Latest Odisha News

ବିଧାନସଭା ଲଢେଇରେ ଝାଡଖଣ୍ଡ ବୋହୂ

ରାଞ୍ଚି: ଝାଡଖଣ୍ଡ ବିଧାନସଭା ଲଢେଇରେ ବୋହୂ । ବହୁ ଜଣାଶୁଣା ରାଜନୈତିକ ବ୍ୟକ୍ତିବିଶେଷଙ୍କ ବୋହୂ ଏଥର ମଇଦାନକୁ ଓହ୍ଲାଇଛନ୍ତି । ପରିବାରର ଗଡ ରକ୍ଷା ଦାୟିତ୍ୱ ରହିଛି ସେମାନଙ୍କ କାନ୍ଧରେ । ବୋହୂଙ୍କୁ ମଇଦାନକୁ ଓହ୍ଲାଇ ବିରୋଧୀଙ୍କ ବିପକ୍ଷରେ ରାଜନୀତିର ଗୋଟି ଚଳାଉଛନ୍ତି ବରିଷ୍ଠ ନେତା । ଆଉ ପରିବାରର ପାରମ୍ପରିକ ସିଟରେ ବିଜୟ ବାନା ଉଡାଇବାକୁ ଉଦ୍ୟମ କରୁଛନ୍ତି ବୋହୂ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦୁଇ ବୋହୂ ସୀତା ଓ କଳ୍ପନା ହୁଅନ୍ତୁ କି ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ । ଝାଡଖଣ୍ଡ ନିର୍ବାଚନକୁ ରୋଚକ କରିଛି ବୋହୂଙ୍କ ଦମଦାର ଏଣ୍ଟ୍ରି ।

ମଇଦାନରେ ଶିବୁ ସୋରେନଙ୍କ ଦୁଇ ବୋହୂ

ଝାଡଖଣ୍ଡ ନିର୍ବାଚନରେ ଅନ୍ୟତମ ଟାଣୁଆ ପ୍ରାର୍ଥୀ ହେଉଛନ୍ତି ଶିବୁ ସୋରନଙ୍କ ଦୁଇ ବୋହୂ କଳ୍ପନା ସୋରେନ୍ ଓ ସୀତା ସୋରେନ୍ । ଗିରିଡିହର ଗାଣ୍ଡେୟ ବିଧାନସଭା ଆସନରୁ ଲଢୁଛନ୍ତି ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ୍ । ଚଳିତ ବର୍ଷ ଉପନିର୍ବାଚନରେ ହିଁ ରାଜନୀତିରେ ଏଣ୍ଟ୍ରି ମାରିଥିଲେ କଳ୍ପନା । ଗାଣ୍ଡେୟ ଆସନରୁ ଜିତି ବିଧାନସଭାରେ ପହଞ୍ଚିଥିଲେ । ସ୍ୱାମୀ ହେମନ୍ତ ସୋରେନ ଜେଲ ଯିବା ପରେ କଳ୍ପନାଙ୍କ ରାଜନୈତିକ ପରିପକ୍ୱତା ସାରା ଦେଶ ଦେଖିଥିଲା । ଶିବୁ ସୋରେନଙ୍କ ବଡ ପୁଅ ଦୁର୍ଗା ସୋରେନଙ୍କ ପତ୍ନୀ ସୀତା ମଧ୍ୟ ଏଥର ନିର୍ବାଚନ ମଇଦାନରେ । ଚଳିତ ବର୍ଷ ଜେଏମଏମ ଛାଡି ବିଜେପିରେ ସାମିଲ ହୋଇଥିବା ସୀତା ସୋରେନ୍ ଜମତାରା ସିଟରୁ ଲଢୁଛନ୍ତି ।

ରଘୁବରଙ୍କ ‘ପୂର୍ଣ୍ଣିମା’ ସରପ୍ରାଇଜ୍ 

ରାଜ୍ୟପାଳ ପଦ ଛାଡି ରଘୁବର ଦାସ ନିର୍ବାଚନ ଲଢିବା ଚର୍ଚ୍ଚା ଭିତରେ ଆସିଥିଲା ବଡ ସରପ୍ରାଇଜ । ରଘୁବରଙ୍କ ପାରମ୍ପରିକ ସିଟ୍ ଜାମସେଦପୁର ପୂର୍ବ ଆସନରୁ ପ୍ରାର୍ଥୀ ହୋଇଥିଲେ ବୋହୂ ପୂର୍ଣ୍ଣିମା ଦାସ । ୨୦୧୯ରେ ସମାନ ଆସନରେ ହାରିଥିଲେ ରଘୁବରା ପରେ ସେ ଝାଡଖଣ୍ଡ ରାଜନୈତିକ ଦୃଶ୍ୟପଟ୍ଟରୁ ବାଦ ପଡି ରାଜ୍ୟପାଳ ପଦ ସମ୍ଭାଳିଥିଲେ । ରଘୁବରଙ୍କ ପୁଅ ଲଳିତ ଦାସଙ୍କୁ ୨୦୧୯ରେ ବିବାହ କରିଥିବା ପୂର୍ଣ୍ଣିମା ଏଥର ଲଢୁଛନ୍ତି ରଘୁବରଙ୍କ ପାଇଁ ସମ୍ମାନର ଲଢେଇ ।

ସବିତାଙ୍କ ପାଇଁ ସମ୍ମାନର ଲଢେଇ

ସମାଜସେବୀ ନିର୍ମଳ ମହାତୋଙ୍କ ପତ୍ନୀ ସବିତା ଦେବୀ ଏଥର ପୁଣି ଇଚ୍ଚାଗଡରୁ ଜେଏମଏମ ଟିକେଟରେ ଲଢୁଛନ୍ତି ସମ୍ମାନର ଲଢେଇ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୨୦୧୯ରେ ସମାନ ଆସନରୁ ବିଜୟୀ ହୋଇଥିଲେ । ଏଥର ପୁଣି ବିଜୟର ଦ୍ୱିତୀୟ ଇନିଂସ ଖେଳିବାକୁ ଉଦ୍ୟମ କରୁଛନ୍ତି । ତେବେ ଏଥର ସବିତା ମହାତୋଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରନ୍ତି ଏଜେଏସୟୁ ପ୍ରାର୍ଥୀ ।

ମହାଗାମା ମହାଲଢେଇରେ ଦୀପିକା

ଜଣାଶୁଣା ରାଜନେତା ଅୱଧ ବିହାରୀ ସିଂଙ୍କ ବୋହୂ ଦୀପିକା ପାଣ୍ଡେ ଏଥର ମହାଗାମାରୁ ପୁଣି ଲଢୁଛନ୍ତି । ୨୦୧୯ରେ ବି ସେ ମହାଗାମା ସିଟ୍ ଜିତିଥିଲେ । ପରେ ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ ହୋଇଥିଲେ । ଯୁବ କଂଗ୍ରେସ କର୍ମୀ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଦୀପିକାଙ୍କ ବିପକ୍ଷରେ ଏଥର ବି ବିଜେପିର ଅଶୋକ ଭଗତ ନିର୍ବାଚନ ମଇଦାନରେ ରହିଛନ୍ତି ।

ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ ରହିଥିବା ସତ୍ୟାନନ୍ଦ ଭୋଗତାଙ୍କ ବୋହୂ ରଶ୍ମି ପ୍ରକାଶ ଚତ୍ରା ଆସନରୁ ଆରଜେଡି ଟିକେଟରେ ପ୍ରାର୍ଥୀ ହୋଇଛନ୍ତି । ଚିରାଗ ପାଶୱାନଙ୍କ ଦଳର ପ୍ରାର୍ଥୀ ଜନାର୍ଦ୍ଦନ ପାଶୱାନ ରଶ୍ମିଙ୍କୁ ଟକ୍କର ଦେଇ ପାରନ୍ତି ।

 

Leave A Reply

Your email address will not be published.