Latest Odisha News

BREAKING NEWS

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ-ବିପି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ ‘ଜିଓ-ବିପି’ ନେଟୱର୍କ୍

ମୁମ୍ବାଇ: ଏକ ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଏନେଇ ଗତ ଅକ୍ଟୋବର ମାସରେ ଦୁଇ କମ୍ପାନୀ ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା । ସମସ୍ତ ଆବଶ୍ୟକ ବୈଧାନିକ ଓ ଅନ୍ୟାନ୍ୟ ମଂଜୁରି ଠିକ ସମୟରେ ମିଳିଗଲେ ଏହି ନୂତନ ଯୌଥ ଉଦ୍ୟୋଗ ୨୦୨୦ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଗଠନ ହୋଇଯିବା ଆଶା ରହିଛି ।

ରିଲାଏନ୍ସ ଓ ବିପି ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ଯୌଥ ଉଦ୍ୟୋଗ ଭାରତରେ ଇନ୍ଧନ ରିଟେଲ ସର୍ଭିସ ଷ୍ଟେସନ
(ପେଟ୍ରୋଲ ପମ୍ପ) ଖୋଲିବ ଓ ବିମାନ ଇନ୍ଧନର ବିପଣନ କାରବାର କରିବ । ଉଭୟ ସଂସ୍ଥା ମିଳିତ ଭାବେ ଦ୍ରୁତ ଗତିରେ ଆଗକୁ ବଢ଼ିବା ସହିତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇନ୍ଧନ ଓ ଗମନାଗମନ  ଚାହିଦାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ ।

ଏହି ଯୌଥ ଉଦ୍ୟୋଗ ଆସନ୍ତା ପାଂଚ ବର୍ଷ ଭିତରେ ଏହାର ଉପସ୍ଥିତିକୁ ବ୍ୟାପକ ଭାବେ ସଂପ୍ରସାରିତ କରିବ । ବର୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସାରା ଦେଶରେ ୧୪୦୦ରୁ ଅଧିକ ଇନ୍ଧନ ରିଟେଲ ଷ୍ଟେସନ ଓ ୩୦ଟି ବିମାନ ଇନ୍ଧନ ଷ୍ଟେସନ ରହିଛି ।

ଆସନ୍ତା ୫ ବର୍ଷ ଭିତରେ ଏହି ନୂଆ ଯୌଥ ଉଦ୍ୟୋଗ ବଳରେ ଇନ୍ଧନ ରିଟେଲ ଷ୍ଟେସନ ସଂଖ୍ୟା ୫,୫୦୦ଟି ସ୍ଥାନକୁ ସଂପ୍ରସାରିତ ହେବା ସହିତ ବିମାନ ଇନ୍ଧନ ଷ୍ଟେସନ ସଂଖ୍ୟା ୪୫ରେ ପହଞ୍ଚି ଦେଶର ସବୁଠୁ ପସନ୍ଦର ଯାନ ଓ ବିମାନ ଇନ୍ଧନ ପ୍ରଦାନକାରୀ ଭାବେ ଉଭା ହେବ । ସମ୍ପୂର୍ଣ୍ଣ ଇନ୍ଧନ ରିଟେଲ ନେଟୱର୍କ ‘ଜିଓ-ବିପି’ ନାମରେ ନାମିତ ହେବ ।

ଜିଓର ଡିଜିଟାଲ ପ୍ଲାଟଫର୍ମ ଏବଂ ଇନ୍ଧନ ବ୍ୟବସାୟ କ୍ଷେତ୍ରରେ ସାରା ବିଶ୍ୱରେ ବିପିର ରହିଥିବା ଅଭିଜ୍ଞତାକୁ ପାଥେୟ କରି ଏହି ଯୌଥ ଉଦ୍ୟୋଗ ଗ୍ରାହକଙ୍କୁ ଉତମ ମାନର ଇନ୍ଧନ ସହିତ ବ୍ୟାପକ ସୁବିଧା ଯୋଗାଇ ଦେବ ।

ଏଥି ସହିତ ଏହାର ସମଗ୍ର ନେଟୱର୍କରେ କ୍ୟାଷ୍ଟ୍ରଲ ଲୁବ୍ରିକ୍ୟାଂଟ ମଧ୍ୟ ଉପଲବ୍ଧ ହେବ । ମୁମ୍ବାଇ ଠାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଓ ବିପିର ଗ୍ରୁପ ଚିଫ୍ ଏକଜିକ୍ୟୁଟିଭ ବବ ଡୁଡ୍ଲି ସୋମବାର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ଅବସରରେ ମୁକେଶ ଅମ୍ବାନି କହିଛନ୍ତି ଯେ, “ବିପି ଓ ରିଲାଏନ୍ସ ସେମାନଙ୍କ ସଂପର୍କକୁ ଆହୁରି ସୁଦୃଢ଼ କରିବାକୁ ଯାଉଥିବାରୁ ମୁଁ ବେଶ ଉଲ୍ଲସିତ । ବିପି ଓ ରିଲାଏନ୍ସ ସେମାନଙ୍କ ବୈଷୟିକ ଜ୍ଞାନ, ବିଶେଷତା ଏବଂ ଅନୁଭୂତିର ମିଶ୍ରଣରେ ଭାରତୀୟ ଗ୍ରାହକମାନଙ୍କୁ ବିଶ୍ୱ ସ୍ତରୀୟ ଉତ୍ପାଦ ଓ ସେବା ପ୍ରଦାନ କରିବେ । ଆମର ବିଶ୍ୱାସ ରହିଛି ଯେ ଆମେ ମିଳିତ ଭାବେ ଏଭଳି ସମାଧାନ ଆଣିବୁ ଯାହା ଦ୍ୱାରା ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ବଜାର ଲାଭବାନ ହେବ” ।

ବବ ଡୁଡ୍ଲି କହିଛନ୍ତି ଯେ, “ଭାରତ ହେଉଛି ବିଶ୍ୱର ଶକ୍ତି କ୍ଷେତ୍ରରେ ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବଜାର, ଯାହାର ପରିବହନ ଓ ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି । ଦେଶର ଦ୍ରୁତ ବର୍ଦ୍ଧିଷ୍ଣୁ ଗମନାଗମନ ସମାଧାନ, ଉଚ୍ଚ ମାନର ଇନ୍ଧନ ଓ ସେବାକୁ ଏହି ଯୌଥ ଉଦ୍ୟୋଗ ଜରିଆରେ ପୂରଣ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଆମ ବ୍ୟବସାୟରେ ଏହି ବଡ଼ ଧରଣର ସଂପ୍ରସାରଣ ଭାରତ ପ୍ରତି ଆମର ରହିଥିବା ଦୀର୍ଘମିଆଦୀ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି” ।

ରିଲାଏନ୍ସ ଓ ବିପି ମିଳିତ ଭାବେ ସ୍ଥାପନ କରିଥିବା ଯୌଥ ଉଦ୍ୟୋଗରେ ରିଲାଏନ୍ସର ୫୧% ଓ ବିପିର ୪୯% ଅଂଶଧନ ରହିଛି ଏବଂ ଏହା ପାଖରେ ରିଲାଏନ୍ସର ଭାରତରେ ଥିବା ଇନ୍ଧନ ଷ୍ଟେସନ ଓ ବିମାନ ଇନ୍ଧନ ବ୍ୟବସାୟ ର ସମ୍ପୂର୍ଣ୍ଣ ମାଲିକାନା ରହିବ ।

Leave A Reply

Your email address will not be published.