ଭୁବନେଶ୍ବର : ନୂଆ ତରିକାରେ ସାଇବର ଠକେଇ । ମାଳ ମାଳ ବ୍ୟାଙ୍କ ପାସ୍ ବୁକ୍ । ଏକାଧକ ଏଟିଏମ୍ କାର୍ଡ୍ ସାଙ୍ଗକୁ ଲାପଟପ୍ । ରିଲାଏନ୍ସ ଜିଓର ଟାୱାର ବସାଇବା ପାଇଁ ଅଛି ବିଭିନ୍ନ ଡକ୍ୟୁମେଣ୍ଟ୍ । ଜିଓ ଟାୱାର କରାଇଦେବା ନାଁରେ ହୋଇଥିବା ଠକେଇର ହୋଇଛି ପର୍ଦ୍ଦାଫାସ । ଏଭଳି ଏକ ଠକ କମ୍ପାନୀର କର୍ମଚାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିସନରେଟ୍ ପୋଲିସ୍ । ଏହାସହ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭଯୁକ୍ତ ଅଭୟ ତିଓ୍ବାରୀକୁ ପଶ୍ଚିମବଙ୍ଗରୁ ଗିରଫ କରିଛି କମିସନରେଟ ପୋଲିସ ।
ପୋଲିସ କମିସନରଙ୍କ ସୂଚନା ଅନୁଯାୟୀ, ଏହି ଲୁଟ ଅଭିଯୋଗ ପାଇବା ପରେ କଟକ ଡିସିପିଙ୍କ ତତ୍ତ୍ୱାବଧାନରେ ଅଭିଯାନ ଚାଲିଥିଲା । ଠକେଇ ନେଇ ଜଗତପୁର ଥାନାରେ ରୁଜୁ ହୋଇଥିଲା ମାମଲା । ଆଉ କମିସନରେଟ୍ ପୋଲିସ ଏଭଳି ଏକ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ସ୍ପେଶାଲ ସାଇବର ଏକ୍ସପର୍ଟ ଟିମ୍ । ଘଟଣାର ତଦନ୍ତ କରି କୋଲକାତାରେ ଥିବା କାର୍ଯ୍ୟାଳୟ ଉପରେ ରେଡ୍ କରିବା ସହ ମୁଖ୍ୟ ଅଭିଯୁକ୍କୁ ଗିରଫ କରିଥିଲା । ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କମ୍ପାନୀ ତରଫରୁ ଲୋଭନୀୟ ଅଫର୍ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ ଅଭୟ ତିୱ।ରୀ । ଆଉ ପର୍ଯ୍ୟାୟକ୍ରମେ ୩୯ ଲକ୍ଷ ଟଙ୍କା କମ୍ପାନୀ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ।
ମାଷ୍ଟର ମାଇଣ୍ଡ ଅଭୟ ତିୱାରୀ କୋଲକାତାର ୨୫୦ ଜଣ କର୍ମଚାରୀଙ୍କୁ ରଖି ଏହି ଅପରେସନ ଚଳାଉଥିଲା । ଉଦ୍ଦେଶ୍ୟ ଥିଲା ଜମି ମାଲିକଙ୍କ ଜମି ବା ବିଲଡିଂରେ ଜିଓ ଟାୱାର ବସାଇବା ବହାନା କରି ଲୋକଙ୍କୁ ଠକିବା । ଖାଲି ସେତିକି ନୁହେଁ, କୋଲକାତା ଅଫିସରେ ମଧ୍ୟ ଏକ କଲ୍ ସେଣ୍ଟର୍ ଖୋଲିଥିଲା ଅଭୟ ତିୱ।ରୀ । ଏଥିସହ ବିଭିନ୍ନ ରାଜ୍ୟରେ ୬ ରୁ ୭ଟି ବ୍ରାଞ୍ଚ୍ ଅଫିସ୍ କରିଥିଲା । ଆଉ ସମସ୍ତଙ୍କୁ ଫୋନ୍ କରି ଜିଓ ଟାୱାର ବସାଇବା ବାହାନାରେ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ରେଡ୍ ସମୟରେ ନଗଦ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ କରିଛି ପୋଲିସ । ଅଭିଯୁକ୍ତ ଅଭୟ ନାଁରେ କୋଲକାତାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଆଉ ଦୁଇ ସହଯୋଗୀଙ୍କ ନାଁରେ ମଧ୍ୟ ପୂର୍ବରୁ କଟକରେ ମଧ୍ୟ ଠକେଇ ମାମଲା ରହିଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
Comments are closed.