Latest Odisha News

‘ଅଲ୍ ୱେଦର୍ ଏୟାରପୋର୍ଟ’ ହେବ ଝାରସୁଗୁଡ଼ା ବିମାନ ବନ୍ଦର

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନବନ୍ଦରକୁ କେନ୍ଦ୍ର ସରକାର ଏକ ‘ଅଲ୍ ୱେଦର୍ ଏୟାରପୋର୍ଟ’ ରୂପେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେଥିଲାଗି ପଶ୍ଚିମ ଓଡ଼ିଶାର ଏହି ବିମାନ ବନ୍ଦରଟିରେ ବିଭାଗୀୟ କର୍ତ୍ତୃପକ୍ଷ ଆବଶ୍ୟକୀୟ ନ୍ୟାଭିଗେସନ ସୁବିଧା ଯୋଗାଇଦେବେ ବୋଲି ସୂଚନା ମିଳିଛି ।

ଝାରସୁଗୁଡ଼ା ବିମାନ ବନ୍ଦରରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ୫.୫ କୋଟି ଟଙ୍କା ବ୍ୟୟରେ ଏକ ‘ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ’ ସଂଲଗ୍ନ କରାଯାଇଛି । ଏହା ଆସନ୍ତା ୬ମାସ ମଧ୍ୟରେ କାର୍ଯ୍ୟକାରୀ ହୋଇପାରିବ ।

ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଏସ ସି ହୋତାଙ୍କ କହିବାନୁଯାୟୀ, ଏହି ସୁବିଧା ଥରେ ଏହି ବିମାନବନ୍ଦରରେ ସଂଲଗ୍ନ କରାଯାଇ କାର୍ଯ୍ୟକାରୀ ହେଲେ ପ୍ରତିକୂଳ ପାଗ ଅଥବା କ୍ଷୀଣ ଆଲୋକ ଥିବା ସମୟରେ ମଧ୍ୟ ବିମାନ ଚଳାଚଳ କରିବାରେ ଅସୁବିଧା ହେବନାହିଁ ।

ନିକଟରେ ପ୍ରଚୁର ବୃଷ୍ଟିପାତ ଯୋଗୁଁ ଏହି ବିମାନବନ୍ଦରରେ ବିମାନ ଚଳାଚଳ କରିବାରେ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ କର୍ତ୍ତୃପକ୍ଷ ‘ଇନଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ’ ମାଧ୍ୟମରେ ବିମାନବନ୍ଦରକୁ ‘ଅଲ୍ ୱେଦର୍ ଏୟାରପୋର୍ଟ’ ଭାବେ ରୂପାନ୍ତରିତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ, ଜୁଲାଇ ୧, ୪ ଏବଂ ୫ ତାରିଖରେ ଆଲିଆନ୍ସ ଏୟାର ଏବଂ ସ୍ପାଇସ୍ ଜେଟ୍ ର ବିମାନ ଗୁଡ଼ିକ ପ୍ରବଳ ବର୍ଷା ଯୋଗୁଁ ଚଳାଚଳ ବାତିଲ୍ ହୋଇଯାଇଥିଲା । ସେହିପରି ଜୁଲାଇ ୧ ତାରିଖରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରୁଥିବା ଏକ ଆଲିଆନ୍ସ ଏୟାର୍ ବିମାନ ଖରାପ ପାଗ ଯୋଗୁଁ ଗନ୍ତବ୍ୟସ୍ଥଳରେ ପହଞ୍ଚି ନପାରି ରାଜଧାନୀ ଫେରିଯାଇଥିଲା ।

Leave A Reply

Your email address will not be published.