ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୧
ସନ ଆଉ ତାରିଖ,ଏଇ ଦୁଇଟି ଇତିହାସର ମୌଳିକ ଅଙ୍ଗ। ସନ ଆଉ ତାରିଖ ଆମକୁ ଗୋଟିଏ ଘଟଣାର କଥା କହିଥାଏ, ଯେଉଁ ଘଟଣା ଗୋଟିଏ ବ୍ୟାପକ ଭୌଗଳିକ ଅଞ୍ଚଳକୁ ବହୁଳ ଭାବରେ ପ୍ରଭାବିତ କରିପାରିଥିବା ଭଳି ସାମର୍ଥ୍ୟ ରଖିଥାଏ ଏବଂ ତାହାର ବିଶେଷ ଅଧ୍ୟୟନକୁ ଇତିହାସ କୁହାଯାଏ । ଇତିହାସର ଅନେକ ସଂଜ୍ଞା ଭିତରୁ ଏଇଟି ଗୋଟିଏ ପ୍ରମୁଖ ସଂଜ୍ଞା ।
ଉପରଲିଖିତ ସଂଜ୍ଞାଟିକୁ ବିଚାର କରିବାକୁ ଗଲେ ଆମେ ଇତିହାସର କେତୋଟି ମୌଳିକ ସମସ୍ୟାକୁ ଦେଖି ପାରିବା । ଇତିହାସର ସନ ଆଉ ତାରିଖ ରେ ଯେଉଁ ଘଟଣା ଘଟିଥାଏ ଆଉ ତାହାର ଯଦି ଏକ ବିସ୍ତୃତ ପରିପ୍ରେକ୍ଷ୍ୟ ରହିଥାଏ ତାହାହେଲେ ତାହା ଇତିହାସର ପାଠ୍ୟ । ଏମିତି ଦେଖିଲେ ସବୁ ତାରିଖର କିଛିନା କିଛି ଗୁରୁତ୍ବ ରହିଥାଏ।କିଛି ତାରିଖର କିନ୍ତୁ ଐତିହାସିକ ଗୁରୁତ୍ୱ ଅଧିକ ବୋଲି ଆମର ଧାରଣା। ଅବଶ୍ଯ ଗୁରୁତ୍ୱ କଥାଟି ନିଜନିଜର ବିବେଚନା ର ସାମର୍ଥ୍ଯ ଅନୁସାରେ ନିରୂପିତ ହୋଇଥାଏ।ଭାରତର ସ୍ବାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ୧୫ ଟି ପାକିସ୍ତାନକୁ କାହିଁକି ସୁନ୍ଦର ଦିଶିବ ? ଯଦିଓ ଏହା ଐତିହାସିକ ସତ୍ଯ ଯେ ପାକିସ୍ତାନ ବି ଭାରତ ଭଳି ତାହାର ପ୍ରଥମ ସ୍ବାଧୀନତା ଦିବସ ପାଳନ କରିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ।
କହିବା କଥା ହେଉଛି ପ୍ରତ୍ୟେକ ସନ ଆଉ ତାରିଖ ଦିନ କେବଳ ଯେ ଗୁରୁତ୍ୟପୂର୍ଣ୍ଣ ଘଟଣା ଘଟିଥାଏ ସେକଥା ନୁହଁ,ସେହି ଦିନ ସମାନୁରୂପ ଭାବରେ ଆହୁରି ଅନେକ ଛୋଟ ଛୋଟ ଘଟଣା ଘଟିଥାଏ । ଏମିତି ନିଷ୍ଫଳା ଦିନ କେଉଁଦିନ ନାହିଁ ଯେଉଁ ଦିନ ପୃଥିବୀରେ କିଛି ନା କିଛି ନଘଟିଛି ! ତେଣୁ ଆମେ ବସ୍ତୁତଃ ଅନେକ କିଛି ଘଟଣାକୁ ସାଧାରଣ ଘଟଣା ଭାବି ଏଡାଇ ଯାଉ । କେହି କେହି ଅମୁକ ଦିନ ଅମୁକ ବିଶିଷ୍ଟ ଘଟଣା ସହିତ ଅମୁକ ଅମୁକ ସାଧାରଣ ଘଟଣା ଘଟିଯାଇଛି ବୋଲି ଉଲ୍ଲେଖ କରିଥାନ୍ତି । ଏହିଭଳି ଆନୁସଙ୍ଗିକମାନଙ୍କୁ ଏକତ୍ରୀକରଣ କରିବା ଦ୍ୱାରା ସମୟର ଏକ ବୃହତ୍ତର ପରିପ୍ରେକ୍ଷ୍ୟ ଆମ ଆଗରେ ଦେଖାଯାଇ ଥାଏ ।
ଆଜି ୧ ନଭେମ୍ବର । ଏକ ନଭେମ୍ବରକୁ ନେଇ ଇଏ ସେମିତି ଏକ ନିର୍ମାଣ,କୋଲାଜ ।
୧ ନଭେମ୍ବର ୧୮୫୮ ରେ ଇଂଲଣ୍ଡର ମହାରାଣୀ ଭିକ୍ଟୋରିଆ ଭାରତରେ ଚାଲିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନକୁ ନିଜ ହାତକୁ ନେଇ ଥିଲେ। ଆଲାହାବାଦଠାରେ ଏକ ଦରବାର ଆହୂତ ହୋଇ ଏ ସଂକ୍ରାନ୍ତ ଘୋଷଣାନାମା ପାଠ କରାଯାଇଥିଲା। ମହାରାଣୀଙ୍କ ଏହି ଘୋଷଣାନାମାକୁ ଲର୍ଡ କ୍ଯାନିଂ ପାଠ କରିଥିଲେ। ଏହାକୁ ଆଲାହାବାଦ ଘୋଷଣାନାମା ବୋଲି ମଧ୍ଯ କୁହାଯାଏ। ଏଥିରେ ଭାରତୀୟ ଦେଶୀୟ ରାଜାମାନଙ୍କୁ ଯଥୋଚିତ ସୁରକ୍ଷା ତଥା ଭାରତୀୟମାନଙ୍କର ଧାର୍ମିକ ଭାବନା ଉପରେ ହସ୍ତକ୍ଷେପ ନକରିବା ପାଇଁ ପ୍ରତିଶ୍ରୁତି ଦିଆଯାଇ ଥିଲା। ଏହି ଘୋଷଣାନାମା କୁ ଭାରତର ମାଗ୍ନା କାର୍ଟା ବୋଲି କୁହାଯାଏ। ଏହାର ପ୍ରୟୋଗ ଫଳରେ ଲର୍ଡ କ୍ଯାନିଂ ଭାରତର ପ୍ରଥମ ବଡଲାଟ୍ ବୋଲି ବିବେଚିତ ହେଲେ।
କହିବା ବାହୁଲ୍ଯ ଲେଡି କ୍ଯାନିଂଙ୍କ ନାମାନୁସାରେ କଲିକତାର ସେତେବେଳେ ସଦ୍ଯ ଉଦ୍ଭାବିତ ଏକ ମିଠାର ନାମକରଣ କରାଯାଇଥିଲା, ଲେଡିକିନି।ଏହି ମିଠାଟିକୁ ଅନ୍ଯତ୍ର କେହି କେହି ପାନ୍ତୁଆ ବୋଲି କହିଥାଆନ୍ତି।
ମହାରାଣୀଙ୍କ ଏହି ଘୋଷଣାନାମାର ଠିକ୍ ଦଶବର୍ଷ ଆଗରୁ ଏହିଦିନ ଅର୍ଥାତ ୧ ନଭେମ୍ବର ୧୮୪୮ ତାରିଖରେ ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା ସଂଘଟିତ ହୋଇଥିଲା। ଇଷ୍ଟନ ବୋଲି ଏକ ରେଳ ଷ୍ଟେସନରେ ଡବ୍ଲ୍ଯୁ ଏଚ୍ ସ୍ମିଥ୍ ପ୍ରଥମ ବହିଦୋକାନ ଆରମ୍ଭ କରିଥିଲେ । ପୃଥିବୀର କୌଣସି ରେଳଷ୍ଟେସନରେ ବହିଦୋକାନ ହେବାର ଏହା ସର୍ବପ୍ରଥମ କାର୍ଯ୍ୟକ୍ରମ ।ପରବର୍ତ୍ତୀ କାଳରେ ଏହି ଭଳି ବହିଦୋକାନ ମାନ ବ୍ଯାପକ ପ୍ରସାର ଲାଭ କରିଛି ଏବଂ ଜନସାଧାରଣଙ୍କ ପଠନ ଅଭ୍ଯାସ ତଥା ପଠନ ସାମଗ୍ରୀର ବିପଣନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଅଷ୍ଟାଦଶ ଶତାବ୍ଦୀ ଶେଷ ଆଡକୁ ସ୍ମିଥଙ୍କ ପୂର୍ବ ପୁରୂଷ ଛାପା ସାମଗ୍ରୀର ପାଇକାରୀ ତଥା ଖୁଚୁରା ବେପାର କରୁଥିଲେ। ୧୮୧୭ ବେଳକୁ ସେମାନେ ଏହି ବ୍ଯବସାୟରେ ବେଶ୍ ସଫଳ।ଘୋଡାଟଣା ଗାଡିରେ ଛାପା ସାମଗ୍ରୀ ରଖି ବୁଲିବୁଲି ସେମାନେ ବେପାର କରୁଥିଲେ। ଏହି ବ୍ଯବସାୟକୁ ଯଥେଷ୍ଟ ଆଗକୁ ନେଇପାରିଥିଲେ ସ୍ମିଥ୍।
ସ୍ମିଥଙ୍କୁ ଇଷ୍ଟନ ରେଳଷ୍ଟେସନ ସହିତ ଅନ୍ଯ ଷ୍ଟେସନମାନଙ୍କରେ ବି ବହିଦୋକାନ କରିବାର ଏକଚାଟିଆ ଅନୁମତି ମିଳିଥିଲା। ତାହା ସହିତ ବିଶେଷ ସର୍ତ୍ତ ଟିଏ ବି ଯୋଡା ଯାଇଥିଲା। ସର୍ତ୍ତ ଟି ନିହାତି ସାଧାରଣ, କିନ୍ତୁ ଅସାଧାରଣ ତାହାର ଅନ୍ବୟ। ସେ ଯେଉଁ ସବୁ ପଠନ ସାମଗ୍ରୀ ପାଠକମାନଙ୍କ ନିକଟରେ ପହଞ୍ଚାଇବେ ତାହା ‘ଦୋଷମୁକ୍ତ ସୂଚନାବଳୀ ଓ ପବିତ୍ର ଆନନ୍ଦ “ଉପରେ ଆଧାରିତ ହୋଇଥିବା ଆବଶ୍ୟକ ।ଏହାର ଉଦ୍ଦେଶ୍ଯ ସ୍ପଷ୍ଟ,ଯୌନ ଉତ୍ତେଜକ ସାମଗ୍ରୀଠାରୁ ମୁକ୍ତିଲାଭ । ସ୍ମିଥଙ୍କ ସଂସ୍ଥା ଏହି ସର୍ତ୍ତ ଯଥାଯଥ ପାଳନ କରିଥିଲା।
୧୮୬୦ ବେଳକୁ ଉକ୍ତ ସଂସ୍ଥା ଇଂଲଣ୍ଡର ସମସ୍ତ ମୂଖ୍ଯ ରେଳଷ୍ଟେସନରେ ସେମାନଙ୍କର ବହିଦୋକାନ ସ୍ଥାପନ କରିପାରିଥିଲେ। ଅନ୍ଯମାନଙ୍କ ବହି ସହିତ ସେମାନେ ନିଜ ପ୍ରକାଶିତ ଛବିଳ ଗପ ବହି ଶସ୍ତା ମୂଲ୍ଯରେ ବିକ୍ରୟ କରୁଥିଲେ। ଏହା ସହିତ ସେଇ ସମୟରେ ସେମାନେ ଯାତ୍ରୀଟିଏ ଗୋଟିଏ ଷ୍ଟେସନରୁ ବହିଟିଏ ଧାର୍ ନେଇ ବାଟରେ ପଢି ଆଉଗୋଟିଏ ଷ୍ଟେସନରେ ଫେରାଇପାରିବାର ବ୍ଯବସ୍ଥାର ପ୍ରଚଳନ କରିଥିଲେ।
ଏ ବ୍ଯବସାୟିକ ସଫଳତା ସେମାନଙ୍କୁ ବିଂଶ ଶତାବ୍ଦୀ ଆଡକୁ ରେଳଷ୍ଟେସନରୁ ଅନ୍ଯ ଭୂଭାଗକୁ ଟାଣି ଆଣିଥିଲା ବହି ଦୋକାନ କରିବାପାଇଁ।
ଶେଷରେ ଠିକ୍ ସେଇ ନଭେମ୍ବର ୧ ତାରିଖ ।
ମସିହା କିନ୍ତୁ ୨୦୦୯।
ମେକ୍ସିକୋ ଆଉ ଯୁକ୍ତରାଷ୍ଟ୍ରରେ ଭୟାବହ ସ୍ବାଇନ୍ ଫ୍ଲୁ। ସମଗ୍ର ପୃଥିବୀ ସୁରକ୍ଷିତ ହୋଇ ରହିବା ପାଇଁ ବ୍ଯଗ୍ର ଏହି ମହାମାରୀର କବଳରୁ। କାଶିବା ଆଉ ଛିଙ୍କିବା କାରଣରୁ ସହସ୍ରାଧିକ ଘୁଷୁରିଙ୍କୁ ହତ୍ଯା କରାଗଲା।
ପୂର୍ବ ରୁ୧୯୮୬ ରେ ବ୍ରିଟିଶ ଉପତ୍ୟକାରେ ଗାଈ ମାନେ ପାଗଳ ହେବାରୁ ଲୋକମାନଙ୍କର ସ୍ମୃତିଭ୍ରମ ରୋଗ ବ୍ଯାପିଲା।ଏଥିରୁ ମୁକ୍ତି ପାଇଁ ଲକ୍ଷାଧିକ ଗାଈଗୋରୁଙ୍କୁ ମାରିଦିଆଗଲା।
୧୯୯୭ ର ବାର୍ଡ ଫ୍ଲୁରୁ ମୁକ୍ତି ପାଇବା ପାଇଁ ହଙ୍ଗ କଙ୍ଗରେ ଅବାଧ ପକ୍ଷି ଶୀକାର ଚାଲିଲା।
ତେଣୁ ଏଥିରୁ ଗୋଟିଏ ନିଷ୍କର୍ଷ। ମଣିଷର ରୋଗ ପାଇଁ ଦୋଷୀ କେବଳ ପଶୁ।
ସମଗ୍ର ପୃଥିବୀର କୃଷିଜାତ ପଦାର୍ଥର ବ୍ଯବସାୟୀ ଯେଉଁମାନେ କୁହୁକ ବଳରେ ଆମର ଖାଦ୍ଯ ପଦାର୍ଥକୁ ରାସାୟନିକ ବୋମା କରିଦେଇ ପାରନ୍ତି ସେମାନଙ୍କର ଆଦୌ ଦୋଷ ନାହିଁ।
କୁହୁକ ବିଦ୍ୟାମାନ ଆମର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ।
ନୁହଁ ?