ଭୁବନେଶ୍ବର: ଗତ ଶୁକ୍ରବାର ଝାଡଖଣ୍ଡ ବିଧାନସଭାରେ ପାରିତ ହୋଇଛି ଖଣି ଖନନ ସଂପର୍କିତ ବିଲ୍ । ଯେଉଁଥିରେ ରାଜସ୍ବ ବଢାଇବା ପାଇଁ ଝାଡଖଣ୍ଡ ସରକାର ଖଣି ଖନନ ଉପରେ ଉପକର ଲଗାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ତେବେ ଗତ ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟ ଖଣି ଖନନ ନେଇ ଏକ ବଡ ଘୋଷଣା କରିଥିଲେ । ଯେଉଁଥିରେ ଖଣି ଉପରେ କର ଲଗାଇବା ରାଜ୍ୟ ସରକାରଙ୍କର କ୍ଷମତାଭୁକ୍ତ ବୋଲି ଦର୍ଶାଯାଇଥିଲା । ଯାହା ପରେ ଏହାକୁ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ଝାଡଖଣ୍ଡ ସରକାର ।
ଏନେଇ ଝାଡଖଣ୍ଡ ଖଣିଜ ସମ୍ପଦ ମନ୍ତ୍ରୀ ମିଥିଲେଶ ଠାକୁର ‘ ଝାଡଖଣ୍ଡ ଖଣି ଭୂମି ବହନ ଉପକର ବିଲ୍ ୨୦୨୪’ ପ୍ରସ୍ତାବ ଦେଇଥିଲେ । ଯାହାକୁ ଭଏସ ଭୋଟ ସହ ସହମତି ଦିଆଯାଇଛି । ଏହି ବିଲରେ ପ୍ରତି ମେଟ୍ରିକ ଟନ୍ ଆଧାରରେ ବିଭିନ୍ନ ଖଣିଜ ପଦାର୍ଥ ପାଇଁ ଭିନ୍ନ ଭିନ୍ନ ପ୍ରସ୍ତାବ ରଖାଯାଇଛି । କୋଇଲା ଓ ଲୁହା ଖଣିଜ ଉପରେ ୧୦୦ ଟଙ୍କା, ବକ୍ସାଇଟ ପାଇଁ ୭୦ ଟଙ୍କା ଏବଂ ମାଙ୍ଗାନିଜ ଓ ଅନ୍ୟ ଖଣିଜ ପଦାର୍ଥ ପାଇଁ ୫୦ ଟଙ୍କା ବିଧେୟ କରାଯାଇଛି ।
ଯାହାକୁ ନେଇ ଏଜେଏସୟୁ ବିଧାୟକ ଓ ସିପିଆଇ(ଏମଏଲ) ବିଧାୟକ ବିନୋଦ କୁମାର ସିଂ ଏହାକୁ ନିର୍ଦ୍ଧାରି କମିଟି ଦ୍ବାରା ଯାଞ୍ଚ କରିବା ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ଯେଉଁ କର ଆଦାୟ ହେବ ତାହା ଉକ୍ତ ଖଣି ଖନନ ସ୍ଥାନୀୟ ବ୍ୟକ୍ତିଙ୍କୁ କ୍ଷତିପୂରଣ ଭାବେ ପ୍ରଦାନ କରିବାକୁ କହିଥିଲେ ଏବଂ ଖଣି କର ଓଜନ ଉପରେ ନ ଆଦାୟ କରି ବଜାରରେ ଏହାର ମୂଲ୍ୟ ଉପରେ ଆଦାୟ କରିବାକୁ ପ୍ରସ୍ତାବ ଦେଇଥିଲେ ।
ଯାହାକୁ ନେଇ ଖଣି ମନ୍ତ୍ରୀ ଆଶ୍ବସନା ଦେଇଥିଲା କି ନିର୍ଦ୍ଧାରିତ କମିଟି ଦ୍ବାରା ଉପଯୁକ୍ତ ଯାଞ୍ଚ ପରେ ହିଁ ଏହାକୁ ବିଧାନସଭାରେ ରଖାଯାଇଛି ଏବଂ ସଂଶୋଧନ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ହେମନ୍ତ ଶୋରେନ୍ କହିଛନ୍ତି, ସମୟ ଅନୁସାରେ କିଛି ପରିବର୍ତ୍ତନ ହୋଇଥାଏ । ତେଣୁ ରାଜ୍ୟ ସରକାରଙ୍କ ପାଖରେ ଏ କ୍ଷମତା ଅଛି ଯେ, ବଲ୍ ପାରିତ ହେବା ପରେ ଏଥିରେ ଅର୍ଥରାଶି ନେଇ ପରିବର୍ତ୍ତନ କରାଯାଇପାରିବ ।
ଖଣି ଖନନ ନେଇ କ’ଣ କହିଥିଲେ ସୁପ୍ରିମକୋର୍ଟ?
ଗତ ୨୫ ତାରିଖରେ ଖଣି ଖନନ ନେଇ ସୁପ୍ରିମକୋର୍ଟ କହିଥିଲେ, ରୟାଲିଟି ଟ୍ୟାକ୍ସ ନୁହେଁ । ରାଜ୍ୟ ସରକାରଙ୍କର ଖଣିଜ ପଦାର୍ଥ ଜମି ଉପରେ ଟିକସ ଆଦାୟ କରିବାର କ୍ଷମତା ଅଛି । ହେଲେ ଏନେଇ କେନ୍ଦ୍ରକୁ ଦିଆଯାଇଥିବା ରୟାଲିଟିକୁ ଟ୍ୟାକ୍ସ କୁହାଯାଇପାରିବ ନାହିଁ । ବରଂ ଏହା ଏକ ଚୁକ୍ତିନାମା ଦେୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଯାହା ୮:୧ ମତରେ ଶୁଣାଣି କରାଯାଇଥିଲା । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ୯ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ୮ ଜଣ ଏହାକୁ ସମର୍ଥନ ଦେଇଥିବା ବେଳେ ଜଣେ ବିଚାରପତି ଏହାକୁ ନେଇ ଭିନ୍ନ ମତ ରଖିଥିଲେ । ଯେଉଁଥିରେ ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଉତ୍ତର-ପୂର୍ବର ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଫାଇଦା ଉଠାଇପାରିବେ ।
ଲାଗୁ କରିବ ଓଡିଶା?..
ଝାଡଖଣ୍ଡ ସରକାର କିଛି ଏମିତି ବିଲ୍ ବିଧାନସଭାରେ ପାରିତ କରିବା ପରେ ଓଡିଶା ଏହାକୁ ଅନୁସରଣ କରିବ କି? ଖଣିଜ ପଦାର୍ଛଥରେ ଭରପୂର ଓଡିଶାରେ ଏହା ଲାଗୁ ହେବା ଦ୍ବାରା ରାଜ୍ୟ ରାଜସ୍ବ ଉପରେ ଏହାର ବଡ ପ୍ରଭାବ ଦେଖାଯିବ । ଯାହା ରାଜସ୍ବ ବୃଦ୍ଧି କରାଇବାରେ ସହାୟକ ହେବ । ତେବେ ଝାଡଖଣ୍ଡ ପରେ ଖଣିଜ ପଦାର୍ଥରେ ଭରପୂର ଓଡିଶାରେ ଏହା ଲାଗୁ ହେବ କି? ନୂଆ କରି ରାଜ୍ୟରେ ଏକାକୀ କ୍ଷମତାକୁ ଆସିଥିବା ବିଜେପି ସରକାର ଖଣି ଜମି ଉପରେ ଉପକର ଲଗାଇବା ପଦକ୍ଷେପ କୁ ଅନୁସରଣ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
Comments are closed.