ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଆଜି ଖୋଲିବକି ସସପେନ୍ସ। ଘଟଣାକୁ ୮ ଦିନ ବିତି ଯାଇଥିଲେ ବି ଘଟଣାରେ ଏଯାଏଁ କୌଣସି ସ୍ପଷ୍ଟତା ଆସିନାହିଁ।
ଝରାଫୁଲ ମୃତ୍ଯୁ ମାମଲାର ମୁଖ୍ଯ ଅଭିଯୁକ୍ତ ରାକେଶର ରିମାଣ୍ଡ ଅବଧି ମଧ୍ୟ ଆଜି ଶେଷ ହେଉଛି । ୩ ଦିନିଆ ରିମାଣ୍ଡରେ ନେଇ ରାକେଶକୁ ଜେରା କରିଛି ଯାଜପୁର କୁଆଖିଆ ପୋଲିସ ।
ସୂଚନାନୁସାରେ, ରାକେଶ ସ୍ବାଇଁଙ୍କୁ ଗତକାଲି ଯାଜପୁରରୁ ଭୁବନେଶ୍ବର ଧର୍ମବିହାର ଗେଷ୍ଟହାଉସକୁ ଆଣି ତନାଘନା କରିଥିଲା ପୋଲିସ। ରାକେଶକୁ ଧରି କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରାଯାଇଥିଲା ।
ବାଣୀବିହାର ଠାରୁ ଆରମ୍ଭ କରି ଫାଷ୍ଟଫୁଡ୍ ଦୋକାନ ଓ ଶିବସାଇ ଗେଷ୍ଟ ହାଉସରେ ପୋଲିସ ଡେମୋ କରାଯାଇଛି। ଏହାରି ମଧ୍ଯରେ କଣ ସବୁ ହୋଇଥିଲା ତାର ଡେମୋ ଦେଖାଇଥିଲା ଅଭିଯୁକ୍ତ ରାକେଶ ।
ଏତେ ସବୁ ସତ୍ତ୍ୱେ ମଧ୍ୟ ଝରାଫୁଲଙ୍କ ମୃତ୍ୟୁ ଉପରୁ ଏଯାଏଁ ପରଦା ଉଠି ନାହିଁ। ଝରାଫୁଲଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଏବେବି ସନ୍ଦେହ ଘେରରେ।
ଅନ୍ୟପଟେ ପୋଷ୍ଟମର୍ଟମ୍ ରିପୋର୍ଟ କି ଭିସେରା ରିପୋର୍ଟ ଆସିନଥିବା କହିଛି କୁଆଖିଆ ପୋଲିସ। ଏବେବି ରାକେଶ ସହ ଥିବା ତାର ସହଯୋଗୀ ଧରାପଡ଼ିନାହିଁ ।
ଯେଉଁ ସ୍କୁଟରରେ ଝରାଫୁଲକୁ ନେଇ ଯାଜପୁରରେ ଫିଙ୍ଗିଥିଲେ ଏବେବି ସେହି ସ୍କୁଟର ପୋଲିସ ହାତରେ ଲାଗିନାହିଁ । ଝରାଫୁଲଙ୍କ ମୋବାଇଲ୍ ପୋଲିସ ଜବତ କରିପାରିନାହିଁ । ଝରାପୁଲଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ପ୍ରାଣେ ପ୍ରାଣେ ଉଦ୍ୟମ ଚଳାଇଛି ପୋଲିସ ।
Comments are closed.