Latest Odisha News

BREAKING NEWS

ଜେଏମଏମ-କଂଗ୍ରେସ ଓ ବିଜେପିର ଏହି ୧୦ ହେଭିୱେଟଙ୍କ ଆଜି ହେଉଛି ଭାଗ୍ୟ ପରୀକ୍ଷା

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାର ସମୁଦାୟ ଆସନ ସଂଖ୍ୟା ହେଉଛି ୮୧ । ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ପର୍ଯ୍ୟନ୍ତ ଯେଉଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ୧୫ଟି ଆସନରେ ଆଜି ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି । ଝାଡ଼ଖଣ୍ଡର ଶାସକ ବିଜେପି ବିରୋଧୀ କଂଗ୍ରେସ ଓ ଜେଏମଏମ ମେଣ୍ଟ ମଧ୍ୟରେ ଏହି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମୂଳକ ହେଉଛି । ଶାସକ ବିଜେପି ଏଥର ପୁଣିଥରେ କ୍ଷମତାରେ ରହିବା ଲାଗି ପ୍ରଚେଷ୍ଟା ଜାରି ରଖିଥିବା ବେଳେ ଜେଏମଏମ ଓ କଂଗ୍ରେସ ଦଳ କ୍ଷମତାକୁ ଫେରିବାକୁ ନିର୍ବାଚନରେ ସମସ୍ତ ପ୍ରକାର କୌଶଳ ପ୍ରୟୋଗ କରିଛନ୍ତି । ଆଜି ଝାଡ଼ଖଣ୍ଡ ରାଜ୍ୟ ରାଜନୀତିର ୧୦ ଜଣ ହେଭିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ବିଧାନସଭା ଲାଗି ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ରାଜନୀତିରେ ବେଶ୍ ପ୍ରଭାବ ବିସ୍ତାର କରିଥିବା କିଛି ବରିଷ୍ଠ ନେତାମାନଙ୍କର ଆଜି ଭାଗ୍ୟ ପରୀକ୍ଷା ହେଉଛି । ତେଣୁ ଆଜି ଅନୁଷ୍ଠିତ ହେଉଥିବା ଭୋଟଗ୍ରହଣ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ ।

ସୋମବାର ଦିନ ଅନୁଷ୍ଠିତ ହେଉଥିବା ୧୫ ଆସନ ମଧ୍ୟରୁ ୭ଟି ଆସନରେ ଝାଡ଼ଖଣ୍ଡର ୧୦ ଜଣ ହେଭିୱେଟ୍ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ୭ଟି ଗୁରୁତ୍ୱପୂର୍ଣ୍ଣ ଆସନ ଗୁଡ଼ିକ ହେଲା – ବାଘମରା, ବୋକାରୋ, ଚନ୍ଦନକିଆରୀ, ଦେଓଘର, ଧାନବାଦ, ଗିରିଧ ଏବଂ ଝରିଆ ବିଧାନସଭା ଆସନ । ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଆଜିର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ବାଘମରା ଆସନରେ କଂଗ୍ରେସ ଦଳର ବରିଷ୍ଠ ଆଦିବାସୀ ନେତା ଜଲେଶ୍ୱର ମହାତୋ ନିର୍ବାଚନ ଲଢୁଛନ୍ତି । ରାଜ୍ୟର ଇସ୍ପାତ ନଗରୀ ବୋକାରୋ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରତ୍ୟାଶୀ ଶ୍ୱେତା ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଚନ୍ଦନକିଆରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ହେଭିୱେଟ୍ ଅମର କୁମାର ବାଉରୀ ଏବଂ ଆଜସୁ ପ୍ରାର୍ଥୀ ଉମାକାନ୍ତ ରଜକଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି । ସେହିପରି ଭାବେ ଦେଓଘର ଆସନରେ ବିଜେପିର ବରିଷ୍ଠ ନେତା ନାରାୟଣ ଦାସ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ପ୍ରାର୍ଥୀ ସୁରେଶ ପାଶୱାନଙ୍କ ମଧ୍ୟରେ ଜୋରଦାର୍ ଲଢେଇ ହେଉଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆସନ ଧାନବାଦରେ ବିଜେପି ପ୍ରାର୍ଥୀ ରାଜ ସିହ୍ନା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି । ଏଠାରେ ଶ୍ରୀ ସିହ୍ନା ଭଲ ସ୍ଥିତିରେ ଥିବା ବେଳେ ତାଙ୍କୁ ଏଥର କିନ୍ତୁ କଡ଼ା ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡୁଛି ।

ରାଜ୍ୟର ଗିରିଧ ଆସନରେ ବିଜେପି ପ୍ରାର୍ଥୀ ନିର୍ଭୟ କୁମାର ଶାହବାଦୀ ଏବଂ ଝରିଆ ଆସନରେ ବରିଷ୍ଠ ବିଜେପି ନେତା ରାଗିଣୀ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଆଜି ଅନୁଷ୍ଠିତ ହେଉଥିବା ଏହି ୭ଟି ଆସନରେ ୧୦ଜଣ ହେଭିୱେଟ୍ ନେତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଆସନ୍ତା ୨୩ ତାରିଖ ଦିନ ନିର୍ବାଚନ ଫଳାଫଳ ଘୋଷଣା ପରେ କେଉଁ ହେଭିୱେଟ୍ ବିଜୟ ଓ ପରାଜୟର ସମ୍ମୁଖୀନ ହୋଇଛନ୍ତ ଜଣାପଡ଼ିଯିବ ।

Leave A Reply

Your email address will not be published.