ପାଟନା: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବର୍ତ୍ତମାନ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ପାର୍ଟି ବିହାରର ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବ। ଏନେଇ ଦଳ ପକ୍ଷରୁ କୁହାଯାଇଛି, ଝାଡଖଣ୍ଡ ଏବଂ ବିହାରର ସୀମାନ୍ତ ଅଞ୍ଚଳରେ ଦଳର ଦୃଢ ସଂଗଠନ ରହିଛି। ତେଣୁ ଦଳ ବିହାରର ୧୨ ବିଧାନସଭା ଆସନରେ ନିର୍ବାଚନ ଲଢିବ। ନିକଟରେ ଶେଷ ହୋଇଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ। ଯେଉଁଥିରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ମେଣ୍ଟ ସରକାର ୫୬ ସିଟ ସହିତ କ୍ଷମତା ହାସଲ କରିଥିବାବେଳେ, ୨୦୨୫ ମସିହାରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ଦେଖିବାକୁ ମିଳିଛି ରାଜନୈତିକ ଉଷ୍ମତା । ଏଥର ନିର୍ବାଚନରେ ଜେଏମଏମ ୧୨ ଟି ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡ଼ିଛି।
ଜେଏମଏମର ପ୍ରଭାବ ବୃଦ୍ଧି ହୋଇଥିବା ଦଳର କେନ୍ଦ୍ରୀୟ ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି। ସେ କହିଛନ୍ତି, ଏକଛତ୍ରବାଦ ବିରୋଧରେ ଆମର ବିଜୟ ହୋଇଛି। ତେଣୁ ଦଳକୁ ଜାତୀୟ ସ୍ତରରେ ପ୍ରଶଂସା ମଧ୍ୟ କରାଯାଉଛି। ଆମର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ ଓ ବିହାର ଭଳି ଅନେକ ରାଜ୍ୟର ବହୁ ସଂଖ୍ୟକ ଲୋକ ଆମ ଦଳରେ ଯୋଗ ଦେଉଛନ୍ତି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।
୨୦୨୫ ରେ ବିହାର ବିଧାନସଭା ନିର୍ବାଚନ
୨୦୨୫ ମସିହାରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଜେଏମଏମ ବିହାରର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୧୨ ଟି ଆସନରେ ଲଢେଇ କରିବା ସହ ଜିତିବ ବୋଲି ଦଳର ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି। ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିହାର ବିଧାନସଭାର ତାରାପୁର, କାଟୋରିଆ, ମଣିହାରୀ, ଝାଝା , ବାଙ୍କା , ଠାକୁରଗଞ୍ଜ, ରପୌଲି, ରାମପୁର, ବନମନଖି, ଜମାଲପୁର, ପିରପୌତି ଏବଂ ଚକାଇ ଆସନରେ ଜେଏମଏମ ପ୍ରାର୍ଥୀ ଦେବ। ଖୁବ୍ ଶୀଘ୍ର ଆରଜେଡି ଏବଂ କଂଗ୍ରେସ ସହିତ ମେଣ୍ଟ କରି ଜେଏମଏମ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜାଣିବାକୁ ମିଳିଛି।
୨୦୨୦ରେ ମଧ୍ୟ ନିର୍ବାଚନ ଲଢିଥିଲା ଜେଏମଏମ
ଜେଏମଏମ ୨୦୨୦ ରେ ବିହାର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ପରାଜୟ ବରଣ କରିଥିଲା। ଏଥର ଆରଜେଡି ଏବଂ କଂଗ୍ରେସ ଝାଡଖଣ୍ଡରେ ମିଳିତ ଭାବରେ ନିର୍ବାଚନ ଲଢିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ନେତା ରାକେଶ ସିହ୍ନା କହିଛନ୍ତି, ଗଣତନ୍ତ୍ରରେ ନିର୍ବାଚନ ଲଢିବା ଅଧିକାର ପ୍ରତ୍ୟେକ ରାଜନୀତିକ ଦଳର ରହିଛି। ଏନେଇ ଆଗକୁ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
Comments are closed.