Latest Odisha News

BREAKING NEWS

ବାଣୀବିହାର ବିଶ୍ୱବିଦ୍ୟାଳୟରେ ଜେଏନୟୁ ପ୍ରଫେସରଙ୍କ ଅଭିଭାଷଣକୁ ନେଇ ବିବାଦ, ତେଜିଲା ରାଜନୀତି

ଭୁବନେଶ୍ୱର: ରବିବାର ବାଣୀବିହାର ବିଶ୍ୱବିଦ୍ୟାଳୟ ପରିସରରେ ଦେଖାଦେଇଥିବା ଅଶାନ୍ତିକୁ  ନେଇ ତେଜିଛି ରାଜନୀତି। ଗୋଟିଏ ପଟେ ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଦିଆଯାଇଥିବା ଆୟୋଜକ କହିଥିବା ବେଳେ ଆୟୋଜକ ପକ୍ଷରୁ କୁହାଯାଇଛି ଏଠାରେ କୌଣସି ପ୍ରକାର ଦେଶ ବିରୋଧୀ ନାରାବାଜି ଦିଆଯାଇନି। ହେଲେ ଗତକାଲି ଅପରାହ୍ନ ସମୟର ଏହି ଘଟଣାକୁ ନେଇ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ସଂଧ୍ୟା ସମୟରେ ବିଶ୍ବବିଦ୍ୟାଳୟ ଗେଟ୍ ସାମ୍ନାରେ ବିଭିନ୍ନ ଛାତ୍ର ଗୋଷ୍ଠୀଙ୍କ ପ୍ରତିବାଦ ଦେଖି ପୋଲିସ ଛାଉଣୀ କରାଯାଇଛି। ଘଟଣାକୁ ନେଇ ଛାତ୍ର ବିଜେଡି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ଘଟଣାକୁ ନିନ୍ଦା କରିଛି।

ଏବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶ ବିରେଧୀ ମନ୍ତବ୍ୟ ନେଇ ଯେଉଁ ଅଭିଯୋଗ ରହିଛି ତାକୁ ନେଇ କୌଣସି ପ୍ରମାଣ ରହିଛି ନା ଗୋଟିଏ ପକ୍ଷର ଆଲୋଚନାଚକ୍ରକୁ ଭଣ୍ଡୁର କରିବାକୁ ଯାଇ ଏପରି ରଣନୀତି ଆପଣାଯାଇଛି?

କ’ଣ ଘଟିଥିଲା ସେମିନାରରେ

ପିଜି କାଉନ୍‌ସିଲ୍‌ ହଲ୍‌ରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ‘ଭାରତୀୟ ସମ୍ବିଧାନର ପ୍ରଭାବ’ ଶୀର୍ଷକ ଆଲୋଚନାଚକ୍ର ଚାଲିଥିଲା। ଜେଏନ୍‌ୟୁର ଅର୍ଥନୀତି ପ୍ରଫେସର ସୁର୍‌ଜିତ ମଜୁମ୍‌ଦାର ଏହି ସମୟରେ ବକ୍ତବ୍ୟ ରଖିଥିଲେ। ଏହାପରେ ‘ଜାତୀୟ ଶୀକ୍ଷା ନୀତି’ ଶୀର୍ଷକ ବିଷୟ ଉପରେ ଆଲୋଚନା ହେବାର ଥିଲା। ପ୍ରଫେସର ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ତେବେ ଜେଏନୟୁର ଏହି ପ୍ରଫେସର ଅଭିଭାଷଣ ରଖୁଥିବାବେଳେ ଶ୍ରୋତାଙ୍କ ମଧ୍ୟରେ ବସିଥିବା ଜଣେ ଯୁବକ ମଜୁମଦାରଙ୍କ ଅଭିଭାଷଣକୁ ବିରୋଧ କରିଥିଲେ। ସେ ଯାହା ଦେଉଛନ୍ତି ସମ୍ବିଧାନ ବିରୋଧୀ ବୋଲି କହିଥଲେ। ପରେ ଆୟୋଜକ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଏହାପରେ କଥାକଟାକଟି ଆରମ୍ଭ ହୋଇଥିଲା। ପରେ ହୋହଲ୍ଲା ହୋଇଥିଲା।ଏହି ସମୟରେ ପ୍ରଫେସର ମଜୁମ୍‌ଦାରଙ୍କୁ ଦୁଇ ଜଣ ଯୁବକ ଗାଳି କରିବା ସହ ଆକ୍ରମଣ କରିଯାଇଥିବା ଅଭିଯୋଗ ରହିଛି। ସିଟିଜେନ୍ ଫୋରମ୍‌ର ସଦସ୍ୟଙ୍କୁ କିଛି ଯୁବକ ମାର୍‌ପିଟ୍‌ କରି ଗୋଟିଏ ପ୍ରକୋଷ୍ଠରେ ପୂରାଇ ତାଲା ପକାଇ ଦେଇଥିଲେ ବୋଲି ଆୟୋଜକ ଅଭିଯୋଗ କରିଛନ୍ତି।

କ୍ୟାମ୍ପସ ବାହାରେ ଫାଟକ ଆଗରେ ପ୍ରତିବାଦ

ଅପରାହ୍ନରେ ଏବିଭିପି ସମର୍ଥକ ବିଶ୍ବବିଦ୍ୟାଳୟ ମୁଖ୍ୟଫାଟକ ବନ୍ଦ କରି ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଭିନ୍ନ ବାମପନ୍ଥୀ ଛାତ୍ର ସଂଗଠନ ମଧ୍ୟ ପ୍ରତିବାଦ କରିଥିଲେ। ଏହାପରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ ହେବା ଆଶଙ୍କା କରି ପାଖାପାଖି ୩ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା।

ସହୀଦନଗର ଥାନାରେ ଏତଲା

ଅଭିଯୋଗ ଆଧାରରେ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି।

ଏବିଭିପିର କାର୍ଯ୍ୟଶୈଳୀକୁ ନିନ୍ଦା କଲା ବିଜୁ ଛାତ୍ର ଜନତା ଦଳ

ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି , ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । କ୍ୟାମ୍ପସର ବାତାବରଣକୁ ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀ ନଷ୍ଟ କରୁଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ଏଭଳି ଆଚରଣ ଏବିଭିପି ପାଇଁ ନୂଆ ନୁହେଁ।

 

Leave A Reply

Your email address will not be published.