Latest Odisha News

BREAKING NEWS

ବିଜେପି ହାତର କାଠ କଣ୍ଢେଇ ନିର୍ବାଚନ ଆୟୋଗ, ପୂର୍ବରୁ ଜାଣିଥିଲା ସବୁକିଛି: ଝାଡଖଣ୍ଡ ସିଏମ୍

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଘୋଷଣା ହେବାକୁ ଯାଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି। ଏହାସହ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ଝାଡଖଣ୍ଡ ସିଏମ୍। ସେ କହିଛନ୍ତି ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ଆୟୋଗ ଆଜି ତାରିଖ ଘୋଷଣା କରିବେ ବୋଲି ଜାଣିଥିଲେ।

ନିର୍ବାଚନ ଆୟୋଗ ବିଜେପି ହାତର କାଠ କଣ୍ଢେଇ ବୋଲି କହି ବର୍ଷିଛନ୍ତି ହେମନ୍ତ ସୋରେନ। ସେ ପୁଣି କହିଛନ୍ତି, ସୋମବାର ବିଜେପିର ଶୀର୍ଷ ନେତୃତ୍ୱ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ବିଳମ୍ବିତ ରାତି ଯାଏ ବୈଠକ କରିଥିଲେ । ଆଉ ଏହି ବୈଠକରେ ନିର୍ବାଚନ ସଂକ୍ରାନ୍ତୀୟ ରଣନୀତି ପ୍ରସ୍ତୁତି ହୋଇଛି। ଏନେଇ ସକାଳେ ପ୍ରଥମେ ସୂଚନା ମିଳିଥିଲା ଯେ, ଅପରାହ୍ଣରେ ନିର୍ବାଚାନ କମିଶନର ଏହି ଦୁଇ ରାଜ୍ୟ ପାଇଁ ତାରିଖ ଘୋଷଣା କରିପାରନ୍ତି। କିନ୍ତୁ ବିଜେପିର ବୈଠକ ଶେଷ ହେବା ପରେ ପରେ ନିର୍ବାଚନ କମିଶନର ଅପରାହ୍ଣ ୩ଟା ୩୦ରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି।

ବିଜେପିର ବୈଠକ ଓ ନିର୍ବାଚନ କମିଶନରଙ୍କ ତାରିଖ ଘୋଷଣା ସମୟକୁ ନେଇ ଏବେ ପ୍ରଶ୍ନ ଉଠାଇଛି ଝାଡ଼ଖଣ୍ଡର ଶାସକ ଦଳ। ସୂଚନା ଥାଉକି, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ରାଜ୍ୟର ସମସ୍ତ ୮୧ଟି ଆସନରେ ହେବ। ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଜନୁଆରୀ ୫ରେ ଶେଷ ହେବ। ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ଥିବାବେଳେ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଏହି ଦୁଇ ରାଜ୍ୟରେ ଆସନ୍ତା ନଭେମ୍ବରର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.