ଝଡ଼ର ଇଗଲ୍‌: ସାଇକେଲରେ ଦୂରଦିଗ୍‌ବଳୟ

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ଆଲେଖ ‘ଝଡ଼ର ଇଗଲ୍‌’ର ଏହା ହେଉଛି ୭ମ କଡ଼ି ।)

ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍‌ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।

ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।

ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।

ସାଇକେଲରେ ଦୂରଦିଗ୍‌ବଳୟ

କଲେଜରେ ଆଇ.ଏସ.ସି ପାଠପଢା ଚାଲିଥାଏ । କଟକ, ରେଭେନ୍‌ସା କଲେଜ । ଯୁବ ବୟସ । ଉଡୁଥାଏ ମନ । କ’ଣ ଗୋଟେ କରି ଦେଖେଇବାର ଅଦମ୍ୟ ପିପାସା ମନରେ । ଖେଳ କୁଦର ଏମିତି କେହି ନଥିଲେ ସାରା କଲେଜରେ ତିନି ତିନିଥର ସ୍ପୋର୍ଟସ୍ ଚମ୍ପିଆନ୍ ହୋଇ ସେ ନାମକରା ଖେଳୁଆଡ଼ । ପୋଲ୍‌ଭଲ୍ଟ୍ ଖେଳ ସେ ପ୍ରଥମେ ଆରମ୍ଭ କରିଥିଲେ ଓଡ଼ିଶାରେ ଓ ସେଥିରେ ନିଜେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

୧୯୩୨ ମସିହା । ବିଜୁଙ୍କର ବୟସ ସେତେବଳକୁ ମାତ୍ର ଷୋହଳ ବର୍ଷ ।

ଖରାଛୁଟି ତିନିମାସ । ଏପ୍ରିଲ୍ ପନ୍ଦରରୁ ଜୁଲାଇ ପନ୍ଦର । ବୁଲାବୁଲି କରିବାପାଇଁ ଦୀର୍ଘ ସମୟ । କଟକର ଦୁଇଜଣ ସାଙ୍ଗ ଭ୍ରମରବର ସାହୁ ଓ ଅମର ଦେଙ୍କୁ ନେଇ ବିଜୁ ଏକ ଯୋଜନା ପସ୍ତୁତ କଲେ । ସଙ୍ଗରେ ଭ୍ରମରବର ସାହୁ ଓ ଅମର ଦେଙ୍କ୍‌ୁ ନେଇ ବିଜୁ ଏକ ଯୋଜନା ପ୍ରସ୍ତୁତ କଲେ । ସଙ୍ଗରେ ଭ୍ରମର ପଢୁଥାଆନ୍ତି ଆଇ.ଏସ୍‌.ସି ମାତ୍ର ଅମର ଥିଲେ ଇଞ୍ଜିନିୟରିଂ ସ୍କୁଲର ଛାତ୍ର । ଠିକ୍ ହେଲା ତିନିଜଣଯାକ ସାଇକେଲରେ କଟକରୁ ପେଶାୱାର ଯିବେ ।

ପେଶାୱାର ? ଦୀର୍ଘ ବିପଦ ସଙ୍କୁଳ ପଥ । ବାଘ, ଭାଲୁ, ଡକାୟତ, ଖରା, ବର୍ଷା ସାଙ୍ଗକୁ ଅଚାନକ ରୋଗବ୍ୟାଧି । ବହୁତ ସାଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲା, ହେଲେ ସମସ୍ତେ ଡରିଲେ କେବଳ ଏଇ ତିନିଜଣଙ୍କୁ ଛାଡ଼ି ।

ଅଜଣା ପଥ । କାହିଁ କେତେ ଦୂରରେ ପେଶାୱାର । ମାତ୍ର ପେଶାୱାର କାହିଁକି? ସେ ଅଞ୍ଚଳ ଦୁର୍ଗମ । ଖାଇବର୍ ଗଳି ଦେଇ ସେଇବାଟେ ଆସିଛନ୍ତି କେତେ ଅନୁପ୍ରବେଶକାରୀ ଭାରତ ଭିତରକୁ । ଦକ୍ଷିଣ ଏସିଆର ସବୁଠାରୁ ପୁରୁଣା ସହର ପେଶାୱାର । ଡହ ଡହ ଖରା ଅଞ୍ଚଳ । ସେଠାକାର ଅଧିବାସୀ ସମସ୍ତେ ସାହସୀ, କର୍ମଠ । କେତେ ଜୀବନ ଯାଇଛି ସେଠି । ସଂସ୍କୃତ ଶବ୍ଦ ‘ପୁରୁଷପୁର’ରୁ ହୋଇଛି ପେଶାୱାର ଅର୍ଥାତ ‘ପୌରୁଷ କ୍ଷେତ୍ର’ । କେଉଁଠୁ ଶୁଣିଥିଲେ ସେଇଥିପାଇଁ ଏ ଦୁର୍ବାର ଆକର୍ଷଣ । ପେଶାୱାର ଯାତ୍ରା ।

ତିନି କିଶୋରଙ୍କ ଏଭଳି ଦୁଃସାହସିକ ଯାତ୍ରା ସମ୍ପର୍କରେ ଶୁଣି କନିକାର ଯୁବରାଜ ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ, ରେଭେନ୍‌ସା କଲେଜର ଅଧ୍ୟାପକ ପ୍ରାଣକୃଷ୍ଣ ପରିଜା ଓ ଅଧ୍ୟାପକ କୃପାନାଥ ମିଶ୍ର ଆଦି ଯଥେଷ୍ଟ ଉତ୍ସାହବାଣୀ ଶୁଣାଇଥିଲେ । ସେତେବେଳେ କଟକରେ ଥାଏ ‘କଟକ ଆଥ୍‌ଲେଟିକ୍ ଆସୋସିଏସନ୍‌’ । ମାତ୍ର ଏଭଳି ସକାଶେ ଯାହା ଖର୍ଚ୍ଚ ହେବ ସେସବୁ ଅନାବଶ୍ୟକ ଅର୍ଥଶ୍ରାଦ୍ଧ ବୋଲି କହି ସେଠାରୁ କୌଣସି ସାହାଯ୍ୟ ମିଳିଲା ନାହିଁ ।

ଦେବାବାଲା ଥିଲା ଜଣେ । ମାତ୍ର ସେତେବେଳକୁ ସେ ନିଃସ୍ୱ, ସମ୍ବଳହୀନ । ରୋଗଶଯ୍ୟାରେ ପଡ଼ିଥାଆନ୍ତି କୁଳବୃଦ୍ଧ ମଧୁସୂଦନ ଦାସ । ଦେବ କିଏ? ବିଜୁଙ୍କ ପିତା ଲକ୍ଷ୍ମୀନାରାୟଣ ଉତ୍ସାହିତ କରିଥିଲେ ସେମାନଙ୍କୁ । ଅର୍ଥରାଶି ମଧ୍ୟ ଯୋଗାଡ଼ କରିଦେଇଥିଲେ । “ପିଲାଏ ଅମଡ଼ା ମାଡ଼ନ୍ତୁ । ଅଜଣା ଦିଗକୁ ଗଲେ ସିନା ନୂଆ କଥା ଆବିଷ୍କାର କରିବେ ?” ଏହାଥିଲା ତାଙ୍କର ସେତେବେଳକା ମନ୍ତବ୍ୟ ।

୧୯୩୨ ମସିହା ମେ’ ମାସ ପହିଲା ତାରିଖ । ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଠାରୁ ସାର୍ଟିଫିକେଟ ଓ ପରିଚୟ ପତ୍ର ଆଦି ଯୋଗାଡ଼ ହେଲା । କ’ଣ କେଉଁଠି ଆବଶ୍ୟକ ପଡ଼ିବ କିଏ କହିବ । ଲୁଗାପଟା, ଶେଯ ନିହାତି ଆବଶ୍ୟକ ପଦାର୍ଥ ବନ୍ଧା ହେଲା ସାଇକେଲ ପଛରେ । ସେ ଦିନ ସକାଳେ ଯୋବ୍ରାଘାଟ ପାଖରେ ପହଞ୍ଚିଲେ ସମସ୍ତେ । ଆହୁରି କେତେ କେତେ ବନ୍ଧୁ ଆସିଥିଲେ ବଳେଇ ଦେବାପାଇଁ । କିଏ କୁଣ୍ଢେଇ ପକେଇଲା ତ କିଏ ହାତ ମିଳେଇଲା । ଚିଠି ନିଶ୍ଚୟ ଲେଖିବାକୁ ପ୍ରାୟ ସମସ୍ତେ ଅନୁରୋଧ କଲେ ।

କଟକରୁ ସାଇକେଲରେ ଏଭଳି ଦୂରଯାତ୍ରା ଅନେକଙ୍କ ପାଇଁ ସେ ଦିନ ଥିଲା ଏକ ଦୁଃସାହସିକ ପଦକ୍ଷେପ । ବୋଧହୁଏ ଓଡ଼ିଶା ଇତିହାସରେ ପ୍ରଥମ । ଚାରିହଜାର ପାଞ୍ଚଶହ ମାଇଲର ସାଇକେଲ୍ ଅଭିଯାନ । ପଥରବନ୍ଧ ଉପରେ ସର୍‌ସର୍ ଗଡ଼ିଲା ସାଇକେଲ୍ ଚକ । ଆଗରେ ବିଜୁ, ପଛରେ ଅମର, ମଝିରେ ଭ୍ରମର ।

ବାଟରେ କେତେ ଗପସପ, କେତେ ଆଲୋଚନା । ନଈନାଳ, ଗଛପତ୍ର, ବିଲମାଳ ପଡ଼ିଆ । ଓଡ଼ିଶା ଫିଟି ପଡୁଥାଏ ସାଇକେଲ ଚକର ଧାରେ ଧାରେ ।

ମେ ମାସ ଚାରି ତାରିଖ ଦିନ ସେମାନେ ପହଞ୍ଚିଯାଇଥିଲେ ଚକ୍ରଧରପୁରରେ । ଓଡ଼ିଶାର ସୀମା । ସେଠାକୁ ଆସି ପହଞ୍ଚିଥାନ୍ତି ମହାତ୍ମାଗାନ୍ଧୀ ।

ବିଜୁଙ୍କ ପାଟିରୁ ବାହାରି ପଡ଼ିଲା, “ଆରେ ବାଃ ! ଏଇଠି ତା’ହେଲେ ଗାନ୍ଧୀ ମହାତ୍ମାଙ୍କ ସହ ଦେଖା
ହୋଇଯିବ । ପାଞ୍ଚ ବର୍ଷ ତଳେ ଚେଷ୍ଟା କରି ଦେଖିପାରିନଥିଲି । ଆଜି ଏ ସୁଯୋଗ ଛାଡ଼ିବାର ନୁହେଁ ।

ଆଗରୁ ଠିକଣା ସଂଗ୍ରହ କରି ନେଇଥିବା ଜଣେ ପରିଚିତ ଓଡ଼ିଆଙ୍କ ଘରକୁ ଯାଇ ସେଠାରେ ସମସ୍ତେ ଗାଧୁଆ ପାଧୁଆ, ଖିଆପିଆ କଲେ । ତା’ପରେ ତିନି ବନ୍ଧୁଙ୍କର ସାଇକେଲ ଗଡ଼ିଥିଲା ଗାନ୍ଧୀଙ୍କର ସଭାସ୍ଥଳକୁ । ଲୋକ ଯେ କାହିଁରେ କ’ଣ । କିଛି ସମୟ ଅପେକ୍ଷା କରିବାପରେ ଗାନ୍ଧୀଜୀ ଦଳ ଧରି ପହଞ୍ଚିଗଲେ ସେଠି । ଅତି ପାଖରୁ ସେମାନେ ଗାନ୍ଧୀଜୀଙ୍କୁ ଦେଖିବାକୁ ପାଇଲେ । ଜୀବନରେ ସେଇ ପ୍ରଥମ ଦେଖା । ବିଜୁ ମନେ ମନେ ଭାବିଲେ, ଛବିରେ ଯେମିତି ଦେଖିଥିଲି, ଅବିକଳ ସେମିତି । କିଛି ନୂଆ କଥା ନାଇଁ । ସବୁବେଳେ ସେ ବୋଧେ ସେମିତି । ଗୋଟିଏ ହାତ ଉପରେ ଭରା ଦେଇ ମଟରଗାଡ଼ି ଉପରେ ବସିଥାଆନ୍ତି ସେ । ବାହାରେ ଏତେ ଲୋକଙ୍କର କୋଳାହଳ, ଉଲ୍ଲାସ ଧ୍ୱନି । “ଗାନ୍ଧୀ ମହାତ୍ମା କୀ ଜୟ” । ମାତ୍ର କୌଣସି ଆଡ଼କୁ ତାଙ୍କର ନଜର ନଥାଏ । କ’ଣ ଗୋଟାଏ ଚିନ୍ତାରେ ବୁଡ଼ି ରହିଥାନ୍ତି ସେ ।

ସାଇକେଲ ଯାତ୍ରାର ତାହା ହିଁ ଥିଲା ପ୍ରଥମ ସଫଳତା ।

ବିପଦ ଯେ ପଥ ଓଗାଳିନାହିଁ ସେ କଥା ନୁହେଁ, ମାତ୍ର ସବୁକଥାକୁ ସାମନା କରି ଚାଲିଥିଲେ ତିନି ବନ୍ଧୁ ।

ବିହାରର କେଉଁ ଏକ ଜଙ୍ଗଲ ଅଞ୍ଚଳ ହେବ ବୋଧେ! ଆଗକୁ ରାଞ୍ଚି । ଗୁଣୁଗୁଣୁ ଗୀତ ଗାଇ ସାଇକେଲ ଛୁଟାଇଥାନ୍ତି ତିନିହେଁ । ବେଳ ରତରତ । ଜଙ୍ଗଲ ସରି ସରି ଆସୁଛି । ଆଗକୁ ଦେଖାଯାଉଛି ଜନପଦ । ସେଇଠି ରାତିଟା ଅଟକିଯିବେ ସେମାନେ । ହଠାତ୍ ଅମର ପାଟି କରି କହିଲେ, ବାଘ ! ସମସ୍ତେ, ଦେଖିଲେ ମହାବଳ ବାଘଟାଏ ଥାବା ପକେଇ ବସିଛି ସାମନା ରାସ୍ତାରେ । ସାଇକେଲରୁ ଓହ୍ଲେଇ ପଡ଼ିଲେ ସମସ୍ତେ । ବିଜୁଙ୍କର ମନେ ପଡ଼ିଲା ବାପା ପିଲାଦିନେ କହିଥିବା ଆଦିବାସୀ ଯୁବକର କାହାଣୀ । ସେ ପାଟିକରି କହିଲେ ଡରନା ମୋଟେ । ଏଟା ନରଖାଦକ ନୁହେଁ । ସେ ଭଳି ହୋଇଥିଲେ ଏମିତି ବସି ରହନ୍ତା ନାହିଁ । ଆମେ ତିନିଜଣ ଅଛେ । ସେ ତ ଜଣେ । ସମସ୍ତେ ଆଖିମିଳାଇ ଚାହିଁ ରହ । ଆପେ ସେ ପଳେଇଯିବ ।

ଏତିକିବେଳେ ରାସ୍ତାର ସେପଟୁ ଆସୁଥିବା ଦଳେ ଯାତ୍ରୀ ବାଘକୁ ଦେଖି ପାଟିକରି ଉଠିଲେ – “ଜୟ ମା ଭବାନୀ” । ତାଳଦେଇ ଏ ତିନିଜଣ ମଧ୍ୟ ଏପଟୁ ଡାକ ଛାଡ଼ିଲେ “ବୋଲ ଭାଇ, ଜୟ ଜଗନ୍ନାଥ” । ବାଘ କ’ଣ ଭାବିଲା କେଜାଣି, ଦେ’ ମାର୍ ଡିଆଁ !

ଏମିତି କେତେ ଛୋଟ ବଡ଼ କଥା ।

ଜୁନ୍ ଚାରି ତାରିଖ । କଟକ ଯୋବ୍ରା ପଥରବନ୍ଧରୁ ମେ’ ଏକ ତାରିଖରେ ଆରମ୍ଭ ହୋଇଥିବା ସାଇକେଲ ଯାତ୍ରା ସରିଥିଲା ପେଶୱାରଠାରେ । ଚକ୍ରଧରପୁର ରାଞ୍ଚି, ସାରାରାମ, ବନାରସ, କାନପୁର, ଆଗ୍ରା, ଦିଲ୍ଲୀ, ଅମୃତସର, ଲାହୋର, ରାୱଲପିଣ୍ଡି ଦେଇ ଯାଇଥିଲେ ସେମାନେ । ପେଶାୱାରରେ ପହଞ୍ଚି ଦେହର ପୀଡ଼ା ମାରିବା ପାଇଁ ଦୁଇଦିନ ବିଶ୍ରାମ ନେବାକୁ ପଡ଼ିଛି । ସ୍ଥାନୀୟ ଲୋକେ ତିନି କିଶୋରଙ୍କର ଦୁଃସାହସିକ ପଦଯାତ୍ରା ବିଷୟ ଶୁଣି ବାହାବାହା କଲେ । କେତେ କେତେ ଦର୍ଶନୀୟ ସ୍ଥାନ ବୁଲାହେଲା । ମାତ୍ର ଖାଇବର୍ ପାସ୍ ଯିବାକୁ ପୋଲିସ ଅନୁମତି ମିଳିଲା ନାହିଁ । ସେତିକିବେଳେ ଦିନେ ଖବର ପହଞ୍ଚିଲା ଯେ ବନ୍ଧୁ ଅମର ଦେଙ୍କର ରୟାଲ୍ ଏୟାର୍ ଫୋର୍ସରେ ଚାକିରି ହୋଇଯାଇଛି । ଅତଏବ ସେଇଠାରୁ ବିଦାୟନେଇ ଚାଲିଆସି ସେ ବୃତ୍ତିରେ ଯୋଗଦେଲେ ।

ଫେରିଲାବେଳେ ଟ୍ରେନରେ ଥିଲେ କେବଳ ବିଜୁ ଆଉ ଭ୍ରମର । ଟ୍ରେନରେ ପେଶାୱାରରୁ କଟକ ତିନିଦିନର ରାସ୍ତା । କଟକରେ ପହଞ୍ଚିବା ଦିନ ସାଙ୍ଗମାନେ ଘେରି ଯାଇଥିଲେ । ଦୁଇଜଣଙ୍କୁ କେତେ ପ୍ରଶଂସା କେତେ ସାବାସୀ ।

ଅଧିକ ପଢନ୍ତୁ – ଝଡ଼ର ଇଗଲ୍‌: ଗୋପବନ୍ଧୁଙ୍କ ଛତା

ସେଇଠି ବି ଥିଲେ ବିଜୁଙ୍କ ପିତା ଲକ୍ଷ୍ମୀନାରାୟଣ । ଜଣେ କିଏ ମନ୍ତବ୍ୟ ଦେଲେ – “ଆପଣ ବିଜୁୁକୁ ଏ ବିପଦପୂର୍ଣ୍ଣ ଯାତ୍ରା ପାଇଁ ଅନୁମତି ଦେଲେ, ଡର ଲାଗିଲାନି ?”

ସେତେବେଳେ ଲକ୍ଷ୍ମୀନାରାୟଣ ଉତ୍ତର ଦେଇଥିଲେ – “ଆରେ ଭାଇ, ଏ ଦୁନିଆ ବହୁତ ବଡ଼ । ଏଥିରେ ନିଜେ ନିଜକୁ ପ୍ରସ୍ତୁତ କରି ସବୁ କିଛି ଜାଣିବାକୁ ଚେଷ୍ଟା ନ କଲେ ଜୀବନ ନିଷ୍ଫଳ ହୋଇଯିବ । ମୋ ପିଲା ହୁଅନ୍ତୁ ବା ତୁମର ପିଲା ହୁଅନ୍ତୁ । ସେମାନେ ଯଦି ଏ ବୟସରେ ଆମ ଉପରେ ନିର୍ଭର କରିବେ ତେବେ ଭବିଷ୍ୟତରେ ଜଣେ ଜଣେ ଅପଦାର୍ଥ ସାବ୍ୟସ୍ତ ହେବେ । ତେଣୁ ସେମାନଙ୍କୁ ଛାଡ଼ିଦିଅ – ସେମାନଙ୍କ ଆଖି ଯୁଆଡ଼େ ଯାଉଛି, ଗୋଡ଼ ଯେଉଁଆଡ଼େ ଟାଣୁଛି ସେଇଆଡ଼େ ଯାଆନ୍ତୁ । ଦୂର ଦିଗବଳୟ ଅତିକ୍ରମ କରନ୍ତୁ ।”

(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )

 

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।