Latest Odisha News

BREAKING NEWS

ଯୀଶୁ ଜଣେ ହିନ୍ଦୁ, ୩ ବର୍ଷ ସେ ପୁରୀରେ କଟାଇଥିଲେ: ଶଙ୍କରାଚାର୍ଯ୍ୟ

ରାୟପୁର: ଖ୍ରୀଷ୍ଟ ସମ୍ପ୍ରଦାୟର ଭଗବାନ ଯୀଶୁ ଜଣେ ହିନ୍ଦୁ । ସେ ପୁରୀରେ ତିନି ବର୍ଷ କଟାଇଥିଲେ। ପୁରୀ ଗୋବର୍ଦ୍ଧନ ପୀଠର ମୁଖ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି। ଯାହା ବିବାଦୀୟ ହୋଇପଡ଼ିଛି। ଛତିଶଗଡ ରାଜଧାନୀ ରାୟପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଶ୍ଚଳାନନ୍ଦ ଶଙ୍କରାଚାର୍ଯ୍ୟ ଏପରି କହିଛନ୍ତି।

ନିଜ ଦାବିକୁ ସତ ବୋଲି ପ୍ରମାଣିତ କରିବା ପାଇଁ କିଛି ଯୁକ୍ତି ସେ ରଖିଛନ୍ତି। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଯୀଶୁ ଭାରତରେ ୧୦ ବର୍ଷ କଟାଇଥିଲେ। ବାଇବେଲରେ ଯୀଶୁ ୧୦ ବର୍ଷ ଅଜ୍ଞାତବାସରେ ଥିଲେ। ସେ କେଉଁଠି ଥିଲେ ଉଲ୍ଲେଖ ନାହିଁ। ଏହି ସମୟରେ ସେ ଭାରତରେ ଥିଲେ। ଏହି ୧୦ ବର୍ଷ ମଧ୍ୟରୁ ସେ ପୁରୀରେ ୩ ବର୍ଷ କଟାଇଥିଲେ। ଏହି ସମୟରେ ସେ ତତ୍କାଳୀନ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ତାଲିମ ନେଇଥିଲେ। ଆଉ ଯୀଶୁ ଜଣେ ବୈଷ୍ଣବ ଭକ୍ତ ଥିଲେ। ତେଣୁ ସେ ହିନ୍ଦୁ। ଏହାପରେ ସେ କହିଥିଲେ,  ଏବେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ।

ଶଙ୍କରାଚାର୍ଯ୍ୟଙ୍କ ଏପରି ମନ୍ତବ୍ୟକୁ ଛତିଶଗଡରେ ବିରୋଧ କରାଯାଇଛି। ଶଙ୍କରାଚାର୍ଯ୍ୟ ନିଜ ଧର୍ମରେ ସୀମିତ ରହିବା ଉଚିତ ବୋଲି ଛତିଶଗଡ଼ର ଆର୍କବିଶପ ଭିକ୍ଟର ହେନରି କହିଛନ୍ତି। ସେହିପରି ଖ୍ରୀଷ୍ଟିଆନ ସଂଘର ସଭାପତି ଅରୁଣ ପାନ୍ନାଲାଲ କହିଛନ୍ତି, ଶଙ୍କରାଚାର୍ଯ୍ୟ ଯାହା କହିଛନ୍ତି ତାହାର କୌଣସି ପ୍ରମାଣ ନାହିଁ।

ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ଛତିଶଗଡରେ ବିଧାନସଭା ନିର୍ବାଚନ ହେବ। ଏହି ରାଜ୍ୟରେ ଅନେକ ଏସସି, ଏସଟି ରହିଛନ୍ତି। ଦଳିତମାନ ଧର୍ମାନ୍ତକରଣୀର ସାମ୍ନା କରୁଛନ୍ତି ବୋଲି ପରୋକ୍ଷରେ ବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି ଶଙ୍କରାଚାର୍ଯ୍ୟ। ବିଭିନ୍ନ ସମୟରେ ରାଜ୍ୟରେ ବିରୋଧୀ ବିଜେପି ଓ ଶାସକ କଂଗ୍ରେସ ମଧ୍ୟରେ ଧର୍ମାନ୍ତୀକରଣକୁ ନେଇ ବିତର୍କ ହୋଇଥାଏ। ଯାହା ରାଜନୈତିକ ପ୍ରସଙ୍ଗ ପାଲଟିଥାଏ।

Comments are closed.