Latest Odisha News

BREAKING NEWS

ହାଇକୋର୍ଟଙ୍କ ଆଦେଶ ଅମାନ୍ୟକରି ନିଲମ୍ବିତ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ

ଝାରସୁଗୁଡ଼ା: ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉଲଙ୍ଘନ କରିବା ଅଭିଯୋଗରେ ଅଦାଲତଙ୍କ ନିର୍ଦ୍ଦେଶାନୁଯାୟୀ ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ ହୋଇଛନ୍ତି ।

ହାଇକୋର୍ଟଙ୍କ ନିଲମ୍ବନ ଆଦେଶ ପରେ ରାଜ୍ୟ ସରକାର ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ପ୍ରଦୀପ ସାହୁଙ୍କୁ କାର୍ଯ୍ୟଭାର ଅର୍ପଣ କରିଛନ୍ତି । ସେ ନୂଆ ଜିଲ୍ଲାପାଳ ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ପଦବୀରେ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଏକ ମଦ ଦୋକାନ ଲାଇସେନ୍ସ ରଦ୍ଦ କରିବା ସମ୍ପୃକ୍ତିରେ ହାଇକୋର୍ଟଙ୍କ ଆଦେଶ ଉଲଂଘନ କରିବା ଅଭିଯୋଗ ଆସିଥିଲା । ହାଇକୋର୍ଟର ମୁଖ୍ୟ ବିଚାରପତି କେ ଏସ ଜାଭେରୀ ଏବଂ ବିଚାରପତି କେ ଆର୍ ମହାପାତ୍ର ଏକ ଖଣ୍ଡପୀଠରେ ବିଚାର କରି ଜିଲ୍ଲାପାଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଏହି ମାମଲାଟି କେ ବିଣା ପଟ୍ଟନାୟକଙ୍କ ଦ୍ୱାରା ରୁଜୁ ହୋଇଥିବା ବେଳେ ସେ ବ୍ରଜରାଜନଗରରେ ଏକ ମଦଦେକାନ ଖୋଲିବାକୁ ଲାଇସେନ୍ସ ପାଇଥିଲେ ।

ମାତ୍ର ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ଯୋଗୁଁ ସ୍ଥିରୀକୃତ ହୋଇଥିବା ଅବଧି ମଧ୍ୟରେ ସେ ମଦଦୋକାନ ଖୋଲିପାରିନଥିଲେ । ପରେ ଅବକାରୀ ବିଭାଗ ତାଙ୍କୁ ଟିକସ ଦେବାକୁ ନିର୍ଦ୍ଦେଶ ଦେବାରୁ ଶ୍ରୀ ପଟ୍ଟନାୟକ ଏନେଇ ଏକ ମାମଲା ରୁଜୁ କରିଥିଲେ ।

ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ’କରିବାକୁ ମାର୍ଚ୍ଚ ୨୯ ତାରିଖରେ ଏନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନିଲମ୍ବନ ଆଦେଶ ପାଇଥିବା ଜିଲ୍ଲାପାଳ ସେହିସମୟରେ ଅଦାଲତଙ୍କ ଆଦେଶକୁ ଉଲଂଘନ କରି ଆବେଦନକାରୀଙ୍କ ଲାଇସେନ୍ସକୁ ଏପ୍ରିଲ ୨୫ ତାରିଖରେ ରଦ୍ଦ କରିଦେଇଥିଲେ ।

Leave A Reply

Your email address will not be published.