Latest Odisha News

BREAKING NEWS

ଝାଡ଼ଖଣ୍ଡରେ କଂଗ୍ରେସ କ୍ଷମତାକୁ ଆସିଲେ ଫେରାଇ ଦିଆଯିବ ଲୋକଙ୍କ ଜଳ, ଜଙ୍ଗଲ ଓ ଜମି: ରାହୁଲ ଗାନ୍ଧୀ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଇତିମଧ୍ୟରେ ୨ଟି ପର୍ଯ୍ୟାୟ ମତଦାନ ସମାପ୍ତ ହୋଇସାରିଥିବା ବେଳେ ଆସନ୍ତା ୧୨ ତାରିଖ ଗୁରୁବାର ଦିନ ଅନୁଷ୍ଠିତ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜେପି ସମେତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ କଂଗ୍ରେସ ଦଳ ସେମାନଙ୍କ ପ୍ରଚାର କାର୍ଯ୍ୟ ଜୋରଦାର୍ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ଦିନ ଏକ ବଡ଼କାଗାଓଁ ଠାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ କଂଗ୍ରେସ ଦଳର ନିର୍ବାଚନ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ।

ସେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଯଦି କଂଗ୍ରେସ ଓ ଜେଏମଏମ ମିଳିତ ମେଣ୍ଟ ପୁନର୍ବାର କ୍ଷମତାକୁ ଆସେ ତେବେ ଆଦିବାସୀ ବହୁଳ ଝାଡ଼ଖଣ୍ଡ ରାଜ୍ୟର ସମସ୍ତ ଜନସାଧାରଣ ସେମାନଙ୍କର ଜଳ, ଜଙ୍ଗଲ ଓ ଜମି ନିଶ୍ଚିତ ଭାବେ ଫେରି ପାଇବେ ।

ଏହି ସଭାରେ ସେ ଶାସକ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ଶାସକ ବିଜେପି ରାଜ୍ୟର ଜମି ଗୁଡ଼ିକୁ ମାଡ଼ି ବସିବାରେ ଲାଗିଛି ।

ଆସନ୍ତା ଡ଼ିସେମ୍ବର ୧୨ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୭ଟି ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୧୩ଟି ଏବଂ ୨ୟ ପର୍ଯ୍ୟାୟ ନିର୍ବାଚନରେ ୨୦ଟି ଆସନରେ ଭୋଟଗ୍ରହଣ ହୋଇ ସାରିଛି ।

ଏଠାରେ ସୂଚନାଯୋଗ୍ୟ, ଗତ ନଭେମ୍ବର ୩୦ ଏବଂ ଡ଼ିସେମ୍ବର ୭ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ଲାଗି ୨ଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଡ଼ିସେମ୍ବର ୧୨ ତାରିଖରେ ୩ୟ ପର୍ଯ୍ୟାୟ ନିର୍ବାଚନ, ୧୬ରେ ଚତୁର୍ଥ ଏବଂ ୨୦ ଡ଼ିସେମ୍ବରରେ ୫ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

Leave A Reply

Your email address will not be published.