ଭୁବନେଶ୍ବର: ଡରାଇଲାଣି ଅସହ୍ୟ ତାତି ସାଙ୍ଗକୁ ଗରମ ପବନ । ଏବେଠୁ ଜଳିଲାଣି ଭାରତ । ବାହାରକୁ ବାହାରିବା ମୁସ୍କିଲ ଲାଗିଲାଣି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଜି ଦିନ ୨ଟା ସୁଦ୍ଧା ୩୭ ଡିଗ୍ରି ଟପିଛି ଝାରସୁଗୁଡା ସହର । ବଉ ରାଜଧାନୀ ଭୁବନେଶ୍ବର ୩୬ ଛୁଇଁଛି । ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ୩୭.୮ ଡିଗ୍ରୀ ରେକର୍ଡ କରିଛି । ସେହିପରି ସମ୍ବଲପୁର ୩୭.୬ ଡିଗ୍ରୀ, ଭୁବନେଶ୍ବର ୩୬, ହୀରାକୁଦ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରିଛି ।
ସେପଟେ ମାର୍ଚ୍ଚ ଖରା ଏଥର ଡହଳବିକଳ କରିବ ବୋଲି ପୂର୍ବରୁ ସତର୍କ କରାଯାଇଥିବା ବେଳେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଆଗାମୀ ୨ଦିନ ଯାଏ ବଢିବ ତାପମାତ୍ରା । ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ତାତି ଅଧିକ ରହିବ ।
ତେବେ ଗତକାଲି ଅପେକ୍ଷା ଆଜି ଟିକେ ଆଶ୍ବସ୍ତି ଆଣିଛି ତାତି । ଗତକାଲି ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାତି ୩୮.୬ ଡିଗ୍ରୀ ରହିବା ସହ ସବୁଠୁ ତତଲା ପାଲଟିଛି। ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର ଓ ବୁଧବାର ପୁରୀ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ତିନି ଦିନ ଯାଏ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି। ଏହା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି । ଉତ୍ତର ପଶ୍ଚିମ ଭାରତରେ ବର୍ଷା ନ ହେବା ଯୋଗୁ ଗରମ ଅନୁଭୂତ ହେଉଛି । ସେଠାରୁ ଆସୁଥିବା ଗରମ ପବନ ପ୍ରଭାବରେ ରାଜ୍ୟରେ ତାତି ଅଧିକ ରହୁଛି । ଏଥର ମାର୍ଚ୍ଚ ମାସରେ ଅଧିକ ଗରମ ରହିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ସହ ବଢିବ ଦିନ ତାପମାତ୍ରା।
Comments are closed.