଖିଛନ୍ତି, କାଠଯୋଡ଼ି ! କିଏ ବର୍ଣ୍ଣନା କରେ ଏହା ନଈବଢିବେଳେ କୂଳରେ ଠିଆ ହୋଇଥିବାର କଥା ତ ଆଉ କିଏ କହେ ଏତେ ଛୋଟ ପିଲା ଏ ସାହସ କଲା କେମିତି ?

୧୯୨୭ ବେଳକୁ ବିଜୁଙ୍କୁ ମାତ୍ର ଏଗାର ବର୍ଷ ବୟସ । ସେଇ ବୟସରୁ ତ ଅଭିମନ୍ୟୁ ଅସମ୍ଭବ କରିବାକୁ ପ୍ରସ୍ତୁତ ହୋଇସାରିଥିଲେ ।

‘ନିଆଁ ନଥାଇ ଧୂଆଁ ନାହିଁ’ ବୋଲି କଥାଟିଏ ଅଛି । କିଛି ନଥାଇ ଏ ଘଟଣାଟି ପ୍ରଚାରିତ ହେଲା କେମିତି? କେବଳ ଓଡ଼ିଶା ନୁହେଁ ପୂରା ଭାରତ ପାଇଁ ସେ ବର୍ଷଟି ଥିଲା ଅତ୍ୟନ୍ତ ଖରାପ ସମୟ । ସମଗ୍ର ପଶ୍ଚିମ ଓ ପୂର୍ବ ଉପକୂଳରେ ଥିବା ଅଞ୍ଚଳ ନାହିଁ ନଥିବା ବନ୍ୟାବିତ୍ପାତର ସମ୍ମୁଖୀନ ହୋଇଥିଲା । ଜୁଲାଇ ଶେଷ ସପ୍ତାହରୁ ମୂଷଳ ଧାରାରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିଲା ଚାରିଦିନ ଧରି । ବେଶି କ୍ଷତିଗ୍ରସ୍ତ ହୋଇଥିଲେ ଗୁଜୁରାଟ ଓ ଓଡ଼ିଶା । ସେତେବେଳେ ଲୋକେ କହୁଥିଲେ ସର୍ଦ୍ଦାର ପଟେଲଙ୍କ ଗୁଜୁରାଟ ଓ ଗୋପବନ୍ଧୁଙ୍କ ଓଡ଼ିଶା । କାରଣ ଏ ଦୁଇଜଣ ପ୍ରାଣପାତ କରି ଲାଗି ପଡ଼ିଥିଲେ ବନ୍ୟା ଦୁର୍ଗତଙ୍କ ଉଦ୍ଧାର ପାଇଁ ।

ସମ୍ବାଦ ସରବରାହ ବନ୍ଦ ହୋଇଗଲା । ଜୁଲାଇ ୨୯ ତାରିଖରେ ପୁରୀକୁ ହାଓଡ଼ାରୁ ଯେଉଁ ଟ୍ରେନ୍ ଆସେ ତାହା ଆଉ ଆସି ପାରିଲା ନାହିଁ । ମଞ୍ଜୁରୀ ରୋଡ୍ ଓ ବୈତରଣୀ ରୋଡ୍ ଷ୍ଟେସନ ମଝିରେ ଥିବା ରେଳପଥ ପୂରା ଭାସି ଯାଇଥିଲା ।

ସତ୍ୟବାଦୀରେ ଥାଇ ଗୋପବନ୍ଧୁ ବୈତରଣୀ ନଦୀର ପଳୟଙ୍କରୀ ବନ୍ୟା ସମ୍ପର୍କରେ ଖବର ପାଇଥିଲେ । ନିଜେ ଅସୁସ୍ଥ ଥିବାରୁ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗୋଟିଏ ସ୍ୱେଚ୍ଛାସେବୀ ଦଳ ପଠାଇଥିଲେ ସେ ।

ଅସଂଖ୍ୟ ଗାଁ ଥିଲା ପାଣି ଘେରରେ । ହଜାର ହଜାର ଲୋକ ତଥା ଗୃହପାଳିତ ପଶୁ ଭାସି ଯାଇଥିଲେ । ଲୋକେ ଡରିଡ଼ରି କେଉଁଠି କେଉଁଠି କୁଦଯାଗା ବା ଗଛ ଉପରେ ଆଶ୍ରା ନେଇଥିଲେ । ଅନେକଙ୍କର ସର୍ବସ୍ୱ ଚାଲିଯାଇଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଯାଜପୁର ଓ ଭଦ୍ରକ ଅଞ୍ଚଳ ।

ସେଇ ସମୟରେ ବଡ଼ଲାଟ ଲର୍ଡ଼ ଇର୍‌ଭଇନ୍ ଓଡ଼ିଶା ଗସ୍ତରେ ଆସିବାର ଥିଲା । କିନ୍ତୁ ରେଳପଥ ଭାଙ୍ଗିଯାଇଥିବାରୁ ତାଙ୍କ ସ୍ୱତନ୍ତ୍ର ରେଳଗାଡ଼ି ଆସିପାରିଲା ନାହିଁ ।

ଅଧିକ ପଢନ୍ତୁ- ଝଡ଼ର ଇଗଲ୍‌: ଉଡ଼ାଜାହାଜରେ ଉଡ଼ିବି

୧୯୨୭ରେ ବନ୍ୟାଥିଲା ଜଳ-ରାକ୍ଷସ ।

ସେତିକିବେଳେ ଗୋପବନ୍ଧୁ ହୁଏତ ପଛରେ କଟକ ଆସିଥିବେ । ଡଙ୍ଗାରେ କେତେଜଣ ଛାତ୍ର ସ୍ୱେଚ୍ଚାସେବୀଙ୍କୁ ଧରି ଯାଇଥିବେ ଡଙ୍ଗାରେ । ସାମାନ୍ୟ କଥାରେ ବିପଦ ଆଗକୁ ଡେଇଁପଡୁଥିବା ରେଭେନ୍‌ସା କଲେଜିଏଟ୍ ସ୍କୁଲର ଛାତ୍ର ବିଜୁ ସେତିକିବେଳେ ବୋଧେ ଉଠିଥିବେ ଗୋବବନ୍ଧୁଙ୍କ ଡଙ୍ଗାରେ । କେଉଁଠି ସେ କଥାର ପ୍ରମାଣ କରି ଧରିନାହାନ୍ତି । ମାତ୍ର ବର୍ଷ ବର୍ଷ ଧରି ତାହା ଲୋକକଥା ପାଲଟିଛି ।

ବଡ଼ଭାଇ ଜର୍ଜ ପଟ୍ଟନାୟକ ଲେଖିଛନ୍ତି, “ପାଠ ପଢିଲାବେଳେ ସେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ବନ୍ୟାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାପାଇଁ ଯାଇଥିଲେ । କାଠଯୋଡ଼ି ନଈ ଭୀଷଣଭବରେ ବଢିଥାଏ । କାଠଡ଼ଙ୍ଗାରେ ସମସ୍ତେ ବସିଥାନ୍ତି । ହଠାତ୍ ଉତ୍କଳମଣିଙ୍କ ଛତା ନଈରେ ପଡ଼ି ଭାସିଯାଇଥିଲା । ସେ ତତ୍‌କ୍ଷଣାତ୍ ଡେଇଁପଡ଼ି ଛତା ଉଠାଇ ଆଣି ଡଙ୍ଗାକୁ ଫେରି ଆସିଥିଲେ । ଉତ୍କଳମଣି ତାଙ୍କୁ ପଚାରିଥିଲେ , ନଈକୁ ଡେଇଁପଡ଼ିଲ । ଯଦି ମରିଯାଇଥାଆନ୍ତ ? ଜୀବନଠାରୁ କ’ଣ ଛତାଟା ବଡ଼? ବିଜୁ କୁଆଡ଼େ ହସି ହସି କହିଥିଲେ – “ସଂସାରରେ ଆଜି ନୁହେଁ ତ କାଲି ମରିବି; ଆଉ ମରିବା ପାଇଁ କ’ଣ ଭୟ କରିବି?”

ଗୋପବନ୍ଧୁ ତାଙ୍କ ସାହସ ଦେଖି ଆଶୀର୍ବାଦ କରିବା ସଙ୍ଗେ ସଙ୍ଗେ କହିଥିଲେ, “ତୁମେ ଦୁନିଆରେ ଦିନେ ନା ଦିନେ ବଡ଼ ମଣିଷ ହେବ ଓ ନାମ ରଖିବ ।”

ବିଜୁଙ୍କର ଦରିଦ୍ରଙ୍କ ପ୍ରତି ଯେମିତି ଦରଦ ଥିଲା ସେମିତି ବିପଦକୁ ଡେଇଁପଡ଼ିବାର ଅଦମ୍ୟ ସାହସ ବି ଥିଲା । ଏତେ ବର୍ଷ ବିତିଯାଇଥିଲେ ବି ଅନେକ ବ୍ୟକ୍ତି ଏହାକୁ ସାଇତି ରଖିଛନ୍ତି ମନ ଭିତରେ ।

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Comments are closed.